ସାଳନ୍ଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଚାନ୍ଦବାଲି ସାଳନ୍ଦୀ ନଦୀର ପ୍ରଥମବନ୍ୟା ଜଳରେ ୫ପଂଚାୟତ ଜଳବନ୍ଦୀ। ହଜାର ହଜାର ହେକ୍ଟର ଚାଷ ଜମି ଉଜୁଡିଯାଇଛି। ଚଳିତ ଲଘୁଚାପ ଜନିତ ବର୍ଷା ଛାଡି ଯାଇଥିବା ବେଳେ ବୈତରଣୀ ବନ୍ୟା ପରେ ସାଳନ୍ଦୀ ନଦୀରେ ପ୍ରଥମ ବନ୍ୟା ଜଳ ଚାନ୍ଦବାଲି ବ୍ଲକର ୫ଗୋଟି ପଂଚାୟତର ଲୋକଙ୍କୁ ଜଳବନ୍ଦୀ କରିଛି। ମାଧପୁର, ଘଟପୁର, ଭୂଇଁବୃତି, ତେନ୍ତୁଳିଡିହ ଏବଂ ତିହିଡି ବ୍ଲକର ଗୋବିନ୍ଦ ପୁର ପଂଚାୟତ ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଲଘୁଚାପ ଜନିତ ବର୍ଷାରେ ସ୍ଥାନୀୟ ଅଂଚଳରେ ଥିବା ହଜାର ହଜାର ହେକ୍ଟର ଚାଷ ଜମିରେ ୪ଫୁଟରୁ ଉର୍ଦ୍ଧ ବର୍ଷା ଜଳ ଭର୍ତି ହୋଇ ରହିଥିବା ବେଳେ ସାଳନ୍ଦୀର ବନ୍ୟାଜଳ ପରିସ୍ଥିତିକୁ ଆହୁରୀ ସଙ୍ଗୀନ କରିଛି। ଏଥିସହ ମାଧପୁର-ଘଟପୁର ମୁଖ୍ୟ ରାସ୍ତାରେ ୩ଫୁଟ ଉଚ୍ଚତାରେ ପାଣି ଚାଲୁଥିବା ବେଳେ ଯୋଗାଯୋଗ ସଂପୂର୍ଣ ବିଛିନ୍ନ ହୋଇଛି ଏଥିସହିତ ମତୋ- ଆରଡି ରାସ୍ତା ଉପରେ ୨ଫୁଟର ବନ୍ୟା ଜଳ ପ୍ରବେଶ କରିଛି। ଧାନ ଖଣିଆ, ଗରିପୁର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଆଣଣ୍ଠୁଏ ପାଣି ଚାଲୁଥିବା ବେଳେ ଭୂଇଁବୃତି ପଂଚାୟତ ବହଡିହ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି। ତେବେ ଚଳିତ ପ୍ରଥମ ବନ୍ୟାରେ ମାଧ ପୁର ପଂଚାୟତର ସମସ୍ତ ଗ୍ରାମକୁ ନିର୍ମାଣ ହୋଇଥିବା ଗ୍ରାମ୍ୟ ରାସ୍ତା ଗୁଡିକ ଉପରେ ୨ଫୁଟର ପାଣି ପ୍ରବାହ ରହିଛି। ପୋଖରୀ, ଏବଂ ଚାଷ ଜମି ର ସ୍ଥିତି ଜାଣିବା ଅସମ୍ଭବ ହୋଇ ପଡିଛି। ସାଳନ୍ଦୀ ନଦୀର ବନ୍ୟାରେ ବିଭିନ୍ନ ବିଷଧର ସାପ ସହିତ କୁମ୍ଭୀରର ଭୟ ସ୍ଥାନୀୟ ଲୋକଙ୍କୁ ଘାରିଛି। ତେବେ ଏ ଦିଗରେ ଚାନ୍ଦବାଲି ତହସିଲଦାର ଘଟଣା ସ୍ଥଳରେ ପହଂଚି ସ୍ଥିତି ଆକଳନ କରିଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ ସଜାଗ ଥିବା ବେଳେ ଖାଲୁଆ ଅଂଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ବୋଟ ବ୍ୟବସ୍ଥା କରିଛନ୍ତି। ଅପରାହ୍ଣରେ ସହକାରୀ ବିଡିଓ ସତ୍ୟରଞନ ସେଠୀ ପହଂଚି ସ୍ଥିତି ପରକ୍ଷି ଛନ୍ତି। ବିପନ୍ନ ଲୋକ ମାନଙ୍କୁ ଉଦ୍ଧାର ପାଇଁ ମାଧପୁର ପଂଚାୟତ ସରପଂଚ ସବିତା ବିଶ୍ୱାଳ, ଘଟପୁର ପଂଚାୟତ ସରପଂଚ ସରୋଜ ବଳ, ଯୁବନେତା ରାକେଶ ନାୟକ, ମିନକେତନ ବିଶ୍ୱାଳ ପ୍ରମୁଖ ସ୍ଥାନୀୟ ଅଂଚଳରେ ଚାଷୀ ମାନଙ୍କର ହୋଇଥିବା କ୍ଷୟକ୍ଷତିକୁ ଆକଳନ କରିବା ସହିତ ବିପନ୍ନ ଲୋକ ମାନଙ୍କୁ ଉଦ୍ଧାର କରି ବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *