ସାଳନ୍ଦୀ ନଦୀରେ ଲୀନ ହେବ କାନପୁର ଗ୍ରାମ, ଧାରଣାରେ ବସିବେ କ୍ଷତିଗ୍ରସ୍ତ ପରିବାର

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ସୋସୋ ଥାନା ବିଦ୍ୟାଧରପୁର ବ୍ୟାରେଜ ଡିଭିଜନ ଅଧୀନରେ କାନପୁର ଗ୍ରାମଦେଇ ଯାଇଥିବା ସାଳନ୍ଦୀ ନଦୀ ତଟରେ ଭୂସ୍ଖଳନ ଆଶଙ୍କା ଅଳ୍ପ ବହୁତ ହେଉଥିବାରୁ ଗ୍ରାମବାସୀମାନେ ଦିନକୁ ଦିନ ଅତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଏନେଇ କ୍ଷତିଗ୍ରସ୍ତ ପରିବାରମାନେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ପ୍ରତି ଅବଗତ କରିବା ସହିତ କିରି ଏହାର ସ୍ଥାୟୀ ପ୍ରତିକାର କରାଯାଇ ପାରିବ, ଏ ସଂପର୍କରେ ଗୁହାରୀ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ଏଯାଏଁ ହୋଇ ପାରିନାହିଁ। ଖବରରୁ ପ୍ରକାଶ ଯେ, ଏହି ଗ୍ରାମର ବିଜୟ ସାମଲ, ନିରଞ୍ଜନ ରାଉତ, ନୀଳମଣି ଧଳ, ନିର୍ମଳ ନାୟକ, ନିରଞ୍ଜନ ନାୟକ, ସୁବାସିନୀ ନାୟକ, ବିଜୟ ସାମଲ ପ୍ରମୁଖଙ୍କ ବାସଗୃହ ନଦୀରେ ଲୀନ ହେବାର ଅଧିକ ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ନିରଞ୍ଜନ ରାଉତ, ସୁବାସିନୀ ରାଉତଙ୍କ ପାଇଖାନା ୨୦ ଫୁଟ ତଳକୁ ଦବି ଯାଇଥିବାବେଳେ ସେହି ସ୍ଥାନରେ ଥିବା ବଡ ବଡ ଗଛଗୁଡିକ ଦବିଯାଇ ଓଲଟି ପଡିଲାଣି। ବିଶେଷ କରି ବାସଗୃହର ଭାଙ୍ଗି ଯାଇଥିବା ବିଜୟ ସାମଲଙ୍କ ପରିବାର ୨ ବର୍ଷ ହେବ ଦୌଡି ଦୌଡି ନୟାନ୍ତ ହୋଇ ପଡିଛନ୍ତି। ସେମାନଙ୍କ ପ୍ରତି ବିଭାଗୀୟ ଅଧିକାରୀମାନେ ଯେପରି ମୁକ ବଧିର ପାଲଟିଛନ୍ତି। ଏହାର ପ୍ରତିକାର ଦାବିରେ ଆସନ୍ତା ୧ ତାରିଖ ଶାଳପଡାସ୍ଥିତ ସ୍ଥିତ ବୈତରଣୀ ଡିଭିଜନ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ବୈତରଣୀ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଓ ବିଦ୍ୟାଧରପୁର ବ୍ୟାରେଜ ଡିଭଜନ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଉପରୋକ୍ତ ଘଟଣା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *