ସିନେପ୍ଲେକ୍ସ ସିନେମା ହଲ୍କୁ ପୌରପାଳିକାର ଅହେତୁକ ଅନୁକମ୍ପା, ଅଭିଯୋଗ ପରେ ନଗରପାଳ କାମ ବନ୍ଦ ନିର୍ଦ୍ଦେଶ ଦେଲେ

କେନ୍ଦୁଝର, ୧୨ା୭ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ସହରର କାଳୀପଡିଆ ନିକଟରେ ଥିବା ତାରିଣୀ ଛବି ଘର ସିନେମା ହଲ ଏବେ ନବୀକରଣ ହୋଇ ସିନେପ୍ଲେକ୍ସ ନାମରେ ନାମିତ ହୋଇଛି। ମାତ୍ର ଏହି ଅତ୍ୟାଧୁନିକ ସିନେମା ହଲ କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ଏହା ଚାଲିବାରେ ଅନେକ ବେଆଇନ କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଯାହାକି ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇପଡିଛି। ପ୍ରଶାସନିକସ୍ତରରେ ଏହି ସିନେମା ହଲ୍ ଚାଲିବା ପାଇଁ ଯାହା ଆବଶ୍ୟକୀୟ ଅନୁମତି ମିଳିବା କଥା ତାହା ସଂପୂର୍ଣ୍ଣ ମିଳିନଥିଲେ ସୁଦ୍ଧା ବର୍ତ୍ତମାନ ଏଠାରେ ଚଳଚିତ୍ର ପ୍ରଦର୍ଶିତ ହେବା ପ୍ରଶାସନର ଅହେତୁକ ଅନୁକମ୍ପା ଛଡା ଅନ୍ୟ କିଛି ନୁହେଁ ବୋଲି ସାଧାରଣରେ ମତବ୍ୟକ୍ତ ହୋଇଛି। ଏପରିକି ସିନେମା ହଲର ଦୂଷିତ ଜଳ ଯିବା ପାଇଁ ପୌରପାଳିକାର ପାଚେରୀ ଭଙ୍ଗା ଯାଇ ଡ୍ରେନ ନିର୍ମାଣ କରାଯିବା ପାଇଁ ନିଆଯାଉଥିବା ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପୌରପାଳିକା କାର୍ଯ୍ୟାଳୟ ପରିସର ମଧ୍ୟରେ ଏହି ଡ୍ରେନ ନିର୍ମାଣ ପାଇଁ କିଏ ଏବଂ କି ଉଦ୍ଦେଶ୍ୟରେ ଅନୁମତି ପ୍ରଦାନ କରିଛନ୍ତି ତାହା ଉପରେ ମଧ୍ୟ ତଦନ୍ତ ହେବାକୁ ଦାବି ହେଉଛି। ସିନେପ୍ଲେକ୍ସ ସିନେମା ହଲ ପ୍ରତି କେନ୍ଦୁଝରଗଡ ପୌରପାଳିକା ଅହେତୁକ ଅନୁକମ୍ପା ପଦାରେ ପଡିଛି। ପ୍ରକାଶଯୋଗ୍ୟ ଯେ, ଏହି ନୂତନ ସିନେପ୍ଲେକ୍ସରେ ତଳମହଲା ଓ ଉପରମହଲାରେ ଦୁଇଟି ସିନେମା ଏକା ସାଙ୍ଗରେ ଚାଲିବାର ବ୍ୟବସ୍ଥା ରହିଛି। ଉଭୟ ସ୍ଥାନରେ ୪୫୦ ସିଟ୍ ରହିଛି। ଏତେ ବଡ ସିନେମାହଲର ପାଇଁ ବର୍ଜ୍ୟଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ। ଦୈନନ୍ଦିନ ଏହି ସିନେମାହଲକୁ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ଆସୁଥିବାବେଳେ ସିନେମାହଲର ଦୂଷିତ ଜଳ ବାହାରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସିନେମାହଲର ଡ୍ରେନେଜ ବ୍ୟବସ୍ଥା ନକରି ଆରମ୍ଭ କରିବା ପରେ ଏବେ ବର୍ଜ୍ୟଜଳ ନିଷ୍କାସନ ପାଇଁ ପୌରପାଳିକାର ପାଚେରୀ ଭାଙ୍ଗି ତରବରିଆ ଭାବେ ଓସାରିଆ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିପାଇଁ ପୌରପାଳିକା ପକ୍ଷରୁ ୧ଲକ୍ଷ ଟଙ୍କାରେ ବ୍ୟୟବରାଦ ହୋଇ ଡ୍ରେନ ନିର୍ମାଣ କାର୍ଯ୍ୟ ଅତି ତରବରିଆ ଭାବେ ଚାଲିଛି। ସାଧାରଣ ଲୋକଙ୍କଠାରୁ ଟିକସ ନେଇ ସିନେପ୍ଲେକ୍ସ ସିନେମା ହଲ ମାଲିକ ପାଇଁ ଡ୍ରେନ ନିର୍ମାଣ କରିବା କାହା ସ୍ୱାର୍ଥରେ ବୋଲି ବିଭିନ୍ନ ମହଲରୁ ଆଲୋଚନା ହେଉଛି। କେନ୍ଦୁଝରଗଡ ପୌରପାଳିକାରେ ସାଧାରଣ ଲୋକଙ୍କ ସମସ୍ୟା ଯଥା ରାସ୍ତା, ଲାଇଟ, ଡ୍ରେନ ଆଦି ସମସ୍ୟା ଦୂର ନେଇ ପଦକ୍ଷେପ ନେଇ ପାରୁନଥିବାବେଳେ ସିନେପ୍ଲେକ୍ସ ସିନେମା ହଲ ପ୍ରତି ପୌରପାଳିକାର ଅହେତୁକ ଅନୁକମ୍ପା ଦେଖାଇ ତରବରିଆଭାବେ ଡ୍ରେନ ନିର୍ମାଣ କରିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ସୂଚନାଯୋଗ୍ୟ ଯେ, ସିନେପ୍ଲେକ୍ସ ସିନେମା ହଲରେ ଅଗ୍ନିଶମ ସାଟିଫିକେଟ ପାଇନଥିବାବେଳେ ପ୍ରଶାସନ ପକ୍ଷରୁ ଏହି ସିନେମାହଲକୁ ଗତ ବର୍ଷ ନୋଟିସ ମଧ୍ୟ ଦିଆଯାଇଥିବା ଜଣାପଡିଛି। ପୌରପାଳିକା ଅଫିସ କ୍ୟାମ୍ପସ ମଧ୍ୟରେ ସିନେମାହଲର ଡ୍ରେନ ନିର୍ମାଣ ନେଇ ସିନେପ୍ଲେକ୍ସର ମ୍ୟାନେଜର କମଲେଶ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସିନେମାହଲର ଡ୍ରେନ ବ୍ୟବସ୍ଥା ନଥିବାରୁ ଆମ୍ଭେ ପୌରପାଳିକା ନିକଟରେ ଜଣାଇଥିଲୁ। ପୌରପାଳିକା ପକ୍ଷରୁ ସିନେମାହଲ ସୁବିଧା ପାଇଁ ଡ୍ରେନ କରୁଥିବା ସୂଚନା ଦେଇଥିଲେ। ପୌରପାଳିକାର ଭାରପ୍ରାପ୍ତ ନଗରପାଳ ସରୋଜ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ପୌରପାଳିକା କ୍ୟାମ୍ପସ ମଧ୍ୟରେ ସିନେମାହଲ ପାଇଁ ଡ୍ରେନ ନିର୍ମାଣ ହେଉଥିବା ଜାଣିବା ପରେ କାମ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି। ପୌରପାଳିକା ଅଫିସ କ୍ୟାମ୍ପସ ମଧ୍ୟରେ ସିନେମାହଲର ଡ୍ରେନ ନିର୍ମାଣ ଅନୁମତି ଦେବା ପଛରେ ଏକ ବଡ ଡିଲ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ମୋହନ ଚରଣ ମାଝୀ। କେନ୍ଦୁଝରଗଡ ପୌରପାଳିକାର ଲୋକଙ୍କର ଅନେକ ସମସ୍ୟା ଦୂର କରିବାରେ ପୌରପାଳିକା ବିଫଳ ହୋଇଥିବାବେଳେ ବଡବଡିଆଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ସିନେମାହଲର ନବୀକରଣ କାର୍ଯ୍ୟ ପାଇଁ ପୌରପାଳିକା ଟଙ୍କାଟିଏ ମଧ୍ୟ ଟିକସ ପାଇନଥିବା ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *