ଓଡ଼ିଶା

ସାଳନ୍ଦୀ ଜଳସେଚନ ବିଭାଜନର ଏସ୍ଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ ସମୁଦାୟ ୧ କୋଟି ୪୬ ଲକ୍ଷ ୬୨ ହଜାର ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଆକଳନ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆୟ ବର୍ହିଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଜନର ଏସ୍ଡିଓ କମଳାକାନ୍ତ ବେହେରାଙ୍କ ପୈତୃକ ଘର ସମେତ ଶ୍ୱଶୁରଘର, ସରକାରୀ କାର୍ଯ୍ୟାଳୟ ଓ ସେ ରହୁଥିବା ମଠସାହିସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଏହି ଚଢାଉରେ ତାଙ୍କର ସମୁଦାୟ ୧ କୋଟି ୪୬ ଲକ୍ଷ ୬୨ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଥିବାର ଆକଳନ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଇଂ ଶ୍ରୀ ବେହେରା ନିଜ ଚାକିରୀ କାଳ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏସ୍ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ମିଶ୍ କେଶ୍ ମୂଳେ ଏହି ଚଢାଉ ଆରମ୍ଭ ହୋଇଥିଲା। ଆଜି ପ୍ରାତଃ ୬ଟାରୁ ବାଲେଶ୍ୱର ଭିଜିଲାନ୍ସ ୟୁନିଟ୍ର ଡିଏସ୍ପି ସନ୍ତୋଷ କୁମାର ସାମନ୍ତରାୟ, ବାରିପଦାର ସଂଜୟ କୁମାର ଦାସ ମହାପାତ୍ର ଓ ମାଙ୍ଗରା ଖୁଜରୁ ପ୍ରମୁଖଙ୍କ ନେତୃତ୍ୱରେ ଶ୍ରୀ ବେହେରାଙ୍କର ଭଦ୍ରକ ମଠସାହିସ୍ଥିତ ବାସଭବନ, ବାଇପାସ୍ରେ ଥିବା ସରକାରୀ କାର୍ଯ୍ୟାଳୟ, ମୟୁରଭଂଜର ମୋରଡାରେ ଥିବା ଶ୍ୱଶୁରଘର ଏବଂ ଭଦ୍ରକର ରାହାଞ୍ଜରେ ଥିବା ପୈତୃକ ଗୃହ ଉପରେ ଏକକାଳୀନ ଚଢାଉ ହୋଇଥିଲା। ଏହି ଚଢାଉ କାଳରେ ତାଙ୍କର ମଠସାହିରେ ୪ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ଲଟ୍ ଓ ୫୨ ଲକ୍ଷ ୯୧ ହଜାର ଟଙ୍କାର ଏକ ଦୁଇତାଲା ବିଶିଷ୍ଟ କୋଠା, ଚାନ୍ଦବାଲିରେ ୧ ଲକ୍ଷ ୧୦ ହଜାର ଟଙ୍କାର ଏକ ପ୍ଲଟ୍, ଭୁବନେଶ୍ୱରରେ ୨୯ ହଜାର ଟଙ୍କାର ଏକ ପ୍ଲଟ୍, ରାହାଞ୍ଜରେ ୬୫ ହଜାର ଟଙ୍କାର ଏକ ପ୍ଲଟ୍, ୬ ଲକ୍ଷ ୩୩ ହଜାର ଏକ ମାରୁତି ସୁଇଫ୍ଟ ଡିଜାୟର କାର୍, ୫୫ ହଜାର ଟଙ୍କାର ୟାମା ମୋଟର ସାଇକେଲ୍, ୫୪ ହଜାର ଟଙ୍କା ଟିଭିଏସ୍ ଜୁପିଟର ବାଇକ୍, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୧ ଲକ୍ଷ ୫୯ ହଜାର ଟଙ୍କା, ୩୭ ଲକ୍ଷ ୯୦ ହଜାର ୫୭୯ ଟଙ୍କାର ଏଲ୍ଆଇସି ପଲିସି, ନଗଦ ୩୮ ହଜାର ଟଙ୍କା, ୨୦ ହଜାର ୧୯୦ ଟଙ୍କାର ରୂପା ଓ ୨୨ ଲକ୍ଷ ୭୬ ହଜାର ୮୦୦ ଟଙ୍କାର ସୁନା ଅଳଙ୍କାର, ୫ ଲକ୍ଷ ୩୫ ହଜାର ଟଙ୍କା ଇଲେକ୍ଟ୍ରୋନିକ୍ ସାମଗ୍ରୀ, ୧ ଲକ୍ଷ ୧୬ ହଜାର ଟଙ୍କାର ଘରୋଇ ଉପକରଣ ଓ ୩୯ ହଜାର ଟଙ୍କା ଫର୍ଣ୍ଣିଚର ବାବଦ ସମୁଦାୟ ୧ କୋଟି ୪୬ ଲକ୍ଷ ୬୨ ହଜାର ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଥିବାର ଆକଳନ କରାଯାଇଛି। ଆଜିର ଏହି ଚଢାଉରେ ଭିଜିଲାନ୍ସ ବିଭାଗର ବହୁ ଅଧିକାରୀ ସାମିଲ୍ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top