ସାରନଗରୀରେ ‘ଭଡ଼ାଘର’ ଦଲାଲ ସକ୍ରୀୟ!

ରାଉରକେଲା/୦୧/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଖାଦ୍ୟ, ବସ୍ତ୍ର ଓ ବାସଗୃହ ମନୁଷ୍ୟର ତିନୋଟି ପ୍ରମୁଖ ଆବଶ୍ୟକତା । ମାତ୍ର ଆର୍ଥିକ ଅନାଟନ ଅଭାବରୁ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଘର ଖଣ୍ଡିଏ ନଥିବାରୁ ସେମାନେ ପରିବାର ଧରି ଭଡାଘରେ ରହିବାକୁ ବାଧ୍ୟ ହୋଇଥାନ୍ତି । ସମୟ ସମୟରେ ସେମାନଙ୍କୁ ଘର ମାଲିକର ଜୁଲୁମ ମଧ୍ୟ ସହିବାକୁ ପଡିଥାଏ । ଯଦି ଘର ମାଲିକ ଭଡାଟିଆଙ୍କୁ କୌଣସି କାରଣରୁ ଘରୁ ବିତାଡିତ କରେ, ତେବେ ବ୍ୟକ୍ତି ଜଣଙ୍କ ଅନ୍ୟ ଘର ଭଡା ନେବା ପାଇଁ ସନ୍ଧାନ କରିଥାଏ । ଦିନକୁ ଦିନ ସାରନଗରୀରେ ଘରଭଡା ସମସ୍ୟା ଉପୁଜୁଥିବା ବେଳେ, ଏହାର ଫାଇଦା ଉଠାଉଛନ୍ତି କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ବ୍ୟକ୍ତି । ଘର ଆବଶ୍ୟକ ଥିବା ବ୍ୟକ୍ତି ମାନଙ୍କୁ ଏମାନେ ନିଜ ଜାଲରେ ଫସାଇବା ଦେଖିବାକୁ ମିଳୁଛି । କେବଳ ଘର ଦେଖାଇବା ଲାଗି ଏମାନେ ୧୦୦ରୁ ୨୦୦ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଭଡାଘର ଯୋଗାଡ କରୁଥିବା ଦଲାଲ ଜଣଙ୍କ ଟଙ୍କା ପାଇ ସାରିବା ପରେ ଧରାଛୁଆଁ ଦେଉନଥିବା ମଧ୍ୟ ସମୟ ସମୟରେ ଅଭିଯୋଗ ହେଉଛି । ସେହିପରି ଯଦି ବ୍ୟକ୍ତି ଜଣଙ୍କୁ ଘର ଖଣ୍ଡିକ ବାସୋପଯୋଗୀ ଲାଗିଲା ତେବେ ଦଲାଲ ମାନେ ଘରଭଡା ଯୋଗାଡ କରାଇବା ନାମରେ ବ୍ୟକ୍ତିଙ୍କ ଠାରୁ ହଜାରରୁ ଦୁଇ ହଜାର ଟଙ୍କା ଦାବି କରୁଥିବା ଜଣାପଡିଛି । ଏହି ଦଲାଲ ଶ୍ରେଣୀୟ ବ୍ୟକ୍ତି ମାନେ ସାରନଗରୀ ଅଂଚଳର ବିଭିନ୍ନ ଜନବହୁଳ ଅଂଚଳ ତଥା ଚା’ ଓ ପାନ ଦୋକାନରେ ନିଜର ଆସର ଜମାଇ ଭଡାଘର ବ୍ୟବସାୟନୀତି ଚଲାଉଥିବା ବେଳେ, ଅପରପକ୍ଷରେ ଭଡାଘର ନେଉଥିବା ବ୍ୟକ୍ତି ଜଣଙ୍କୁ ଏଭଳି ଧରଣର ବ୍ୟକ୍ତି ମାନଙ୍କ ଶୋଷଣର ଶୀକାର ହେବାକୁ ପଡୁଛି । ଏହି ଦଲାଲ ଶ୍ରେଣୀୟ ବ୍ୟକ୍ତି ମାନଙ୍କ ଠାରୁ ଦୂରରେ ରହିବା ପାଇଁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *