ଜିଲ୍ଲା ପରିକ୍ରମା

ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପିର କୃତଜ୍ଞତା

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦୦ଟଙ୍କା ଅଭିବୃଦ୍ଧିକୁ ଭଦ୍ରକ ଜିଲ୍ଲା ବିଜେପି ତରଫରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ଏଭଳି ନିଷ୍ପତ୍ତି ଭାରତ ସରକାରଙ୍କ ସର୍ବକାଳୀନ ରେକର୍ଡ ବୃଦ୍ଧି ଯୋଗୁ କୃଷି ଓ କୃଷକମାନଙ୍କର ଯଥେଷ୍ଟ ଆର୍ଥôକ ଉନ୍ନତି କ୍ଷେତ୍ରରେ ନିଶ୍ଚିତ ସହାୟକ ହୋଇ ପାରିବ। ଉଲ୍ଲେଖଯୋଗ୍ୟ ଯେ ଅଦ୍ୟାବଧି କେବଳ ଉପା ସରକାର ସମୟରେ ସର୍ବକାଳୀନ ୧୩୦ ଟଙ୍କା ଅଭିବୃଦ୍ଧି ଘଟିଥିଲା। ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଗତ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯାହା ଘୋଷଣା କରିଥିଲେ ସେଇ ମାତ୍ରାରେ ଚଳିତ ବଜେଟରେ ମଧ୍ୟ ଅର୍ଥ ବ୍ୟବସ୍ଥା କରିଥିଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପଦକ୍ଷେପ ନିଆଯାଇଛି। ଏବେ ଧାନ କ୍ୱିଣ୍ଟାଲ ପିଛା ୧୫୫୦ଟଙ୍କାରୁ ୧୭୫୦ ଟଙ୍କାରେ ଚାଷୀ ଲାଭାନ୍ୱିତ ହେବ। ସେହିପରି ଧାନ ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯଥା; ଯଅ, ରାଶି, ମକା, ହରଡ, ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ, ସୋୟାବିନ, କଳାରାଶି ଓ ତୁଳାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। ସିଏସିପିର ନିର୍ଦ୍ଧାରଣ ଅନୁସାରେ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୧୬୬ଟଙ୍କା ସ୍ଥିରୀକୃତ ହୋଇ ତାହାର ୫୦ % ପ୍ରତିଶତ ବୃଦ୍ଧି କରାଯାଇ ଧାନର ଏମ୍.ଏସ୍.ପି.କୁ ୧୭୫୦ଟଙ୍କାର ସ୍ଥିର କରାଯାଇଛି। ସେଇଭଳି ଏ-ଗ୍ରେଡ୍ ଧାନର ସହାୟକ ମୂଲ୍ୟ ୧୬୦ଟଙ୍କାକୁ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅତରିକ୍ତ ୧୫ହଜାର କୋଟି ଟଙ୍କାର ବ୍ୟୟଭାର ବହନ କରିବେ। ପ୍ରାଦେଶିକ ସ୍ତରରେ ଯିଏ ଯେତେ ପ୍ରକାର ମତାମତ ଦେଲେ ବି କେନ୍ଦ୍ର ସରକାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏକ ସାମ୍ବିଧାନିକ ବ୍ୟବସ୍ଥାରେ ସ୍ଥିର କରିଥାନ୍ତି। ପୁନଶ୍ଚ ଗୋଟିଏ ନିର୍ଦ୍ଦିଷ୍ଟ ରାଜ୍ୟର ମତାମତ କେବଳ ଐକ୍ୟ ଭାବେ ସାରା ଭାରତରେ ପ୍ରଣୀତ ହେବା ପୂର୍ବରୁ ସେଥିପାଇଁ ଆକଳନ କରିବାକୁ ହୋଇଥାଏ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଓଡିଶାରେ ସହଯୋଗ କରୁ ନ ଥିବା ଓଡିଶାର ବିଜେଡି ସରକାର ଆଉ କୁମ୍ଭୀର କାନ୍ଦଣା କାନ୍ଦିବାକୁ ବିଜେପି ସୁଯୋଗ ଦେବନାହିଁ। ଯଦି ଚାଷୀ ଓ ଚାଷ ପାଇଁ ବିଜେଡି ସମର୍ପିତ ତେବେ ଧାନର ଦରରେ ସବ୍ସିଡି ଦେଉ ନାହାନ୍ତି କାହିଁକି? ତା’ଛଡା ଯେଉଁ ଦର କେନ୍ଦ୍ର ସରକାର ଘୋଷଣା କରିବା ପୂର୍ବରୁ ଥିଲା (୧୫୫୦ଟଙ୍କା) ସେଇ ଦରରେ ଓଡିଶାର ଧାନଚାଷୀ ଧାନ ବିକୁଥିଲେ କି? ନା ସମବାୟ ସମିତି ଓ ବିଭିନ୍ନ ସଂସ୍ଥା ନିର୍ଦ୍ଧାରିତ ଦରଠାରୁ ଢେର କମ୍ ଟଙ୍କାରେ କିଣୁଥିଲେ? ଭାରତୀୟ ଜନତା ପାର୍ଟି ଚାଷୀର ଦଳ, ମୂଲିଆର ଦଳ। ସେମାନଙ୍କ ସ୍ୱାର୍ଥ ପ୍ରତି ପ୍ରଧାନମନ୍ତ୍ରୀ ଉଚିତ୍ ନ୍ୟାୟ କରିଥିବାରୁ ବିଜେପି ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି ବୋଲି ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ବଷ୍ଣୁ ସେଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ଜିଲ୍ଲା ବିଜେପି ଉପସଭାପତି ଅମ୍ବିକା ଦାସ, ଶରତ ପଢିଆରୀ, ଚତୁର୍ଭୁଜ ଦାସ, ସାଧାରଣ ସମ୍ପାଦକ ପ୍ରଭାତ ଜେନା, ଅଶୋକ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top