ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ସାମ୍ବାଦିକ ସଂଘର ଦାବି

ସମ୍ବଲପୁର, ୧୫/୯ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରାଜ୍ୟରେ ସାମ୍ବାଦିକମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପଦନ ପାଇଁ ସୁରକ୍ଷାକୁ ସୁନିଶ୍ଚିତ କରିବା ସକାଶେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ନିମନ୍ତେ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ (ୟୁଜେଏ-ଆଇଏଫଡ଼ବ୍ଲୁଜେ)ର ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଆଜି ଏହି ମର୍ମରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଜିଲ୍ଲା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ସୀତାଂଶୁ ଭୂଷଣ ତ୍ରିପାଠୀଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ପ୍ରତିନିଧି ସରକାର ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସେତୁର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ରାଜ୍ୟର ଭୁବନେଶ୍ୱର, ଖଣ୍ଡପଡ଼ା, କୋଦଳା ପ୍ରଭୃତି ସ୍ଥାନରେ ଏହିଭଳି ଅଭିଯୋଗ ହୋଇଛି। ଏହାର ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *