ସୁଖୀ ଓଡ଼ିଶା ମିଶନର ୧୩ଶ ଜନ୍ମ ଦିବସ ପାଳିତ: ଓଡିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହେବ ନାହିଁ କାହିଁକି!

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସୁଖୀ ଓଡିଶା ମିଶନ୍ର ୧୩ଶ ଜନ୍ମ ଦିବସ ଅବସରରେ ସରସ୍ୱତୀ ବିହାର ଠାରେ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ମୁକ୍ତ ଚିନ୍ତନଚକ୍ରକୁ ଉଦ୍ଘାଟନ କରି ବରିଷ୍ଠ ଶିକ୍ଷାବିତ୍ ବିମ୍ବାଧର ମହାନ୍ତି ଓଡିଶାର ଐତିହ୍ୟ ଓ ବଳିଷ୍ଠ ଇତିହାସ ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ଅଗଣି ଚରଣ ଦାସ ଓଡିଆ ଜାତିର ସ୍ୱାଭିମାନଶୂନ୍ୟତା ହିଁ ଦରିଦ୍ରତାର ମୁଖ୍ୟ କାରଣ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡ. ଭାଗବତ ତ୍ରିପାଠୀ, ଅଧ୍ୟାପକ ନାସିର ବକ୍ସ, ଗୁରୁମା ଅନ୍ନପୂର୍ଣ୍ଣା ଦେବୀ, ଅଧ୍ୟାପକ ଅଶ୍ୱିନୀ କୁମାର ପୁହାଣ, ସମାଜସେବୀ ଭବେନ୍ଦ୍ର ସାହୁ, ଟିଲୋ ପଞ୍ଚାୟତ ସମିତି ସଦସ୍ୟା ସୁଶ୍ରୀ ସୁପ୍ରଭା ଦାସ, ଶିକ୍ଷାବିତ୍ ବଳରାମ ପାଣିଗ୍ରାହୀ ଓ ସମାଜସେବୀ ସୁଧାଂଶୁ ସାମନ୍ତ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମିଶନ୍ର ସାଧାରଣ ସମ୍ପାଦକ ମାଧବାନନ୍ଦ ବେହେରା ସ୍ୱାଗତ ଭାଷଣ ଦେବା ପରେ ସଭାପତି ଡକ୍ଟର ସଦାନନ୍ଦ ଦୀକ୍ଷିତଃ ଅଭାମୁଖ୍ୟ ପ୍ରକାଶ କରି କହିଲେ ଯେ ଓଡିଶାର ଐତିହ୍ୟ ଓ ଇତିହାସ, ସଂସ୍କୃତି ଓ ପରମ୍ପରା ଯେପରି ଉଚ୍ଚକୋଟୀର ସେହିପରି ପ୍ରାକୃତିକ ସଂପଦ ଓ ଯୁବମାନବ ସମ୍ବଳରେ ଭରପୁର ଓଡିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହେବାର ସୌଭାଗ୍ୟ ଲାଭ କରିପାରିବ। ବିଭିନ୍ନ ମହାବିଦ୍ୟାଳୟରୁ ସମାଗତ ଛାତ୍ରଛାତ୍ରୀମାନେ ଚନ୍ତିନଚକ୍ରରେ ଭାଗନେଇ ନିଜର ଅଭିମତ ସ୍ପଷ୍ଟ କରିଥିଲେ। ସେମାନଙ୍କ ମତରେ ଓଡିଆ ଜାତିର ଦୁର୍ବଳ ମାନସିକତା, ହୀନମନ୍ୟତା, ଦୃଢ ରାଜନୀତିକ ନେତୃତ୍ୱର ଅଦୂରଦର୍ଶିତା, ଅଳସୁଆ ପଣିଆ, ପରସ୍ପର ଅସହଯୋଗ ଓ ବିରୋଧ, ସ୍ୱପ୍ନ ଓ ସାଧନାର ଅଭାବ ପ୍ରଭୃତି ଯୋଗୁ ଓଡିଶାର ସବୁ ଥାଇ ମଧ୍ୟ ଦରିଦ୍ରତମ ରାଜ୍ୟର କଳଙ୍କଟୀକା ଧାରଣ କରିଛି। ବିଶେଷତଃ ଛାତ୍ରଛାତ୍ରୀ ମିତ୍ରଭାନୁ ପାଣ୍ଡବ, ମାନସୀ ଦାଶ, ସତ୍ୟନାରାୟଣ ପଣ୍ଡା, ବିଶ୍ୱଜିତ ବେହେରା, ସରିତା ମହାନ୍ତି, ଶକୁନ୍ତଳା ଦାସ, ପ୍ରମିଳା ବେହେରା ପ୍ରମୁଖ ଗୁରୁତ୍ୱପୂର୍ଣର୍ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମିତି ସଦସ୍ୟା ଯୁବନେତ୍ରୀ ସୁପ୍ରଭା ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଗାମୀ ଜାନୁଆରୀ ଶେଷ ସପ୍ତାହରେ ମିଶନ ପକ୍ଷରୁ ପାଞ୍ଚଦିନିଆ ବ୍ୟକ୍ତିତ୍ୱ ବିକାଶ ଆୟୋଜିତ କରାଯିବା ସମ୍ପର୍କରେ ସମ୍ପାଦକ ଶ୍ରୀ ବେହେରା ଘୋଷଣା କରିଥିଲେ। ରାମଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *