ତିର୍ତ୍ତୋଲ ୦୬/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ କଟକ – ପାରାଦ୍ୱୀପ ରାସ୍ତାର ସାରଳାରୋଡ଼ଠାରେ ନିର୍ମାଣ କରାଯାଇଥିବା ମାର୍କେଟ୍ କମ୍ପ୍ଲକ୍ସ ଗୃହ କାମରେ ଆସୁନଥିବାବେଳେ ପଞ୍ଚାୟତର ରାଜସ୍ୱ ହରାଉଥିବା ଦେଖାଯାଇଛି। ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ବେକାରୀଙ୍କୁ ଆତ୍ମନିର୍ଭରଶୀଳ କରିବା ସାଙ୍ଗକୁ ପଞ୍ଚାୟତର ଆୟ ବୃଦ୍ଧିପାଇଁ ସରକାରୀ ଯୋଜନାରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ହେଲେ ଏହି ଯୋଜନାରେ ଗୃହ ନିର୍ମାଣ ସରିବା ବର୍ଷ ବର୍ଷପରେ ମଧ୍ୟ କାର୍ଯ୍ୟରେ ନଲାଗି ଭୂତକୋଠିରେ ପରିଣତ ହୋଇଛି। ଯାହାଫଳରେ ବେକାରୀ ସମସ୍ୟା ଦୂରହୋଇନପାରିବା ସହିତ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ପଞ୍ଚାୟତ। ୨୦୦୨ ମସିହାରେ ତିର୍ତ୍ତୋଲର ତତ୍କାଳୀନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କାର୍ଯ୍ୟକାଳରେ କଟକ – ପାରାଦ୍ୱିପୀ ସାରଳାରୋଡ ଛକରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ୪ ବଖରା ଛାତ ଘର ନିର୍ମାଣ କରାଯାଇଥିଲା। ୧୨ ବର୍ଷ ଧରି ଏହି ଛାତ ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାବେଳେ ବ୍ଲକ ପ୍ରଶାସନ ତରଫରୁ ୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଗୃହର ମରାମତି କାର୍ଯ୍ୟ ପୁର୍ଣ୍ଣାଙ୍ଗ କରିବାପରେ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ ଗତ ୧୯.୧୨.୨୦୧୬ ରିଖରେ ଏହି ପୂର୍ଣ୍ଣାଙ୍ଗ ଘରକୁ ଶୁଭ ଉଦ୍ଘାଟନ କରିଥିଲେ। ଉଦ୍ଘାଟନକୁ ୧୮ ମାସେ ବିତିଯାଇଥିଲେ ମଧ୍ୟ ଘରଗୁଡ଼ିକ ଆବଣ୍ଟନ କରାଯାଇନଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ଘର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ରଡ଼ ଦିଶୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟଯେ ପୂର୍ବରୁ ଏହି ମାର୍କେଟ କମ୍ପ୍ଲେକ୍ସ ଘର ତିର୍ତ୍ତୋଲ ପଞ୍ଚାୟତ ଅଧିନରେ ଥିଲା। ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ତିର୍ତ୍ତୋଲ ପଞ୍ଚାୟତରୁ ବିଭାଜନ କରାଯାଇ ନୂତନଭାବେ ତେନ୍ତୁଲିପଦା ପଞ୍ଚାୟତ ଗଠନ କରାଯାଇଥିଲା। ଏବେ ଏହି ଗୃହଗୁଡ଼ିକ ଦେଢ଼ ବର୍ଷରୁ ଉର୍ଦ୍ଧହେବ ତେନ୍ତୁଲିପଦା ପଞ୍ଚାୟତ ଅଧିନରେ ରହିଛି। ଅପରପକ୍ଷରେ ଏହି ଘର ଗୁଡ଼ିକ ଆବଣ୍ଟନ କରାଯାଇଥିଲେ ସ୍ଥାନୀୟ ଅଞ୍ଚଳ ଲୋକେ ବ୍ୟବସାୟ କରି ଆତ୍ମ ନିର୍ଭର ଶୀଳ ହେବା ସହିତ ପଞ୍ଚାୟତର ଆୟରେ ବୃଦ୍ଧି ଘଟିପାରିଥାଆନ୍ତା ବୋଲି ଆଲୋଚନା ହେଉଛି। ରାଜନୈତିକ ପଶାପାଲିରେ ଏହି ଘର ଗୁଡ଼ିକ ବନ୍ଧା ପଡ଼ିଥିବାନେଇ ସାରଳାରୋଡ଼ ବଜାରରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଏହି ମାର୍କେଟ କମ୍ପ୍ଲେକ୍ସ ଦିନରେ ସାଇକେଲ ଷ୍ଟାଣ୍ଡ ଓ ରାତିରେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।
