ସାମିଆ ମନ୍ଦିର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ବିକାଶ ପାଇଁ ୧.୦୫ କୋଟି ଟଙ୍କାର ଯୋଜନା

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ଏକଦା ସମ୍ବଲପୁର ଦୁର୍ଗର ଗଡ଼ଖାଇ ଥିବା ଲମ୍ବା ଅଂଶ ମଧ୍ୟରୁ କିଛି ଅଂଶର ପୁନରୁର୍ଦ୍ଧାର କରାଯିବ। ସୋମେଶ୍ୱର ବା ସାମିଆ ଗୁଡ଼ି ନିକଟରେ ପୁଷ୍କରିଣୀ ରୁୂପରେ ଥିବା ଏହି ଅଂଶରେ ଅଧିକ ମାଟି ଖୋଳାଯିବ, ଚାରିପଟେ ଘେରା ନିର୍ମାଣ ଏବଂ ତା’ମଧ୍ୟରେ ପାଦଚଲା ରାସ୍ତା, କଂକ୍ରିଟ ବେଞ୍ଚ, ପୋଖରୀ ମଧ୍ୟକୁ ପାବଚ୍ଛ ଶ୍ରେଣୀ, ମଧ୍ୟଭାଗରେ ଫୁଆରା ତଥା ଆଲୋକ ବ୍ୟବସ୍ଥା ଦ୍ୱାରା ଏହାକୁ ସଜ୍ଜିତ କରାଯାଉଛି। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏଥିପାଇଁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସର୍ବଶିକ୍ଷା ଅଭିଯାନର ବୈଷୟିକ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଏଠାରେ ପୁଷ୍କରିଣୀ ପାଶ୍ୱର୍ରେ ଉଦ୍ୟାନ, ରାସ୍ତା ସହିତ ଏକ ଆଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧ କୋଟି ୫ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ରିପୋର୍ଟ ମଞ୍ଜୁରି ସକାଶେ ସରକାରଙ୍କୁ ଦିଆଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ମନ୍ଦଲିଆ ଠାରୁ ସାମିଆ ମନ୍ଦିର ଦେଇ ବାଲିବନ୍ଧା ପର୍ଯ୍ୟନ୍ତ ଗଡ଼ଖାଇ ଥିଲା। ସମ୍ବଲପୁରର ମହାରାଜା ବଳଭଦ୍ର ଦେବଙ୍କ ସମୟରେ ନିର୍ମାଣ କରାଯାଇଥିବା ଗଡ଼ ପ୍ରାଚୀର ଏବଂ ଗଡ଼ଖାଇର ପ୍ରାରମ୍ଭ ସ୍ଥଳ ଏହିଠାରେ ହିଁ ଥିଲା। ଗଡ଼ଖାଇ ଆସି ବାଲିବନ୍ଧା ପୋଖରୀ ଦେଇ ମହାନଦୀରେ ମିଶିଥିଲା। ବ୍ରିଟିଶ ଅମଳରେ ଗଡ଼ଖାଇର କିଛି ଅଂଶକୁ ବାଲିଦ୍ୱାରା ପୋତି ଦିଆଯାଇ ସବୁଦିନିଆ ରାସ୍ତା ନିର୍ମାଣ କରାଯିବାରେ ଏହା ବାଲିବନ୍ଧା ନାମ ପାଇଲା। ବାଲିବନ୍ଧା ପୋଖରୀରେ ପାବଚ୍ଛ ଶ୍ରେଣୀ ଏବଂ ତା’ଉପରକୁ ପାଚେରୀ କାନ୍ଥ ତଥା କାନ୍ଥ ଶୀର୍ଷରେ ଲୋକେ ବସାଉଠା କରିପାରିଲା ଭଳି ବ୍ୟବସ୍ଥା ଖୁବ୍ ସୁନ୍ଦର ଦେଖାଯାଉଥିଲା। ଏହି ପୋଖରୀ କଡ଼ଦେଇ ଯାଇଥିବା ରାସ୍ତାର ଅପର ପାଶ୍ୱର୍ରେ ଦୁଇଟି ପାର୍କ ରହିଥିଲା। ଏଥିରୁ ଗୋଟିଏ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଅପରାହ୍ନରେ ସହରର ବହୁ ବୟସ୍କ ତଥା ନେତୃସ୍ଥାନୀୟ ବ୍ୟକ୍ତି ଏଠାରେ ବସାଉଠା କରି ବିଚାରବିମର୍ଶ କରୁଥିଲେ। ଭାଷା ଆନ୍ଦୋଳନ, ସ୍ୱାଧୀନତା ଆନ୍ଦୋଳନ ଏବଂ ଅନ୍ୟାନ୍ୟ ସମସ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟର ପ୍ରଥମ ବୈଠକମାନ ଏହିଠାରେ ଅନୁଷ୍ଠିତ ହୋଇଥିଲା। ବାଲିବନ୍ଧା ପୁଷ୍କରିଣୀରେ ନିୟମିତ ଭାବରେ ଚନ୍ଦନ ଯାତ୍ରା ମଧ୍ୟ ଆୟୋଜିତ ହେଉଥିଲା। ୧୯୮୨ର ବନ୍ୟା ଏ ସୁନ୍ଦର ସ୍ଥାନଟିକୁ ବରବାଦ କରିଦେଲା। ପୋଖରୀ ଘାଟ ପାବଚ୍ଛ ଏବଂ ପାଚେରୀ ଧୋଇ ହୋଇଯିବା ସାଙ୍ଗକୁ ଏଠାରେ ଘାଇ ସୃଷ୍ଟି ହୋଇ ଅପରପାଶ୍ୱର୍ର ପାର୍କ ଦୁଇଟିକୁ ମଧ୍ୟ ନିଃଶେଷ କରିଦେଇଥିଲା। ବନ୍ୟା ନିୟନ୍ତ୍ରଣ ପାଇଁ ସଂପ୍ରତି ଏଠାରେ ସ୍ଲୁଇସ ଗେଟ୍ ନିର୍ମିତ ହେବା ସଙ୍ଗେ ସଙ୍ଗେ ଏକ ବୃହତ ମୋଟର ପମ୍ପ ଖଞ୍ଜା ଯାଇଛି। ବାଲିବନ୍ଧା ପୁଷ୍କରିଣୀର ଉଦ୍ଧାର ୍ରଆଉ ହୋଇପାରିବ ନାହିଁ। ତେବେ ଗଡ଼ଖାଇ ବା ପରବର୍ତ୍ତୀ ସମୟରେ ଛତ୍ରସାଗର ନାମ ପାଇଥିବା ଅଞ୍ଚଳର କିୟଦଂଶର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ସହରରେ ନିଶ୍ଚିତ ଭାବରେ ଆନନ୍ଦ ସୃଷ୍ଟି କରିବ। ସାମିଆ ମନ୍ଦିରର ଡାହାଣ ପାଶ୍ୱର୍ରେ ବାଲିବନ୍ଧା ନିକଟରେ ୫ ଏକଡ଼ ପରିମିତ ଅଞ୍ଚଳରେ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ସମଲେଶ୍ୱରୀ ମନ୍ଦିର ଠାରୁ ନେଇ ବାଲିବନ୍ଧାର ସାମିଆ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳରେ ବହୁ ପୁରାତନ ମନ୍ଦିର, ଦୁର୍ଗର ବୁରୁଜ ତଥା ଦୁଇଟି ରାଜପ୍ରାସାଦର ଅବଶେଷ ରହିଛି। ଏଥିରୁ ଗୋଟିଏ ରାଜପ୍ରାସାଦର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ଗୋଟିଏ ପ୍ରାସାଦର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରହିଛି। ଏହି ପୁରାତନ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଖୁବ୍ ସମ୍ଭାବନା ରହିଥିବା ବେଳେ ଏ ପୁଷ୍କରିଣୀର ପୁନରୁଦ୍ଧାର ଏଥିରେ ସହାୟକ ହେବ।

Leave a Reply

Your email address will not be published. Required fields are marked *