ସାମାନ୍ୟ ଯୁକ୍ତିତର୍କକୁ କେନ୍ଦ୍ର କରି ଛାତ୍ର ନେତାଙ୍କୁ ଆକ୍ରମଣ, ଘଟଣା ସ୍ଥଳରେ ପୋଲିସ ମୁତୟନ

ବାହାନଗା/ବାଲେଶ୍ୱର, ୨୭/୦୮( ଓଡ଼ିଆପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର କଲେଜରେ ସାମାନ୍ୟ ବଚସାକୁ ନେଇ ଛାତ୍ର ନେତାଙ୍କୁ ଆକ୍ରମଣ କରାଯାଇଥିବାର ଜଣାପଡ଼ିଛି। ଆକ୍ରମଣରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ କୌସର ଖାନ ଓ ଅନ୍ୟ ଜଣେ ଛାତ୍ର ଜତୀନ ରାଉତ ଆହତ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ +୨କଳା ପ୍ରଥମ ବର୍ଷର ଛାତ୍ର ଦୀପକ ବାଇକ ନେଇ କଲେଜ କ୍ୟାମ୍ପସ ଭିତରକୁ ପଶାଇ ଥିଲେ। ତେବେ ଭିତରକୁ ବାଇକ ନନେବାକୁ କିଛି ଛାତ୍ର ବାରଣ କରିଥିଲେ। ତେବେ ଏହାକୁ ନେଇ ୨ପକ୍ଷଙ୍କ ମଧ୍ୟରେ କଥା କଟାକଟି ହେବା ସହ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଫଳରେ ମାଡ଼ ଖାଇ ପ୍ରଥମ ବର୍ଷର ଛାତ୍ର ଜଣକ ନିଜ ଗ୍ରାମ ପିଲାଙ୍କୁ ଜଣାଇ ଥିଲା। ଫଳରେ ପ୍ରଥମ ବାର୍ଷିକ ଛାତ୍ର ସପକ୍ଷରେ ୩୦ରୁ ଉର୍ଦ୍ଧ ଅଣଛାତ୍ର କାଠ ଫାଳିଆରେ କଲେଜ ଫାଟକ ନିକଟରେ କୌସର ଓ ଜତିନକୁ ଆକ୍ରମଣ କରିଥିଲେ। ଖବର ପାଇ ଗୋପାଳପୁର ଫାଣ୍ଡି ଏଏସଆଇ ପ୍ରକାଶ କୁମାର ଗୋସ୍ୱାମୀ ଗୋପାଳପୁର କଲେଜରୁ ଉଭୟଙ୍କୁ ଆଣି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ର୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହେବା ସହ ଅଧିକ ଗଣ୍ଡଗୋଳ ଆଶଙ୍କାରେ ଖନ୍ତାପଡ଼ା ଥାନା ଏଏସ ଆଇ ଗୌରହରି ଦାସ ଫୋର୍ସ ସହ କ୍ୟାମ୍ପସକୁ ଜଗି ରହିଥିଲେ। ଖବର ଲେଖା ହେବା ବେଳକୁ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *