ସାର ସଂକଟରୁ ଚାଷୀ ଚିନ୍ତାରେ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଚଳିତବର୍ଷ ବିଳମ୍ବରେ ପାଣି ଲାଗିବା ଯୋଗୁଁ ଚାଷ କାର୍ଯ୍ୟ ପଛେଇ ଯାଇଥିବାବେଳେ ଚାଷୀଙ୍କୁ ସାର ଚିନ୍ତା ଏବେ ଘାରିଛି। ପଛୁଆ ଚାଷକୁ ଆଗେଇ ନେବା ସକାଶେ ଚାଷୀମାନେ ଏବେ ପର୍ଯ୍ୟାପ୍ତ ପରିମାଣର ତଳି ସାରର ଆବଶ୍ୟକ କରୁଥିବାବେଳେ ଆବଶ୍ୟକ ମତେ ଚାଷୀଙ୍କୁ ତଳି ସାର ମିଳୁନାହିଁ। ଫଳରେ ଚାଷୀକୂଳ ଚିନ୍ତାରେ ପଡିଛନ୍ତି। ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଜିଲାକୁ ଧାର୍ଯ୍ୟଲକ୍ଷ୍ୟର ମାତ୍ର ୩୫ ପ୍ରତିଶତ ସାର ଯୋଗାଣ ହୋଇଥିବା ବେଳେ ସେଥିରୁ ତଳିସାର ପରିମାଣ ନଗଣ୍ୟ କୁହାଯାଉଛି। ତଳିସାରରର ଏହି ନିଅଣ୍ଟିଆ ପରିସ୍ଥିତିର ଅସାଧୁ ସାର ବ୍ୟବସାୟୀ ଫାଇଦା ନେଉଛନ୍ତି। ଜିଲାରେ ତଳି ସାର ଯୋଗାଣ କ୍ଷେତ୍ରରେ ଏହି ଧରଣର ଅବ୍ୟବସ୍ଥା ଲାଗି ରହିଥିବାବେଳେ ଜିଲା କୃଷି ବିଭାଗ ପାଖରେ ଗତ ଏକମାସ ହେଲା ସାର ଯୋଗାଣ ସଂପର୍କିତ କୌଣସି ତଥ୍ୟ ନାହିଁ। ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଚଳିତବର୍ଷ ଭଦ୍ରକ ଜିଲାରେ ମୋଟ ୪୬ ହଜାର ଏକଶହ ମେଟି୍ରକ୍ ଟନ୍ ସାର ବ୍ୟବହାର ସକାଶେ ଲକ୍ଷ ଧାର୍ଯ୍ୟ କରାଯାଇଥିବାବେଳେ ଗତ ଜୁନ୍ ମାସ ସୁଦ୍ଧା ଜିଲାକୁ ଧାର୍ଯ୍ୟଲକ୍ଷ୍ୟର ମାତ୍ର ୩୫ ପ୍ରତିଶତ ସାର ଯୋଗାଣ ହୋଇଛି। ଚଳିତବର୍ଷ ତଳିସାର ଭାବେ ୧୨ ହଜାର ମେଟି୍ରକ୍ ଟନ୍ ଡିଏପି, ୬ ହଜାର ମେଟି୍ରକ୍ ଟନ୍ ଏମ୍ଓପି ଏବଂ ୧୭ ହଜାର ମେଟି୍ରକ୍ ଟନ୍ ୟୁରିଆ ବ୍ୟବହାର ସକାଶେ ଲକ୍ଷଧାର୍ଯ୍ୟ ରଖାଯାଇଥିବାବେଳ ଗତ ଜୁନ୍ ମାସ ସୁଦ୍ଧା ସେଥିରୁ ମାତ୍ର ୯୪୧ ମେଟି୍ରକ୍ ଟନ୍ ଡିଏପି, ୩୦୧ ମେଟି୍ରକ୍ ଟନ୍ ଏମ୍ଓପି ଏବଂ ୭ ହଜାର ୭ ଶହ ମେଟି୍ରକ୍ ଟନ୍ ୟୁରିଆ ଯୋଗାଣ ହୋଇଛି। ଏହାପରେ ଗତ ପ୍ରାୟ ଏକମାସ ମଧ୍ୟରେ ଜିଲାକୁ ଆଉ କେତେ ସାର ଆସିଛି ତାର କୌଣସି ତଥ୍ୟ ଜିଲା କୃଷି ବିଭାଗ ପାଖରେ ନାହିଁ। ତେବେ ଏ ବାବଦରେ ଅପଡେଟ୍ ସୂଚନା ଦେବାକୁ ଯାଇ କର୍ତ୍ତୃପକ୍ଷ କହିଛନ୍ତି ଯେ ଏବେ ବିଭିନ୍ନ ସାର କଂପାନୀର ର୍ୟାକ୍ ଲାଗିଥିବା ଯୋଗୁଁ ଏନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ଗୋଟିଏ ପଟରେ ଏବେ କୃଷିକାର୍ଯ୍ୟ ସକାଶେ ସାର ନିହାତି ଅପରିହାର୍ଯ୍ୟ ହୋଇଥିବାବେଳେ ଜିଲା କୃଷି ବିଭାଗ ଏଥିପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ଏବଂ କେବଳ ବିଭିନ୍ନ ସାର କଂପାନୀମାନଙ୍କ ତଥ୍ୟକୁ ଆଧାର କରି ଜିଲାରେ ସାର ପରିଚାଳନା କରିବା ଚାଷୀଙ୍କୁ ହତାସ କରିଛି। ସାର କଂପାନୀଙ୍କ ଠାରୁ ଜିଲାପାଇଁ ସାର ଆଣୁଥିବା ହୋଲସେଲର ଏବଂ ଚାଷୀଙ୍କୁ ସାର ବିତରଣ କରୁଥିବା ପ୍ରାଇଭେଟ୍ ରିଟେଲରଙ୍କ ଗତିବିଧି ଉପରେ ନଜର ନରଖିବା ଯୋଗୁଁ ଜିଲାକୁ ପର୍ଯ୍ୟାପ୍ତ ସାର ଯୋଗାଣ ହୋଇ ମଧ୍ୟ ଏହାର ସୁଷମ ବଣ୍ଟନ ହୋଇପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *