ସାମ୍ବାଦିକଙ୍କ ବୀମାକାର୍ଡ, ଜିଲ୍ଳାପାଳ କହିଲେ ୨ ଦିନରେ ସମସ୍ୟା ସମାଧାନ ହେବ

ଭଦ୍ରକ, ୩୧ା୭ (ଓଡିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଳାର ବହୁ କାର୍ଯ୍ୟରତ ସାମ୍ବାଦିକ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ପାଇବାରୁ ବଞ୍ଚିତ ହେବା ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ସାମ୍ବାଦିକମାନେ ଏକ ବୈଠକରେ ଜିଲ୍ଳା ସୂଚନା ଅଧିକାରୀଙ୍କ ଅପାରଗତା ପାଇଁ ଏଭଳି ହୋଇଛି ବୋଲି ଅନୁଭବ କରିବା ପରେ ଆଜି ଏକ ଦାବିପତ୍ର ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଳାାପାଳ ଜ୍ଞାନ ଦାସ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ସାମ୍ବାଦିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦିନ ସମୟ ଦିଆ ଯାଇଛି। ଘଟଣା ସମ୍ପର୍କରେ ସବିଶେଷ ବୁଝିବା ପାଇଁ ଜିଲ୍ଲାପାଳ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ଦେବା ପରେ ଶ୍ରୀ ପଣ୍ଡା ସୂଚନା ଅଧିକାରୀ ଗୋଲେଖ ବେହେରାଙ୍କୁ ଡାକି ଘଟଣା ସମ୍ପର୍କରେ ବୁଝିଥିଲେ। ସୂଚନା ଅଧିକାରୀ ଏକ ସଦ୍ୟ ତାଲିକା ପ୍ରସ୍ତୁତ କରି ତୁରନ୍ତ ବିଭାଗକୁ ପଠାଇବାକୁ ଶ୍ରୀ ପଣ୍ଡା କହିଥିଲେ। ଏହାର ଦାୟିତ୍ୱ ସିଧା ସଳଖ ଜିଲ୍ଳାପାଳ ବୁଝିବେ ବୋଲି ପଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ତେବେ ୭ ଦିନ ମଧ୍ୟମରେ ବୀମାକାର୍ଡ ନ ମିଳିଲେ ସାମ୍ବାଦିକଙ୍କ ପକ୍ଷରୁ କଠୋର ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଏହି ଦାବିପତ୍ର ପ୍ରଦାନରେ ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ, ଡ. ହରିହର ନାୟକ, ତପନ କୁମାର ମିଶ୍ର, ସ୍ମୃତି ରଂଜନ ସାହୁ, ଚାରୁଦତ୍ତ ନାୟକ, ଅବିନାଶ ପଣ୍ଡା, ଜ୍ଞାନ ପ୍ରକାଶ ପାଣି, ତପନ ସ୍ୱାଇଁ, ଦେବାଶିଷ ମହାପାତ୍ର, ରାଜେଶ ଦାସ, ଜୟ ଜଗନ୍ନାଥ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *