ସାରଳା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି

ତିର୍ତ୍ତୋଲ ୨୮/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଆଦିକବି ସାରଳାଦାସ ସମାଧିପୀଠ ଠାରେ ଆୟୋଜିତ ଶ୍ରାଦ୍ଧ ସଭାରେ ଓଡ଼ିଆ ଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ସାରଳାଦାସ ରଚନା କରିଥିବା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିକରିପାରିଛିବୋଲି ବକ୍ତାମାନ ମତପ୍ରକାଶ କରିଥିଲେ। ମା ଶାରଳା ମହିମା ପ୍ରଚାର ଟ୍ରଷ୍ଟ ପକ୍ଷରୁ ଡ଼ାଃ ଅମରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସକ ଡ଼. ଅଲେଖ ଚନ୍ଦ୍ର ପଢ଼ିଆରୀ, ମୁଖ୍ୟବକ୍ତା ଭାବେ ରେଭେନସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ସଂଜୟ ଶତପଥି, ସମ୍ମାନୀତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, କବି ରମାକାନ୍ତ ଜେନା, ସାହିତ୍ୟିକ ଆଜାଦ ହିନ୍ଦି ପାଣିଗ୍ରାହୀ, ସମାଜ ସେବୀ ନାରାୟଣ ପ୍ରସାଦ ରାଉଳ, ରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ କବିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ନାଟ୍ୟକାର ଡ଼ଃ ବିଜୟ ଶତପଥିଙ୍କ ରଚିତ “କୋକୁଆ” ନାଟ୍ୟପୁସ୍ତକର ଲୋକାର୍ପଣ କରାଯାଇଥିଲା। ପ୍ରାରମ୍ଭରେ ଉପଦେଷ୍ଟା ଆଡ଼ଭୋକେଟ୍ ଦେବସ୍ନାନ ଦାସ ସ୍ୱାଗତ ଭାଷଣ ଓ ସମ୍ପାଦକ ଅମରଜ୍ୟୋତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ମହାଭାରତ ପାରାୟଣ କବିଙ୍କ ପ୍ରତିମୃତ୍ତି ଓ ସ୍ମୃତି ସ୍ୱମ୍ଭରେ ମାଲ୍ୟାର୍ପଣ, ଶ୍ରାଦ୍ଧଭୋଜି ଓ ପାଲା ପରିବେଷଣ କରାଯାଇଥିଲା। ସେହିପରି କବିଙ୍କ ଜନ୍ମପୀଠ କାଳିନାଗ ଗ୍ରାମରେ ଆଦିକବି ପ୍ରତିଷ୍ଠାନ ପକ୍ଷରୁ କବିଙ୍କ ସ୍ମୃତିଚାରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *