ସାମୁଦ୍ରିକ କଇଁଞ୍ଚଙ୍କ ସୁରକ୍ଷା ପାଇଁ ମିଳିତ ପେଟ୍ରୋଲିଂ ବ୍ୟବସ୍ଥା ହେବ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ସାମୁଦ୍ରିକ କଇଁଞ୍ଚଙ୍କ ସୁରକ୍ଷିତ ଅଣ୍ଡାଦାନ ଓ ପ୍ରଜଜନ ପାଇଁ ସମୁଦ୍ରରେ ମିଳିତ ଭାବେ ପେଟ୍ରୋଲିଂ ବ୍ୟବସ୍ଥା କରାଯିବ। ନୋ ଫିସିଂ ଜୋନ୍ ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗା ଓ ଟ୍ରଲର ଚଳାଚଳ ସମ୍ପର୍ଣ୍ଣ ବନ୍ଦ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ଚିଲିକାରୁ ଅସ୍ତରଙ୍ଗ ମଧ୍ୟରେ ୧୩ଟି ସ୍ଥାନରେ କଇଁଞ୍ଚ ଅଣ୍ଡା ସରଂକ୍ଷଣ କେନ୍ଦ୍ର ଖୋଲାଯିବ। ସେଥିରେ ଦେବୀନାସୀ, ଦେବୀ ଦୀପ, ଗଙ୍ଗାଦେବୀ, ଜାହାନିଆ, ଡାଳୁ ଅକଣୀ, କଅଁରପୁର, ଚନ୍ଦ୍ରଭାଗା, ରାମଚଣ୍ଡୀ, ବେଲେଶ୍ୱର, ନୂଆ ନଇ, ପେଣ୍ଠକଟା, ବଳିଆପଣ୍ଡା ଓ ବାଲି ହରଚଣ୍ଡୀ ଅନ୍ତର୍ଗତ ଦେବୀମୁହାଣର ୫କିଲୋମିଟର ମଧ୍ୟରେ ମୋଟର ଚାଳିତ ବୋଟ କିମ୍ବା ଟ୍ରଲର ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। ପାରମ୍ପାରିକ ଡଙ୍ଗା ସାହାଯ୍ୟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ରିଙ୍ଗ୍ ଜାଲ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଏସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନୂଆଘର ଚନ୍ଦ୍ରଭାଗା ଓ କାଳିଆକଣାରେ ସଭା ଆୟୋଜନ କରାଯିବ। ଜଙ୍ଗଲ, ମତ୍ସ୍ୟ ଓ ପୁଲିସ ଅଧିକାରୀ ମିଳିତ ଭାବେ ସମୁଦ୍ରରେ ପେଟ୍ରୋଲିଂ କରିବେ। ପାରାଦ୍ୱୀପରୁ ବୋଟ ଭଡା ଆଣିବା ପାଇଁ ସ୍ଥିର କରାଯାଇଛି। ସରକାରୀ କଟକଣା ଉଲଗ୍ନ କରି ନିଷିଦ୍ଧାଞ୍ଚଳରେ ମାଛ ଧରିଲେ ସମ୍ପୃକ୍ତ ବୋଟ ଜବତ କରାଯିବା ସହ ମାଛକୁ ନିଲାମ କରାଯିବ। କଟକଣା ଯୋଗୁ ଜୀବିକା ହରାଉଥିବା ମତ୍ସ୍ୟଜୀବୀଙ୍କୁ ସରକାର ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ। ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାଥା ସଭାରେ ଅଧ୍ୟକ୍ଷତା କରିଥିଲେ। ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର କୁମାର ବେହେରା, ସିଟି ଡିଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ, ରାଜସ୍ୱ ବିଭାଗର ସହକାରୀ ଜିଲ୍ଲାପାଳ ଲକ୍ଷ୍ମୀଧର ମହାରଣା ସଭାରେ ଉପସ୍ଥିତ ଥିଲେ। ମେ ମାସ ୩୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଶ୍ରୀ ଉଦ୍ଗାଥା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *