ସୁକନ୍ୟା ଯୋଜନାରେ ଟଙ୍କା ହଡପ ଜମା ୨୫ ହଜାରରୁ ୨୫ ଶହ ହେଲା

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚିଟ୍ଫଣ୍ଡ ଠକେଇ ପରେ ଲୋକେ ସେମାନଙ୍କର ଜମା ଟଙ୍କା ରଖିବା ପାଇଁ ବ୍ୟାଙ୍କ ଉପରେ ଭରସା କରିଥିଲେ। ମାତ୍ର ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣ ଯୋଜନା ଓ ନୋଟ୍ ବନ୍ଦୀ ପରେ ବ୍ୟାଙ୍କକୁ ଦୌଡି ଦୌଡି ଲୋକେ ନୟାନ୍ତ ହେବା ପରେ ପୋଷ୍ଟାଲ ପରି କେନ୍ଦ୍ରୀୟ ସଂସ୍ଥା ଉପରେ ସାଧାରଣ ଲୋକ ଭରସା କରିଥିଲେ। ପୋଷ୍ଟାଲ ଉପରେ ଲୋକଙ୍କର ଅତୁଟ ବିଶ୍ୱାସ ଥିବା ବେଳେ ଏବେ ଭଦ୍ରକର ପୋଷ୍ଟାଲ ବିଭାଗ ଜମାକାରୀଙ୍କର ଭରସା ତୁଟାଇ ଦେଇଛି। ଗତ ଦୁଇବର୍ଷ ତଳେ ଭଦ୍ରକରେ ଜଣେ ପୋଷ୍ଟ ମାଷ୍ଟର ଜମାକାରୀଙ୍କର ଜମା ଟଙ୍କା ହଡପ କରି ନେଇଥିବାବେଳେ ସେମାନଙ୍କର ଜମା ପାସ୍ ବୁକ୍ ବାହାରି ଫିଙ୍ଗି ଦେବା ଘଟଣା ଭଦ୍ରକରେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ପୁଣି ଭଦ୍ରକର ନୂଆ ବଜାର ପୋଷ୍ଟ ଅଫିସ୍ରେ ସୁକନ୍ୟା ଯୋଜନାରେ ଜଣେ ହିତାଧିକାରୀ ଜମାକାରୀଙ୍କର ଜମା ଖାତାରୁ ୨୫ ହଜାର ଟଙ୍କାର ଜମାରୁ ଟଙ୍କା କେଉଁଆଡେ ଗାଏବ୍ ହୋଇଯାଇଛି। ୨୫ ହଜାର ଟଙ୍କା ବଦଳରେ ଏଇ ଖାତାରେ ରହିଛି ୨୫ ଶହ ଟଙ୍କା। ଏହାକୁ ନେଇ ଜମାକାରୀଙ୍କ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରି ଧାରଣାରେ ବସିଛନ୍ତି। ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାବେଳେ ପୋଷ୍ଟାଲ ବିଭାଗ ମଧ୍ୟ କିଛି ସମାଧାନର ବାଟ ବାହାରି କରିପାରିନାହାଁନ୍ତି। ଅଭିଯୋଗରୁ ପ୍ରକାଶ ଯେ ଭଦ୍ରକ ସହରର ବଙ୍କସାହିସ୍ଥିତ ରାଧାମାଧବ ଦାସ ତାଙ୍କର ଝିଅ ବୈଭବୀ ଦାସଙ୍କ ନାମରେ ୨୫ ହଜାର ଟଙ୍କା ଜମା ରଖିଥିଲେ। ମାତ୍ର ଏଇ ଜମା ରାଶି ତାଙ୍କ ଝିଅର ସୁକନ୍ୟା ଯୋଜନା ଖାତାରେ ଦର୍ଶାଉନାହିଁ। ଏ ନେଇ ପୋଷ୍ଟାଲ ବିଭାଗରେ ରାଧାମାଧବ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ମାତ୍ର ପୋଷ୍ଟାଲ ବିଭାଗ ଏଇ ଅଭିଯୋଗ ମୂଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରିତାପର ବିଷୟ ହୋଇଛି। ୨୫ ହଜାର ଟଙ୍କା ଡିପୋଜିଟ୍ ବଦଳରେ ଏହାର ୨୫ ଶହ ଟଙ୍କା କେଉଁ ପରିସ୍ଥିତିରେ ପ୍ରିଣ୍ଟ୍ରେ ପ୍ରଦର୍ଶିତ ହେଉଛି ବୋଲି ସଂପୃକ୍ତ ବ୍ୟକ୍ତି ଜଣକ ଆଜି ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କେବଳ ଅଭିଯୋଗ ନୁହେଁ ତାଙ୍କର ଜମା ଟଙ୍କା ଫେରି ପାଇବା ପାଇଁ ସେ ଧାରଣାରେ ବସିଛନ୍ତି। ସୁକନ୍ୟା ଯୋଜନାରେ ବୈଭବୀଙ୍କ ନାମରେ ଭଦ୍ରକର ନୂଆ ବଜାର ପୋଷ୍ଟ ଅଫିସ୍ରେ ଖୋଲାଯାଇଥିବା ଆକାଉଣ୍ଟ ନଂ ହେଉଛି ୯୬୯୨୫୪୫୫୯୪, ଯାହାର ସିଆଏଫ୍ ଆଇଡି ନମ୍ବର ହେଉଛି ୮୬୭୭୪୯୯୬୬। ଏହି ଆକାଉଣ୍ଟଟି ଭଦ୍ରକ ପୋଷ୍ଟ ଅଫିସ୍ରେ ଗତ ୨୬.୦୩.୨୦୧୫ ରିଖରେ ଖୋଲା ଯାଇଥିଲା। ଏଇ ଜମା ଖାତାରେ ଟଙ୍କା କୁଆଡେ ଗଲା। କିଏ ନେଲା, ତାହାକୁ ନେଇ ଏବେ ସନ୍ଦେହ ପ୍ରକଟ ହୋଇଥିବାବେଳେ ଏଥିପାଇଁ କିଏ ପ୍ରକୃତରେ ଉତ୍ତରଦାୟୀ ବୋଲି ଜମାକାରୀ ପରିବାର ପକ୍ଷରୁ ପ୍ରଶ୍ନ ଉଠାଇଛନ୍ତି। ଯଦି ପୋଷ୍ଟାଲରେ ଜମାକଲେ ଆମ ଜମାଟଙ୍କା ସୁରକ୍ଷିତ ହୋଇ ରହିପାରୁନାହିଁ, ତେବେ ଆଉ କେଉଁଠି ଟଙ୍କା ଜମା ରଖିବୁ ବୋଲି ଗଣମାଧ୍ୟମ ଆଗରେ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣା ସଂପର୍କରେ ନୂଆ ବଜାର ପୋଷ୍ଟାଲ ବିଭାଗର ଅଧିକାରୀ ଦୀପକ ମହାରଣାଙ୍କୁ ପଚାରିବାରୁ ସେ କହିଲେ ଏଇ ଘଟଣାର ଯାଞ୍ଚ କରାଯାଉଛି। ପ୍ରିଣ୍ଟ୍ରେ ତ୍ରୁଟି ଥାଇପାରେ। ସେଭଳି ତ୍ରୁଟି ଥିଲେ, ଏହାର ସମାଧାନ କରାଯାଇ ଜମାକାରୀଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯିବ ବୋଲି ଶ୍ରୀ ମହାରଣା କହିଛନ୍ତି।

Leave a Reply

Your email address will not be published. Required fields are marked *