ଅନୁଗୁଳ

ସିଙ୍ଗରାନି କୋଲିୟରୀ କମ୍ପାନୀ ଲିଃ ର କୋଇଲା ବ୍ଲକ କାର୍ଯ୍ୟ ନିମନ୍ତେ ବୈଠକ

ଅନୁଗୋଳ, ୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଥଳିପଶି, କରଡ଼ାବାହାଳ, କଶିଡିହ ଓ ବ୍ରାହ୍ମଣବିଲ ଗ୍ରାମର ୨୨୫୫.୫୦ ଏକର ଜାଗାରେ ତେଲେଙ୍ଗାନା ଓ ଭାରତ ସରକାରଙ୍କର ମିଳିତ ସହଯୋଗରେ ସିଙ୍ଗରାନି କୋଲିୟରୀ କମ୍ପାନୀ ଲିଃ କୋଇଲା ଉତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଅଧିଗ୍ରହଣ ହେବାକୁ ଥିବା ପ୍ରକଳ୍ପ ଅଂଚଳର ୧୮୯୬.୯୭ ଏକର ଜଙ୍ଗଲ ଜମି ହୋଇ ଥିବାବେଳେ ୩୫୮ ଏକର ହେଉଛି ୪ଟି ଗ୍ରାମର ଜମି ଏବଂ ୬୫ ଏକର ସରକାରୀ ଜମି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଷୟିକ ତାଲିକାଭୁକ୍ତ ସଂସ୍ଥା ଦ୍ୱାରା ସାମାଜିକ, ଅର୍ଥନୈତିକ ସର୍ଭେ କରାଯିବ। କମ୍ପାନୀ ତରଫରୁ ଉକ୍ତ ଗ୍ରାମଗୁଡ଼ିକରେ ୯୨ଟି ସ୍ଥାନରେ ଖୋଳା ହେବାର କାର୍ଯ୍ୟକ୍ରମ ରହିଛି। ଇତି ମଧ୍ୟରେ କମ୍ପାନୀ ଜଙ୍ଗଲ ଜମିର ୫୨ଟି ସ୍ଥାନରେ ଖନନ କାର୍ଯ୍ୟ ଶେଷ କରିଛି। ଗ୍ରାମବାସୀଙ୍କ ଜାଗାର ୪୦ଟି ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ନିକଟରେ କମ୍ପାନୀ ତରଫରୁ ଏକ ଘରୋଇ ଜାଗାରେ ବୋରୱେଲ ଖନନ କରାଯିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଏହି ବିବାଦର ସମାଧାନ ପାଇଁ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଏହି ବୈଠକରେ ଯୋଗ ଦେଇଥିଲେ।

ଚଳିତ ୮ତାରିଖରେ ଛେଣ୍ଡିପଦା ତହସିଲଦାରଙ୍କ ଅଧ୍ୟକ୍ଷତାରେ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମକୁ ଯାଇ ଆପୋଷ ଆଲୋଚନା ଏବଂ କମ୍ପାନୀର ଆଭିମୁଖ୍ୟ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇବାପରେ ବୋରୱେଲ ଖୋଳା କାର୍ଯ୍ୟ ଆରମ୍ଭ ହେବ। ଏହି କମ୍ପାନୀ ଦ୍ୱାରା କୋଇଲା ଉତୋଳନ କାର୍ଯ୍ୟ ଆରମ୍ଭ ହେଲେ ଉକ୍ତ ଅଂଚଳର ଆର୍ଥିକ ବିକାଶ ହେବ ଏବଂ ଜମିର ଉଚିତ୍ ମୂଲ୍ୟ ସରକାରଙ୍କର ନୂତନ ଅଧିଗ୍ରହଣ ନିୟମାନୁସାରେ ମିଳିବ। ଜମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିମନ୍ତେ କମ୍ପାନୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହ ଜିଲ୍ଲା ଖଣିଜ ପାଣ୍ଠିରେ ଲୋକଙ୍କ ସର୍ବନିମ୍ନ ମୈାଳିକ ସୁବିଧା ଯୋଗାଇ ଦିଆଯିବ। ଜମିର ମୂଲ୍ୟ ବେଂଚ ମାର୍କ ଭାଲ୍ୟୁ ଅନୁସାରେ ସ୍ଥିର କରାଯିବାସହ ୧୨ ପ୍ରତିଶତ ହାରରେ ସୁଧ ଓ ଶତ ପ୍ରତିଶତ ସୋଲାସିୟମ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଗ୍ରାମବାସୀମାନେ ସର୍ଭେ କାର୍ଯ୍ୟରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଆୱାର୍ଡ଼ ପାଶ ହେବାପରେ ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ ଏବଂ କୋଇଲା ଉତୋଳନ ପାଇଁ ବର୍ଷେ ସମୟ ଲାଗିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା ଯୋଗ ଦେଇ ଗ୍ରାମବାସୀଙ୍କୁ କମ୍ପାନୀର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅନୁଗୋଳ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତି, ଛେଣ୍ଡିପଦା ତହସିଲଦାର ପ୍ରତାପ ପ୍ରିତୀମୟ, କମ୍ପାନୀର ମହାପ୍ରବନ୍ଧକ ସି.ଏଚ୍.ବିଜୟାରାଓ, ଡି.ଜି.ଏମ୍ ରବିନ୍ଦ୍ର ପି.ଚୈାଧୁରୀ, ଡେପୁଟି ଇଷ୍ଟେଟ ମ୍ୟାନେଜର ରାଜେନ୍ଦ୍ର ପ୍ରସାଦଙ୍କ ସମେତ ୪ଟି ଗ୍ରାମର ପ୍ରତିନିଧିଗଣ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top