ସିଡିଏର ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା ଲାଗି ପ୍ରସ୍ତାବ ନାହିଁ

ଭୁବନେଶ୍ୱର, ୧୫ା୯ (ଓଡ଼ିଆ ପୁଅ): ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ରେ ନିୟୋଜିତ ଥିବା ଅସ୍ଥାୟୀ, ଠିକା ଓ ଦିନ ମଜୁରିଆ ଭାବେ କାମ କରୁଥିବା କର୍ମଚାରୀମାନଙ୍କୁ ଚାକିରିରେ ନିୟମିତ କରିବା ଲାଗି କୌଣସି ପ୍ରସ୍ତାବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ରୋକ୍ ଠୋକ୍ ଭାବେ ଶୁଣାଇ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସିଡିଏରେ ସଂଖ୍ୟାଧିକ କର୍ମଚାରୀ ସ୍ୱଳ୍ପ ପାରିଶ୍ରମିକରେ ବର୍ଷ ବର୍ଷ ଧରି ଖଟୁଥିବା ପରିପ୍ରେକ୍ଷୀରେ ଏମାନଙ୍କୁ ନିୟମିତ କରିବା ଲାଗି ୨୦୧୩ ମସିହାରେ ୨୨୯ଟି ପଦବୀ ମଞ୍ଜୁରୀ ନିମନ୍ତେ କର୍ତ୍ତୃପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ପରିପ୍ରେକ୍ଷୀରେ ଏହି ଅସ୍ଥାୟୀ କର୍ମଚାରୀମାନଙ୍କୁ ନିୟମିତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବେ କି ବୋଲି ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ଏକ ଅଣତାରକା ପ୍ରଶ୍ନ ଉତ୍ ଥାପନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ରାଉତରାୟ ସିଡିଏ ୦୩.୦୬.୨୦୧୩ରେ ୨୨୯ ଟି ପଦବୀ ନିମନ୍ତେ ପ୍ରସ୍ତାବ ଦେଇଥିବା ସ୍ୱୀକାର କରିବା ସହିତ ଏହି ପ୍ରସ୍ତାବ ସରକାରଙ୍କ ବିଚାରାଧିନ ରହିଛି ଓ ତାହା ତଦନୁଯାୟୀ କୌଣସି କର୍ମଚାରୀଙ୍କୁ ନିୟମିତ କରାଯାଇନାହିଁ ବୋଲି ଉଲ୍ଲେଖ କରିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପୁଣି କହିଛନ୍ତି ଯେ ଏହି ସଂସ୍ଥାରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପଦପଦବୀରେ ଅସ୍ଥାୟୀ, ଠିକା ଓ ଦିନ ମଜୁରିଆ ଭାବେ ୬୨ ଜଣ କାର୍ଯ୍ୟ କରୁଛନ୍ତି ଏବଂ ଉକ୍ତ ୬୨ ଜଣଙ୍କୁ ଇପିଏଫ୍ ରେ ଅନ୍ତର୍ଭୁକ୍ତ କରାଯାଇଛି। ବରିଷ୍ଠତା ଭିତ୍ତିରେ ଏମାନଙ୍କୁ ଚଳିତବର୍ଷ ମଧ୍ୟରେ ନିୟମିତ କରିବା ଲାଗି କୌଣସି ପ୍ରସ୍ତାବ ଦିଆଯାଇନାହିଁ ବୋଲି ସେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *