ସାଳନ୍ଦୀ-ରେବ କପାଳୀ ନଦୀ କେନାଲ ସଂସ୍କାର ପ୍ରସଙ୍ଗ ପୁଣି ଜାତୀୟ ମାନବାଧିକାର କମିଶନଙ୍କ ଖୋଳତାଡ ଆରମ୍ଭ

ଭଦ୍ରକ, ୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲାର ସାଳନ୍ଦୀ-ରେବ କପାଳୀ ନଦୀ-କେନାଲ ସଂସ୍କାର ଯୋଜନାରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ନେଇ ମାମଲା ରି-ଓପନ ହେବା ସମ୍ଭାବନା ପ୍ରକାଶ ପାଇଛି। ଏଥି ସକାଶେ ମାନବାଧିକାର କମିଶନ ଓ ମାନବାଧିକାର କମିଶନଙ୍କ ସ୍ୱତନ୍ତ୍ର ରିପୋର୍ଟର ଦାମୋଦର ଷଡଙ୍ଗୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାର୍ଚ୍ଚ ୧୨ ରେ ବ୍ୟକ୍ତିଗତ ହାଜର ହୋଇ ପ୍ରଦାନ କରିବାକୁ ନିର୍ଦ୍ଦେଶ ଆସିଥିବା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଠାରୁ ଜଣାଯାଇଛି। ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ତରଫରୁ ଏହି ନଦୀ ଗୁଡିକର ସଂସ୍କାର କାର୍ଯ୍ୟକ୍ରମରେ ବ୍ୟାପକ ମାନବାଧିକାର ଆଇନ୍ ଉଲ୍ଲଂଘନ ହୋଇଥିବା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ସରକାରଙ୍କ ବିରୋଧରେ ୨ଟି ମାମଲା (ସାଳନ୍ଦୀ ସଂସ୍କାର ଯୋଜନା ଓ ରେବ କପାଳୀ ନଦୀ ସଂସ୍କାର ଯୋଜନା) କେଶ୍ ନଂ ୫୩/୧୮/୧୯-୦୯ ଓ ୪୩୯/୧୮/୧୮/୦୯-୧୦ ରୁଜୁ ହୋଇଥିଲା। ସରକାରଙ୍କ ଏହି ନଦୀ ସଂସ୍କାର ଯୋଜନାର କାର୍ଯ୍ୟକାରିତାରେ ବିଶେଷ କରି ଅନୁସୂଚିତ ଜାତି, ଭିନ୍ନକ୍ଷମ ଚାଷୀ, ପଛୁଆବର୍ଗ ଓ ବିପିଏଲ୍ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ନିଜ ଭିଟାମାଟିରୁ ଜବରଦସ୍ତ ବିସ୍ଥାପିତ କରାଯାଇଥିଲା। ଏହା ବ୍ୟତୀତ ନଦୀ କୂଳବର୍ତ୍ତୀ ଅଂଚଳବାସୀଙ୍କ ଚାଷଜମି, ବାଡି, ବଗିଚା, ଗଛଲତା ନଦୀ ଖନନ ସମୟରେ ନଷ୍ଟଭ୍ରଷ୍ଟ କରି ଦିଆଯାଇଥିଲା। ଏହି ଅଭିଯୋଗର ଗୁରୁତ୍ୱ ଉପଲବ୍ଧି କରି ଜାତୀୟ ମାନବାଧିକାର କମିଶନଙ୍କ କୋର୍ଟ ୪୦୯ ଟିରୁ ଅଧିକ ମାନବାଧିକାର ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା। ଏ ସଂପର୍କରେ ମାନବାଧିକାର କମିଶନଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମଗାଯାଇଥିଲା। ଏହାଛଡା ଜାତୀୟ ମାନବାଧିକାର କମିଶନଙ୍କ ସ୍ପେଶାଲ ରିପୋର୍ଟର ଦାମୋଦର ଷଡଙ୍ଗୀଙ୍କୁ କ୍ଷତିଗ୍ରସ୍ତ ଅଂଚଳର କ୍ଷେତ୍ରୀୟ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ମତେ ଶ୍ରୀ ଷଡଙ୍ଗୀ ଭଦ୍ରକ ଜିଲା ଗସ୍ତରେ ଦୁଇଥର ଆସିଥିଲେ। ସ୍ୱତନ୍ତ୍ର ରିପୋର୍ଟରଙ୍କ ରିପୋର୍ଟକୁ ଭିତ୍ତି କରି ଓଡ଼ିଶା ସରକାରଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ମତେ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲା ପ୍ରଶାସନ ଜରିଆରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇଥିବା ସଂପର୍କରେ ମାନବାଧିକାର କମିଶନଙ୍କ ନିକଟରେ ସରକାରଙ୍କ ତରଫରୁ ଭଦ୍ରକ ଜିଲାର ପ୍ରଶାସନିକ ଅଧିକାରୀମାନେ ବ୍ୟକ୍ତିଗତ ହାଜର ହୋଇ ରିପୋର୍ଟ ଦାଖଲ କରିଥିଲେ। ପରେ ଏହି ମାମଲାକୁ ବନ୍ଦ କରି ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ମାନବାଧିକାର କମିଶନଙ୍କ ଠାରେ ବହୁ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କ କ୍ଷତିପୂରଣ ସହାୟତା ରାଶି ପାଇବାରୁ ବଂଚିତ ହୋଇଥିବା ସଂପର୍କରେ ଅଭିଯୋଗ ଫର୍ଦ୍ଦ ପହଞ୍ଚିଥିବା ନେଇ ମାନବାଧିକାର କମିଶନ ଏବେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ସଂସ୍କାର ଯୋଜନାରେ କ୍ଷତିଗ୍ରସ୍ତ ହୋଇଥିବା କାଳନ୍ଦୀ ମଲ୍ଲିକ ଏବଂ କିଛି କ୍ଷତିଗ୍ରସ୍ତ ଗତ ୧୧.୦୫.୧୭ ରିଖରେ ଅଭିଯୋଗ କରିଛନ୍ତି ଯେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ସତ୍ୱେ ମାମଲା ନଂ ୫୩/୦୮/୧୮/୦୮-୦୯ ରେ ତାଙ୍କ ପରିବାର ନଦୀ ଖନନ କାର୍ଯ୍ୟରେ କ୍ଷତିଗ୍ରସ୍ତ ହୋଇ ଜମି ଓ ଗଛଲତାର କୌଣସି କ୍ଷତିପୂରଣ ରାଶି ପାଇନାହାଁନ୍ତି। ଏଭଳି ଦ୍ୱନ୍ଦର ସୁଧାର ପାଇଁ ମାନବାଧିକାର କର୍ମୀ ଓ ରିପୋର୍ଟର ଶ୍ରୀ ଷଡଙ୍ଗୀଙ୍କୁ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ନୋଟିସ୍ ଜାରି କରିଛନ୍ତି। ଯଦି ମାନବାଧିକାର କମିଶନ ତଥ୍ୟ ପ୍ରଦାନରେ ସନ୍ତୋଷ ପ୍ରକାଶ ନକରନ୍ତି, ପୁଣି ମାମଲାର ଆଉ ଥରେ ପୁନର୍ବିଚାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *