ସାମ୍ୟବାଦର ଅଗ୍ନିଶିଖା- ରାମକୃଷ୍ଣ ପତି

ଶ୍ରୀ ଲକ୍ଷ୍ମୀଧର ବେହେରା
(ତା ୧୫.୦୬.୨୦୧୮ରିଖ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ୰ ରାମକୃଷ୍ଣ ପତିଙ୍କ ୩୨ତମ ଶ୍ରାଦେ୍ଧାତ୍ସବ ଅବସରରେ ଶ୍ରଦ୍ଧାଞ୍ଜଳି)
ବ୍ରିଟିଶ୍ ଶାସନ ସମୟରେ ପଟିଆ ୧୯ ମୌଜା ପ୍ରଥମେ ପଟିଆ ରାଜାଙ୍କ ଅଧିନରେ ଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ନିଲାମରେ ନେଇ କନିକା ରାଜା ଏହାର ଜମିଦାର ଭୂମିକା ନିର୍ବାହ କଲେ। ଏଠାରେ ପଜାମାନଙ୍କଠାରୁ କର ଆଦାୟ ହେଉଥିଲେ ମଧ୍ୟ ଅଞ୍ଚଳର ବିକାଶ ପାଇଁ ରାଜା ଓ ବ୍ରିଟିଶ ସରକାର କୌଣସି ପଦକ୍ଷେପ ନେଉନଥିଲେ। ସେଥିପାଇଁ ପ୍ରଜାମାନେ ଦୁଃଖକଷ୍ଟରେ ରହି କର ଦେଇ ସର୍ବଶାନ୍ତ ହେଉଥିଲେ। ପ୍ରଜାମାନଙ୍କ ଏହି ଦୁଃଖକଷ୍ଟକୁ ଅନୁଭବ କରି ଏହାର ପ୍ରତିକାର ପାଇଁ ପ୍ରଜାମାନଙ୍କ ସହ ସାମିଲ୍ ହୋଇଥିଲେ ସାମ୍ୟବାଦୀ ନେତାଗଣ। ସେହି ସମୟରେ ୰ ଭଗବତୀ ଚରଣ ପାଣିଗ୍ରାହୀ, ୰ମୋହନ ଦାସ, ୰ ପ୍ରାଣନାଥ ପଟ୍ଟନାୟକ, ୰ ରାମକୃଷ୍ଣ ପତି ଆଦି ସ୍ୱାଧୀନଚେତା ନେତାମାନେ। କମ୍ୟୁନିଷ୍ଟ ପାର୍ଟିର ନୀତି ଓ ଆଦର୍ଶରେ ବିଶ୍ୱାସ କରି ବହୁ କଲେଜ ପଢ଼ୁଆ ଛାତ୍ର, ଯୁବକ ସାମ୍ୟବାଦୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ତନ୍ମଧ୍ୟରୁ ସ୍ୱର୍ଗତ ରାମକୃଷ୍ଣ ପତି ଥିଲେ ଅନ୍ୟତମ। ଅବିଭକ୍ତ ପୁରୀ ଜିଲ୍ଲା ଅଧୁନା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଥାନା ଅନ୍ତର୍ଗତ ବଙ୍ଗୁଆରୀ ଗ୍ରାମରେ ପ୍ରତିଷ୍ଠିତ ଶିକ୍ଷାବିତ୍ ରାୟସାହେବ ୰ଆନନ୍ଦ ଚନ୍ଦ୍ର ପତିଙ୍କ ଏକମାତ୍ର ପୁତ୍ର ସନ୍ତାନ ଥିଲେ ରାମକୃଷ୍ଣ। ପିତା ଆନନ୍ଦ ଚନ୍ଦ୍ର ୧୨୦ ଏକର ଜମିର ମାଲିକ ଥିଲେ। ନିଜ ଉଜ୍ଜ୍ୱଳ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଛାତ୍ର ଜୀବନରୁ ସାମ୍ୟବାଦୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ରାମକୃଷ୍ଣ କଲେଜ ଜୀବନରେ ଅଖିଳ ଭାରତୀୟ ଛାତ୍ରସଂଘର ସଭ୍ୟଭୁକ୍ତ ହୋଇ ଛାତ୍ରସଂଗଠନ ମାଧ୍ୟମରେ ସାମ୍ୟବାଦୀ ବିିଚାରଧାରାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟକଲେ। ଯାହାଫଳରେ ବ୍ରିଟିଶ୍ ସରକାରର କୋପଦୃଷ୍ଟିରେ ପଡ଼ି ଆନ୍ଦୋଳନରେ ସାମିଲ୍ ହୋଇ ସେ ବହୁବାର ପୋଲିସର ନିର୍ମମ ଲାଠିମାଡର ଶିକାର ହେବା ସଙ୍ଗେସଙ୍ଗେ ବହୁବାର ଗିରଫ ହୋଇ ଅକଥନୀୟ ନିର୍ଯାତନା ଭୋଗ କରିଥିଲେ। ପିତାଙ୍କର କ୍ରମାଗତ ଆଦେଶ ଓ ନିର୍ଦ୍ଦେଶ ତାଙ୍କୁ ସାମ୍ୟବାଦୀ ଆନ୍ଦୋଳନରୁ ବିଚ୍ୟୁତ କରିପାରିଲା ନାହିଁ। ପରିଶେଷରେ ପରିସ୍ଥିତି ଏମିତି ହେଲା ଏକମାତ୍ର ପୁତ୍ର ହୋଇମଧ୍ୟ ସେ ପିତାଙ୍କ ଦ୍ୱାରା ତେଜ୍ୟପୁତ୍ର ହେଲେ। ବର୍ତ୍ତମାନ କ୍ଷମତାପାଇଁ କିଛିଲୋକ ରାଜନୀତିରେ ସାମିଲ୍ ହୋଇ ମନ୍ତ୍ରୀ, ବିଧାୟକ ଭାବେ ବିଳାସମୟ ଜୀବନ ଯାପନ କରୁଥିବାବେଳେ ରାମକୃଷ୍ଣ ଥିଲେ ତା’ର ବ୍ୟତିକ୍ରମ। ଐତିହ୍ୟ ସମ୍ପନ୍ନ ପଟିଆ ଅଞ୍ଚଳର ପ୍ରଜାମାନଙ୍କ ଦୁଃଖ ଲାଘବ ପାଇଁ ସେ ପଟିଆକୁ ନିଜର କର୍ମଭୂମି ଭାବେ ବାଛିନେଲେ। ଦିନରେ ପୋଲିସ୍ କବଳରୁ ସୁରକ୍ଷା ପାଇଁ ଆତ୍ମଗୋପନ କରୁଥିବା ବେଳେ ରାତିରେ ଛଦ୍ମବେଶରେ ଗାଁ ଗାଁ ବୁଲି ପ୍ରଜାମେଳି କରୁଥିଲେ। ଜରିପାଟଣା, ବରିମୁଣ୍ଡ, କଲ୍ୟାଣପୁର, ଗଣ୍ଡରପୁର, ବାଲିପଡ଼ା, ଇଞ୍ଜଣା, କଳାରାହାଙ୍ଗ, ପଟିଆ, ଟାଙ୍ଗିବନ୍ତ, ରଘୁନାଥପୁର, ବାରଙ୍ଗ ଆଦି ଗ୍ରାମମାନଙ୍କରେ ତାଙ୍କ ଉଦ୍ୟମରେ କମ୍ୟୁନିଷ୍ଟ ଦଳ ଏକକ ଦଳ ଭାବେ ପ୍ରତିଷ୍ଠିତ ହୋଇ ପ୍ରତି ପରିବାର ସଦସ୍ୟଙ୍କୁ ସାମ୍ୟବାଦୀ ଆନ୍ଦୋଳନରେ ସାମିଲ୍ ହୋଇପାରିଥିଲା। ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ୰ ବୈଦ୍ୟନାଥ ରଥ, ୰ ବୈରାଗୀ ଜେନା ଆଦି ସାମ୍ୟବାଦୀ ଯୁବକମାନେ। ସେତେବେଳେ ନଦୀରେ ବନ୍ଧ ନଥିବାରୁ ବନ୍ୟା ଓ ବର୍ଷାଜଳ ପ୍ରକୋପରେ ପଟିଆ ୧୯ ଖଣ୍ଡ ମୌଜାର ଚାଷଜମି ଜଳପ୍ଲାବିତ ହୋଇ ଫସଲ ହାନି ହେଉଥିଲା। ନଦୀବନ୍ଧ ନିର୍ମାଣ ପାଇଁ ରାଜା ବା ବ୍ରିଟିଶ ସରକାର କୌଣସି ପଦକ୍ଷେପ ନ ନେବାରୁ ରାମକୃଷ୍ଣ ବାବୁ ଲୋକମାନଙ୍କୁ ସଂଗଠିତ କରି ପଟିଆ ବନ୍ଧ ବାନ୍ଧିବା ପାଇଁ ସଙ୍କଳ୍ପ ନେଲେ। ୧୯ଖଣ୍ଡ ମୌଜାର ଲୋକଙ୍କୁ ଏକତ୍ରିତ କରି ନିଜେ ସେମାନଙ୍କ ସହ ମିଶି ଐତିହାସିକ ପଟିଆବନ୍ଧ ନିର୍ମାଣ କଲେ। ଯାହାଫଳରେ ୧୯ଖଣ୍ଡ ମୌଜା ବନ୍ୟା ଦାଉରୁ ରକ୍ଷା ପାଇଲା ଓ ଲୋକେ ଚାଷବାସ କରିବାର ସୁଯୋଗ ପାଇଲେ। ଏହି ଘଟଣା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି।

ନିରବଚ୍ଛିନ୍ନ ଭାବରେ ସାମ୍ୟବାଦୀ ଚିନ୍ତାଧାରାରେ ରାଜ୍ୟର କୃଷକ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରି ଏକ ଶ୍ରେଣୀବିହୀନ ସମାଜ ଗଠନ ପାଇଁ ସେ ଆଜୀବନ ସଂଘର୍ଷ କରିବା ଭିତରେ ୧୯୮୦ ମସିହାରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ କମ୍ୟୁନିଷ୍ଟ ପାର୍ଟିରୁ ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ଦକ୍ଷ ବିଧାୟକ ଭାବରେ ରାଜ୍ୟର ଶ୍ରମିକ ଓ କୃଷମାନଙ୍କର ସମସ୍ୟା ସହ ବିିଭିନ୍ନ ପ୍ରସଙ୍ଗକୁ ଦକ୍ଷତାର ସହ ବିଧାନସଭାରେ ଉପସ୍ଥାପନ କରି ନିଜକୁ ଜଣେ ଦକ୍ଷ ବିଧାୟକ ଭାବେ ପ୍ରତିପାଦିତ କରିପାରିଥିଲେ।

ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ବହୁ ନେତୃବୃନ୍ଦ ପରବର୍ତ୍ତୀ ଅବସ୍ଥାରେ ଦଳବଦଳ କରିଥିଲେ ମଧ୍ୟ ସେ ଆଜୀବନ କମ୍ୟୁନିଷ୍ଟ ପାର୍ଟିରେ ରହିଥିଲେ। ୰ ହରେକୃଷ୍ଣ ମହତାବ, ୰ ବିଜୁ ପଟ୍ଟନାୟକ, ୰ ନନ୍ଦିନୀ ଶତପଥି ସହ ତାଙ୍କର ନୂତନ ସମ୍ପର୍କ ଥିଲା ଓ ସମସ୍ତେ ତାଙ୍କୁ ଶ୍ରଦ୍ଧା କରୁଥିଲେ। ‘ସମାଜ’ର ସମ୍ପାଦକ ସ୍ୱର୍ଗତ ଡଃ ରାଧାନାଥ ରଥ, ରାମକୃଷ୍ଣଙ୍କୁ ଗୁରୁପୁତ୍ର ଭାବେ ନିଜର ସାନଭାଇ ଭଳି ଅତ୍ୟନ୍ତ ସ୍ନେହ କରୁଥିଲେ ଓ ରାମକୃଷ୍ଣ ମଧ୍ୟ ତାଙ୍କୁ ଅଗ୍ରଜ ଭଳି ସମ୍ମାନ ଦେଉଥିଲେ। ୧୯୮୬ ମସିହା ଜୁନ୍ ମାସ ୧୫ ତାରିଖ ପବିତ୍ର ରଜ ସଂକ୍ରାନ୍ତିରେ ସେ ୭୭ ବର୍ଷ ବୟସରେ ପରଲୋକ ଗମନ କଲେ। ତାଙ୍କର ସେବା, ତ୍ୟାଗ, ସଂଘର୍ଷ ଓ ସାମ୍ୟବାଦୀ ଆଦର୍ଶ ଯୁଗେଯୁଗେ ଚିରସ୍ମରଣୀୟ ହୋଇ ରହିବ। ଆଜି ତାଙ୍କ ୩୨ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସେହି ମହାନ୍ ସଂଗ୍ରାମୀଙ୍କୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି କାମନା କରୁଅଛି।

ରୁଦ୍ରପୁର, ବାଲିଅନ୍ତା, ଖୋର୍ଦ୍ଧା, ମୋ- ୮୮୯୫୫୪୭୬୯୭

(ଲେଖକଙ୍କର ନିଜସ୍ୱ ଲେଖା)

Leave a Reply

Your email address will not be published. Required fields are marked *