ସିପିଆଇର ବାପୁଜୀ ନଗର ଶାଖା ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, ତା ୧୦ା୧ (ଓଡ଼ିଆ ପୁଅ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବାପୁଜୀନଗର ଶାଖା ସମ୍ମଳନୀ, ବାପୁଜୀନଗର ବସ୍ତିଠାରେ ସୁରେନ୍ଦ୍ର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଷ୍ଣୁପ୍ରିୟା ମହାପାତ୍ର ଏହି ଶାଖା ସମ୍ମିଳନୀର ପତାକା ଉତ୍ତୋଳନ କରିବା ପରେ କୈଳାସ ଚନ୍ଦ୍ର ପୁହାଣ ଲାଲ୍ ପତାକା ସଂଗୀତ ଗାନ କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟ ଏହି ଲାଲ୍ ପତାକା ସଂଗୀତ ଗାନ କରି ଲାଲ୍ ପତାକାକୁ ସଲାମ୍ ଜଣାଇଥିଲେ। ସମ୍ମିଳନୀ କାର୍ଯ୍ୟକ୍ରମ ବାପୁଜୀନଗର ବସ୍ତିର ସିପିଆଇ ନେତା ଦାମୋଦର ମହାପାତ୍ରଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଶାଖା ସମ୍ପାଦକ ମଙ୍ଗଳା ସେଠୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପାର୍ଟିର ଭୁବନେଶ୍ୱର ମହାନଗର ସମ୍ପାଦକ ସୁର ଜେନା ଏହି ସମ୍ମିଳନୀକୁ ଉଦ୍ଘାଟନ କରି ସ୍ମାର୍ଟ ସିଟିର ମହାବିପତ୍ତିର ମୁକାବିଲା ପାଇଁ ପାର୍ଟି ବସ୍ତି ବାସିନ୍ଦାଙ୍କୁ ଐକ୍ୟବଦ୍ଧ କରି ମହାସଂଗ୍ରାମରେ ସାମିଲ୍ ହେବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ ଉଦବୋଧନ ଦେଇ ଆସନ୍ତା ୨୬ ଜାନୁଆରୀ ସମ୍ବିଧାନ ବଞ୍ଚାଅ ଦିବସ ପାଳନ ଓ ୭ ଫେବୃୟାରୀରେ ପାର୍ଟିର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ସମ୍ମିଳନୀର ସଫଳତା ପାଇଁ ଆହ୍ୱାନ ଦେବାସହ ଆଗାମୀ ମହାନଗର ନିର୍ବାଚନରେ ସିପିଆଇ ନିଜ ପ୍ରାର୍ଥୀମାନଙ୍କୁ ଜିତାଇବା ସହ ସାମ୍ପ୍ରଦାୟିକ ବିଜେପିକୁ ପରାଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ରଙ୍ଗଲତା ରାଉତ, ହେମଲତା ରାଉଳ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ସମ୍ମିଳନୀରେ ପାର୍ଟିର ସଭ୍ୟମାନଙ୍କର ସଭ୍ୟପଦ ନବୀକରଣ କରାଯାଇଥିଲା। ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଶାଖା ସମ୍ପାଦକ ଭାବେ ମଙ୍ଗଳା ସେଠୀ ଏବଂ ସହ-ସମ୍ପାଦକ ଭାବେ ତିରୂପତି ରେଡ୍ଡୀ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ବିଷ୍ଣୁପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *