ସାହିତ୍ୟାୟନର ୧୧ଦଶତମ ବାର୍ଷିକ ଉତ୍ସବ ଉଦ୍ ଘାଟିତ

ଭୁବନେଶ୍ୱର – ୧୭/୬/୧୮(ଓଡ଼ିଆ ପୁଅ); କଳା, ସାହିତ୍ୟ ଓ ସଂସ୍କୃତିର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟାୟନର ୧୧ତମ ବାର୍ଷିକ ଉତ୍ସବ, ୧୭.୦୬.୨୦୧୮ ସନ୍ଧ୍ୟା ୬.୩୦ରେ, ଭୁବନେଶ୍ୱର ସ୍ଥିତ ‘ରାଜ୍ୟ ଅଭିଲେଖାଗାର’ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉଦ୍ ଘାଟକ ଓ ମୁଖ୍ୟ ଅତିଥି ଭାବରେ, ବିଶିଷ୍ଟ ଭାଷାତତ୍ୱବିଦ୍, ପଦ୍ମଶ୍ରୀ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଉତ୍ସବରେ ଓଡ଼ିଶାର ‘ଲୋକନାଟକର ଐତିହ୍ୟ’ ଉପରେ ଏକ ମନୋଜ୍ଞ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସମ୍ମାନିତ ବକ୍ତା ଭାବରେ ପ୍ରଫେସର ଡ଼. ସଂଘମିତ୍ରା ମିଶ୍ର, ଓ ନାଟ୍ୟକାର, ପ୍ରଧ୍ୟାପକ ଶ୍ରୀ ରମେଶ ଦାଶ, ଯୋଗ ଦେଇ, ଓଡ଼ିଶାର ଲୋକନାଟକର ଗୌରବାବହ ଐତିହ୍ୟ ସଂପର୍କରେ ଅଭିଭାଷଣ ଦେଇଥିଲେ। ହଜିଯାଇଥିବା ଲୋକନାଟକର ବିଭବର ପ୍ରସାର ପାଇଁ ଉଦ୍ୟମ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ମୋଗଲ ତମାସା, ପ୍ରହଲ୍ଲାଦ ନାଟକ, ପାଲା, ଦାଶକାଠିଆ, ରାବଣଛାୟା ଭଳି ଅତି ଉଚ୍ଚକୋଟିର ଓଡ଼ିଶାର ଲୋକନାଟକର ପୁନରୁଦ୍ଧାର ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଏହି ଉତ୍ସବରେ, ବିଶିଷ୍ଟ ପ୍ରାବନ୍ଧିକ ଡ଼. ସଂଘମିତ୍ରା ମିଶ୍ରଙ୍କୁ ‘ସାହିତ୍ୟାୟନ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ସାରାସ୍ୱତ ସାଧକ ଶ୍ରୀ ଇନ୍ଦୁଭୂଷଣ କର। ଉତ୍ସବର ପ୍ରାରମ୍ଭରେ, ଅନୁଷ୍ଠାନର ସଂପାଦକ ଶିଶୁସାହିତ୍ୟିକ, ନିରଞନ ମହାନ୍ତି, ଅତିଥି ପରିଚୟ ଦେବା ସଙ୍ଗେ, ପ୍ରାରମ୍ଭିକ ରିପୋଟ ପାଠ କରିଥିଲେ।

ଉତ୍ସବରେ, ଇନ୍ଦୁଭୂଷଣ କରଙ୍କ ଦ୍ୱାରା ସଂପାଦିତ “ଓଡ଼ିଆ ଭାଷାର ଭବିଷ୍ୟତ” ଓ କବି ଦୁର୍ଯେ୍ୟାଧନ କାଠୁଆଙ୍କ କବିତା ସଂକଳନ ‘ଆଉ ଟିକିଏ ଆଗକୁ’ ମୁଖ୍ୟଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। “ସାହିତ୍ୟାୟନ” ପତ୍ରିକାର ବାର୍ଷିକ ସଂଖ୍ୟା ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ସଭାପତି ଇନ୍ଦୁଭୂଷଣ କର, ତାଙ୍କ ଅଭିଭାଷଣରେ ଓଡ଼ିଶା, ଲୋକନାଟକ ଉପରେ ଅଧିକ ଗବେଷଣା, ପ୍ରସାର ଓ ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ବିଭାଗ, ଉତ୍କଳ ସଂସ୍କୃତି ବଶ୍ୱବିଦ୍ୟାଳୟରେ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ଲୋକ ନାଟକ ଗବେଷଣାକେନ୍ଦ୍ରର ପ୍ରତିଷ୍ଠା ଉପରେ ମଧ୍ୟ ଗରୁତ୍ୱ ଦେଇଥିଲେ। ଏହି ଉତ୍ସବକୁ ବହୁ, କବି, ସାହିତ୍ୟିକ ଯୋଗ ଦେଇ, ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। କବି ଦୁର୍ଯେ୍ୟାଧନ କାଠୁଆ ଅତିଥି ପରିଚୟ ଦେଇଥିଲେ। ଡ଼. ଜ୍ୟୋତିର୍ମତୀ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *