ସାଲେପୁର ନାବାଳିକା ଦୁଷ୍କର୍ମ ପୀଡିତାର ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀଦଳ ସାଲେପୁର ପୀଡିତାର ମୃତ୍ୟୁ ପାଇଁ ରାଜ୍ୟ ସରକାର ହିଁ ଦାୟୀ: ବିଜେପି

– ରାଜ୍ୟ ସରକାର ନିଷ୍କ୍ରିୟତା ଏବଂ ସମ୍ବେଦନହୀନତାର ପ୍ରମାଣ ଦେଇଛନ୍ତି
– କେନ୍ଦ୍ର ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବଦ୍ଧ ପରିକର
– ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣରୁ ରାଜ୍ୟରେ ଦିନକୁ ଦିନ ନାବାଳିକା ମାନଙ୍କ ପ୍ରତି ଦୁଷ୍କର୍ମ ବଢିବାରେ ଲାଗିଛି

ଭୁବନେଶ୍ୱର, ତା.୩୦/୦୪ (ଓଡ଼ିଆ ପୁଅ) : ସାଲେପୁର ନାବାଳିକା ପୀଡିତା ଜୀବନ ସହ ସଂଗ୍ରାମ କରି ଶେଷରେ ମୃତ୍ୟୁ ବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜି ମାହାଙ୍ଗାର ଜଗନ୍ନାଥପୁରଠାରେ ସାଲେପୁର ନାବାଳିକା ପୀଡିତା ପରିବାରଙ୍କୁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ବିଜେପି ପ୍ରତିନିଧିଦଳ ପୀଡିତା ପରିବାରର ମା’, ଅଜା ଏବଂ ବଡ ଭଉଣୀ ସହ ଆଲୋଚନା କରିଛନ୍ତି। ଏହି ଘଟଣାରେ ମୃତ ପୀଡିତାର ପରିବାର ସମସ୍ତ ସଦସ୍ୟ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି। ଏପରିକି ସେମାନେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ସାରିଛନ୍ତି ବୋଲି ପୀଡିତାର ପରିବାର ବର୍ଗ ପ୍ରତିନିଧିଦଳକୁ ଜଣାଇଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଗତ ୭ ଦିନ ମଧ୍ୟରେ ୧୦ ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣରୁ ରାଜ୍ୟରେ ଦିନକୁ ଦିନ ନାବାଳିକା ମାନଙ୍କ ପ୍ରତି ଦୁଷ୍କର୍ମ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସାରା ରାଜ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ମହିଳା ଏବଂ ନାବାଳିକାମାନେ ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ରାଜ୍ୟରେ ଶାସକ ବିଜେଡି ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ। ଶାସକ ବିଜେଡି କେବଳ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ହୀନ ରାଜନୀତି କରୁଛି। ପୀଡିତାର ଘରଠୁ ପ୍ରାୟ କିଛି ଦୂରରେ ଏକ ସାଧାରଣ ସଭାରେ ନବନିର୍ବାଚିତ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ବି ପୀଡିତାର ଘରକୁ ଯାଇନଥିଲେ। ଏହି ଘଟଣାରେ ଶାସକ ବିଜେଡି ନିଷ୍କ୍ରିୟତା ଏବଂ ସମ୍ବେଦନହୀନତାର ପ୍ରମାଣ ଦେଇଛି। ଏହି ସରକାର ନା ସୁରକ୍ଷା ଯୋଗାଇ ପାରୁଛି ନା କି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା। ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବିଭାଗ ଫେଲ୍ ମାରିଛି।

କେନ୍ଦ୍ର ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବଦ୍ଧ ପରିକର। ଏପରିକି କେନ୍ଦ୍ର ସରକାର ପୋକ୍ସ ଆକ୍ଟରେ ନାବାଳିକା ଦୁଷ୍କର୍ମ ଅପରାଧୀ ପାଇଁ ଫାଶୀ ଅଧ୍ୟାଦେଶ ଆଣିଛନ୍ତି। ସବୁଠୁ ବଡ କଥା ହେଉଛି ଅପରାଧୀ ପାଇଁ ଆଇନ ରହିଛି କିନ୍ତୁ ପ୍ରମାଣ ସହ ଅପରାଧୀକୁ ଧରିବା ରାଜ୍ୟ ସରକାରଙ୍କ କାମ। କିନ୍ତୁ ଅପରାଧୀକୁ ଧରିବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ପ୍ରତିନିଧୀ ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ପିଙ୍କି ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଏହା ବ୍ୟତୀତ କଟକ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ଶାରଦା ପ୍ରଧାନ, ସମୀର ସାମଲ, ଜାଜ୍ଞସେନୀ ଜେନାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ସଂଧ୍ୟାରେ ସ୍ୱର୍ଗତ ପୀଡିତା ଆତ୍ମାର ସଦ୍ଗତି ନିମନ୍ତେ ନିଶ୍ଚିତ କୋଇଲିଠାରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଥିଲା।

Leave a Reply

Your email address will not be published. Required fields are marked *