ସାହାରପଡା ବ୍ଲକ ବିଜୁ ଜନତା ଦଳ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକ ପ୍ରଚାର ସଭାରେ ପରିଣତ
ପାଟଣା,ତା୧୬/୦୫(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକ ବିଜୁ ଜନତା ଦଳର ପରବର୍ଦ୍ଧିତ କାର୍ଯ୍ୟକାରିଣୀ ରାଇଡିହା ହାଟପଡିଆ ଠାରେ ଦଳୀୟ ବ୍ଲକ ସଭାପତି ଗୋବିନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ଦଳୀୟ ସଂଗଠନସ୍ତରରେ ହେବାକୁ ଥିବାବେଳେ ବିପୁଳ ଜନ ସମାବେଶ କାରଣରୁ ଏହା ପ୍ରଚାର ସଭା ବୋଲି ମନେ ହୋଇଥିଲା । ପ୍ରଚାର ସଭାରେ ସାଧାରଣ ଜନତାଙ୍କ ଉପସ୍ଥିତିରେ କେତେକ କର୍ମୀ ସଂଗଠନ କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ ଉଠାଇଥିଲେ ମଧ୍ୟ ସଭା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଅହିନକୁଳ ସଂପର୍କ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିବା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ତାଙ୍କ ବକ୍ତବ୍ୟରେ ପାଟଣା ବିଧାୟକ ହୃଷିକେଶ ନାଏକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ରାତି ୪ଟାରୁ ଶଯ୍ୟା ତ୍ୟାଗ କରୁଥିବା ବିଧାୟକ ହୃଷିବାବୁ ରାତି ୯ଟା ଯାଏ ପାଟଣା ନିର୍ବାଚନ ମଣ୍ଡଳୀର ଉନ୍ନୟନ ତଥା ବିକାଶ ପାଇଁ କାର୍ଯ୍ୟ କରି ଆସୁଥିବାରୁ ଲୋକେ ତାଙ୍କୁ ପାଞ୍ଚ ପାଞ୍ଚ ଥର ବିଧାୟକ କଲେଣି ଓ ନିର୍ବାଚନ ମଣ୍ଡଳୀର ବିକାଶରେ ହୃଷିବାବୁଙ୍କ କାମ ପ୍ରଶଂସନୀୟ ବୋଲି କହିବା ଏଠାରେ ଚର୍ଚ୍ଚାର ପ୍ରସଙ୍ଗ ଥିଲା । ସେହିପରି ସଭାରେ ଉପସ୍ଥିତ ଜିଲ୍ଲା ଯୁବ ବିଜୁ ଜନତା ସଭାପତି ରାଜା ଚକ୍ରଙ୍କ ଅଧାକେଜିଆ ସୁନା ଚେନକୁ ନେଇ ଉପସ୍ଥିତ ଜନତାଙ୍କର ବିଶେଷ କରି ମହିଳା ମାନଙ୍କର ଦୃଷ୍ଟି ରାଜା ଚକ୍ରଙ୍କ ଉପରେ ଥିବାବେଳେ ଦଳର ଏ ଟୁ ଜେଡ୍ କାର୍ଯ୍ୟକ୍ରମ ସଂପର୍କରେ ଅଗ୍ନିବର୍ଷି ଭାଷଣ ଦେଇ କର୍ମୀ ସମର୍ଥକଙ୍କ ମନ ମୋହି ନେଇଥିଲେ ରାଜା ଚକ୍ର । ବିଧାୟକ ହୃଷିକେଶ ନାଏକ ତାଙ୍କ ବକ୍ତବ୍ୟରେ ତାଙ୍କ ଉଦ୍ୟମରେ ପାଟଣା ନିର୍ବାଚନ ମଣ୍ଡଳୀରେ ବିକାଶ ଚିତ୍ର ଉପସ୍ଥାପନ ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଏବେ ଦେଶରେ ନମ୍ବର-୧ ରାଜ୍ୟ ହୋଇଛି ଓ ନବୀନଙ୍କ ଉପରେ ପୁନଃ ଆସ୍ଥା ରଖିବାକୁ ନିବେଦନ କରିଥିଲେ । ଦଳର ରାଜ୍ୟ ପରିଷଦ ସଦସ୍ୟ ଦୀପକ ରାଜଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଶକୁନ୍ତଳା ଲାଗୁରୀ, ପ୍ରାକ୍ତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ଓ ମାଧବ ସର୍ଦ୍ଧାର,ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାଏକ, ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଯୁବ ବିଜେଡି ସଭାପତି ରାଜା ଚକ୍ର, ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ, କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଯୁବନେତା ତଥା ଦଳର ବଡସାହି ବ୍ଲକ ପ୍ରଭାରୀ ଇଂ ବିନୋଦ ବିହାରୀ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ରାମରାୟ ମୁଦରାଇ , ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ସାହୁ, ଶ୍ରମିକ ନେତା କୁନା ପଣ୍ଡା ପ୍ରମୁଖ ସଭାରେ ବିଜୁ ଜନତା ଦଳ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଉଦ୍ବୋଧନ ଦେବା ସହ ଦଳକୁ ଅଧିକରୁ ଅଧିକ ସୁସଂଗଠିତ କରିବାକୁ ଜନତାଙ୍କୁ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମକୁ ଦୀପକ ରାଜ ପରିଚାଳନା କରିଥିବାବେଳେ ବ୍ଲକ ବିଜେଡିର ପ୍ରମୋଦ ଖଟୁଆ, ବିଜୁ ଖଟୁଆ , ପ୍ରଦୀପ ମହାନ୍ତ, ରମାକାନ୍ତ ନାଏକ ଓ କୃଷ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ପରିଚାଳନାଗତ ସହଯୋଗ ଯୋଗାଇ ଦେଇଥିଲେ । ସଭାରେ ୨ହଜାରରୁ ଅଧିକ କର୍ମୀ ଉପସ୍ଥିତ ଥିଲେ ।
