ସୀମା ଟପୁଛି ଧାମରାରେ ଜମି ଜାଲିଆତି ୩୫ ବେନାମୀ କଂପାନୀ ନାମରେ ଜମି କିଣା, ୭୦ ଏକର ଜମି ହଡପ, ହାଇକୋର୍ଟରେ ମାମଲା

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ତହସିଲ ଅଧୀନ ଧାମରା ବନ୍ଦରାଞ୍ଚଳରେ ଥିବା ଘରୋଇ ଚାଷ ଜମି ଉପରେ ଏବେ ସମସ୍ତଙ୍କ ଆଖି। ବିଭିନ୍ନ କଂପାନୀ କର୍ତ୍ତୃପକ୍ଷ ଏବଂ ଜମି ମାଫିଆମାନେ ବେଆଇନ୍ ଭାବେ ଚାଷ ଜମିକୁ କିଣୁଥିବା ଅଭିଯୋଗ ହୋଇଛି। ବନ୍ଦର ସଂଲଗ୍ନ ଅଂଚଳରେ ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଏସବୁ ଜମି କିଣାଯାଇଛି। ଗତ ୫ ବର୍ଷ ମଧ୍ୟରେ କେତେକ ଜମି କିଣାବିକା ହୋଇଥିଲେ ବି ଆବଶ୍ୟକ କାଗଜପତ୍ର ଅଭାବରୁ ଏହାର ନାମଜାରୀ ହୋଇପାରୁନାହିଁ। ଫଳରେ ବିକ୍ରି ଜମିର ପଟ୍ଟା ମିଳିପାରିନାହିଁ। ଏବେ ଅନ୍ଲାଇନ୍ ବ୍ୟବସ୍ଥା ହେବା ପରେ ଏସବୁ ଜମି ହାତେଇବା ଲାଗି ଦଲାଲମାନେ ସକ୍ରିୟ ହୋଇଉଠିଥିବା ସୂଚନା ମିଳିଛି। ଧାମରାରେ ପ୍ରାୟ ୫୧୬ ଏକର ଘରୋଇ ଚାଷ ଜମି ୩୫ ଟି ଅଣପଂଜିକୃତ କଂପାନୀ ନାଁରେ କିଣାଯାଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି। ପ୍ରାୟ ୬୦ ଟି ବିକ୍ରି କବଲା ହୋଇଛି। ଜମି କିଣିଥିବା ବେନାମୀ କଂପାନୀଙ୍କ ପାଖରେ ରାଜସ୍ୱ ବିଭାଗର ନିୟମ ଅନୁସାରେ ଜମି କ୍ରୟର ଆବଶ୍ୟକ ଅନୁମତି ପତ୍ର ନଥିବାରୁ ଏହାର ନାମଜାରୀ ତଥା ପଟ୍ଟା ପ୍ରଦାନକୁ ତତ୍କାଳୀନ ତହସିଲଦାର ଚିତ୍ତରଂଜନ ସାହୁ ବିରୋଧ କରି ବନ୍ଦ କରିଥିଲେ। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ଉକ୍ତ ଜମି କବଲାର ନାମଜାରୀ କାମ ଅନ୍ଲାଇନ୍ରେ ହେବ ବୋଲି କୁହାଯାଉଛି। ଧାମରାରେ ଏକ ଅତିରିକ୍ତ ତହସିଲ ଅଫିସ୍ କାର୍ଯ୍ୟାରମ୍ଭ କରିଥିବାରୁ ଜମି କିଣିଥିବା ଲୋକେ ଏବେ ତତ୍ପର ହୋଇଉଠିଛନ୍ତି। ଏହିସବୁ ଜମିର କାଗଜାତ ବର୍ତ୍ତମାନ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ୍ରେ ରହିଛି। ଫଳରେ ଅଧିକାଂଶ ଦଲାଲ ଚାନ୍ଦବାଲି ତହସିଲ ଛାଡି ଧାମରା ଅତିରିକ୍ତ ତହସିଲ ଅଫିସ୍ରେ ଡେରା ପକାଇଛନ୍ତି। ଯାହାଦ୍ୱାରା ଏକ ବଡ ଧରଣର ଅନିୟମିତତା ହେବା ଆଶଙ୍କା ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ ଅଫିସ୍ରେ ମଦ୍ୟପାନର ଏକ ଭିଡିଓ ଭାଇରାଲ ହେବା ପରେ ଧାମରାରେ ଅବସ୍ଥାପିତ ଜଣେ ଅତିରିକ୍ତ ତହସିଲଦାରଙ୍କୁ ୪ ମାସ ତଳେ ନିଲମ୍ବନ କରାଯାଇଥିଲା। ଅନ୍ୟପକ୍ଷେ ବେନାମୀ କଂପାନୀଙ୍କ କବଲାର ନାମଜାରୀ କରିବାକୁ ଅନିଚ୍ଛୁକ ଅଧିକାରୀଙ୍କୁ କୌଶଳ କ୍ରମେ ଧାମାରାରୁ ହଟାଯାଇଛି ବୋଲି ଚର୍ଚ୍ଚା ହେଉଛି। କେତେକ ଜମିର ବିକ୍ରି କବଲା ପାଇଁ ନକଲି କାଗଜପତ୍ର, ଭୋଟର ଆଇକାର୍ଡ, ଲିଗାଲ ହେୟାର ସହ ନକଲି ବିକ୍ରେତା ଯୋଗାଡ କରାଯାଇଥିବା ଅଭିଯୋଗ ହେଉଛି। ଏନେଇ ଚାନ୍ଦବାଲି ଥାନାରେ ଅଭିଯୋଗ କ୍ରମେ ଜନୈକ ସବ୍ରେଜିଷ୍ଟ୍ରାରଙ୍କ ନାମରେ ଚାନ୍ଦବାଲି ଥାନାରେ ମଧ୍ୟ ମାମଲାହ ୨୦୬/୧୫ ରେ ରୁଜୁ ହୋଇଛି। ଦଲାଲଙ୍କ ମାଧ୍ୟମରେ କେତେକ କଂପାନୀ ଜମି ହାତେଇବାକୁ ଯୋଜନା କରୁଥିବାବେଳେ କେତେକ ବିଭାଗୀୟ କର୍ମଚାରୀ ସେମାନଙ୍କୁ ଭିତିରିଆ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। କରଂଜମାଳ ମୌଜାର ଏକ ମିସ୍କେଶ୍ର ଫଇସଲା ପାଇଁ ମୋଟା ଅଙ୍କର କାରବାର ହୋଇଥିବା ଏବଂ ୬୪ ଜଣ ଭୂମିହୀନଙ୍କ ପ୍ରାୟ ୭୦ ଏକର ଜମିକୁ ନକଲି କାଗଜପତ୍ର ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ହାଇକୋର୍ଟରେ ମାମଲା ଚାଲିଛି। ଏହି ପରିପ୍ରେକ୍ଷୀରେ ତହସିଲଦାର ପ୍ରେମାଂଶୁ ଚାନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅର୍ଥ କିମ୍ବା କାହାର ଚାପରେ ନୁହେଁ ରାଜସ୍ୱ ବିଭାଗର ଆଇନ୍ ଅନୁସାରେ ଜମିର ନାମଜାରୀ କରାଯିବ। ଆଇନ୍ ବାହାରେ କୌଣସି କାର୍ଯ୍ୟ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *