ସାଳନ୍ଦୀ ନଦୀରୁ ଗଳିତ ଶବ ଉଦ୍ଧାର, ୫ଦିନ ହେଲା ଥିଲେ ନିଖୋଜ, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ

ହାଟଡ଼ିହି-୩୧/୮, (ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋଥାନା ଅଧିନସ୍ଥ ସାଳନ୍ଦୀ ନଦୀର ନିଉଦାନୀ ଘାଟ ନିକଟରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି । ନଦୀରେ ଶବଟିଏ ଭାଷୁଥିବା ସ୍ଥାନୀୟ ଲୋକମାନେ ଦେଖି ସୋସୋ ପୁଲିସ କୁ ଜଣାଇବାପରେ ସୋସୋ ପୁଲିସ ଦମକଳ ବାହିନୀ ସହଯୋଗରେ ଶବକୁ ଉଦ୍ଧାର କରିଛି । ଶବଟି ବାଲିବରେଇ ଗ୍ରାମର ଅବନୀ ମହାନ୍ତିଙ୍କ ବୋଲି ଚିହ୍ନଟ କରାଯାଇଛି । ସେ ଗତ ୫ଦିନ ହେଲା ନିଖୋଜ ଥିଲେ । ଅବନୀଙ୍କ ସ୍ତ୍ରୀ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲିି ଅଭିଯୋଗ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବିଦ୍ୟାଧରପୁର କାନପୁର ରାସ୍ତା ଅବରୋଧ କରିଥିଲେ ।
ଖବରରୁ ଜଣାଯାଇଛି ଯେ ବାଲିବରେଇ ଗ୍ରାମର ଅବନୀ ମହାନ୍ତି ସଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରୁ ବିବାହ କରିଥିଲେ । ତାଙ୍କର ପରିବାର ଭିତରେ ବିବାଦ ଲାଗିରହିବାରୁ ଅବନୀଙ୍କ ସ୍ତ୍ରୀ ବାପଘର ମିଠିଗାଁରେ ଛୁଆପିଲାଙ୍କ ସହ ରହୁଥିବାବେଳେ ଅବନୀ କେତେବେଳେ ମିଠିଗାଁ ତ ଆଉ କେତେବେଳେ ବାଲିବରେଇରେ ରହୁଥିଲେ । ଗତ ୫ଦିନ ହେଲା ତାଙ୍କର କୌଣସି ଖୋଜଖବର ନଥିଲା । ମାତ୍ର ସାଳନ୍ଦୀ ନଦୀରେ ଆଜି ଏକ ଶବ ଭାଷୁଥିବାଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଦମକଳ ବାହିନୀ ସହଯୋଗରେ ଶବଟିକୁ ଉଦ୍ଧାର କରିବାପରେ ଏହା ବାଲିବରେଇ ଗ୍ରାମର ଅବନୀଙ୍କ ଶବ ବୋଲି ଜଣାପଡିବାପରେ ତାଙ୍କ ସ୍ତ୍ରୀ ପହଞ୍ଚି ଶବଟିକୁ ଚିହ୍ନଟ କରିଥିଲେ । ଅବନୀଙ୍କ ପତ୍ନୀ ଶକୁନ୍ତଳା ମହାନ୍ତିଙ୍କ ଅଭିଯୋଗ ଯେ ସେ ୨୦୦୯ରେ ଅବନୀଙ୍କୁ ବିବାହ କରିଥିଲେ ମଧ୍ୟ ଅବନୀଙ୍କ ଭାଇ ଓ ଭାଉଜ ନିୟମିତ ପାଟୁତୁଣ୍ଡ କରି ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏନେଇ କୋର୍ଟରେ ମାମଲା ଚାଲିଛି । କିଛିଦିନ ତଳେ ଧାରଟଙ୍କା ପାଇଁ ପାଟିତୁଣ୍ଡ ହେବାରୁ ଅବନୀଙ୍କୁ ଭାଇ ନିରାକାର ମହାନ୍ତି ଓ ଭାଉଜ ମାରିଦେଇ ନଦୀରେ ଭଷାଇ ଦେଇଛନ୍ତି ବୋଲି ସୋସୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରିଛି । ପୁଲିସ ଶବ ବ୍ୟବଚ୍ଛେଦ କରିବାପାଇଁ ଆନନ୍ଦପୁରରୁ ଗାଡି ଡକାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବସିଥିବାବେଳେ ଅବନୀଙ୍କ ସ୍ତ୍ରୀ ଓ ତାଙ୍କ ସମ୍ପର୍କୀୟମାନେ ଶବଟିକୁ ଛାଡି ନଥିଲେ । ଅଭିଯୁକ୍ତ ନିରାକାର ମହାନ୍ତି ଓ ତାଙ୍କ ଭାଉଜଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରି ରାସ୍ତାରେ ଟାୟାରଜାଳି ଶହଶହ ଲୋକ ରାସ୍ତା ଅବରୋଧ କରି ବସିରହିଥିଲେ । ଫଳରେ ବିଦ୍ୟାଧରପୁର କାନପୁର ରାସ୍ତାରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ସୋସୋ ଥାନା ଆଇଆଇସି ମୁକ୍ତି କୁମାର କୁଲୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା ।

Leave a Reply

Your email address will not be published. Required fields are marked *