ସାମାଜିକ ବାସନ୍ଦ: ଏଡ୍ସ ଆକ୍ରାନ୍ତଙ୍କୁ ଗୁରୁତର ଭାବେ ଡାକ୍ତର ଖାନାରେ ଭର୍ତି: ଅଳ୍ପକେ ପାଇଲେ ନୂଆ ଜୀବନ

ଟିଟିଲାଗଡ ୧୫-୪ (ଓଡ଼ିଆ ପୁଅ) ଟିଟିଲାଗଡ ସ୍ଥାନୀୟ ଭାଟିପଡା ଗ୍ରାମର ପୂର୍ଣ୍ଣିନାଗ (ଛଦ୍ମନାମ) ନାମ୍ନୀ ଜଣେ ତିରିଶ ବର୍ଷୀୟ ବିଧବା ମହିଳାଙ୍କୁ ଗୁରୁତର ଭାବେ ଅସୁସ୍ଥ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରି ଜନସେବା ସଂଘ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଉକ୍ତ ମହିଳାଙ୍କ ସ୍ୱାମୀ ଏଡ୍ସରେ ପୀଡିତ ହୋଇ ମୃତ୍ୟୁ ବରଣ କରିବା ପରେ ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ଘର ଛାଡ଼ି ଚାଲିଯିବାକୁ ଅଞ୍ଚଳ ବାସୀ କହିଥିଲେ ଓ ମିଳାମିଶା ବନ୍ଦ କରିଦେଇଥିଲେ। ବଡ କଷ୍ଟରେ କିଛି ଘରେ କାମ କରି ପୂର୍ଣ୍ଣିର ଶାଶୁ ଦୁଇ ଓଳି ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ପୂର୍ଣ୍ଣିକୁ କେହି କାମ ଦେଉ ନ ଥିଲେ। ଗତ କିଛି ଦିନ ହେବ ପୂର୍ଣ୍ଣି ଗୁରୁତର ଅସୁସ୍ଥ ହୋଇ ଚଲାବୁଲା କରି ନ ପାରି ଘରେ ପଡିରହିଥିଲା। ସାଇ ପଡିଶା ଲୋକେ କେହି ସହଯୋଗ ନ କରୁଥିବା ବେଳେ ମୃତ୍ୟୁକୁ ଅପେକ୍ଷା କରିଥିବା ପୂର୍ଣ୍ଣିକୁ ଜନସେବା ସଂଘର କର୍ମକର୍ତ୍ତାମାନେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଡାକ୍ତର ତୁରନ୍ତ ଦୁଇ ପେକେଟ ରକ୍ତ ଦେବାକୁ ପରାମର୍ଶ ଦେଇ ଥିବା ବେଳେ ତାଙ୍କୁ ରକ୍ତ ଦିଆଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ତାଙ୍କ ଦେହରେ ଏଡ୍ସ ଭୁତାଣୁ ଥିବାରୁ ବଲାଙ୍ଗୀର ଏ ଆର ଟି ଚିକିତ୍ସା କେନ୍ଦ୍ରକୁ ଡାକ୍ତର ସାମାନ୍ୟ ସୁସ୍ତ ହେଲେ ନେଇ ଏ. ଆର.ଟି. ଔଷଧ ବ୍ୟବସ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ସରକାର ଅନେକ ଯୋଜନା କରିବା ଓ ଏଡ୍ସ ଆକ୍ରାନ୍ତ ପାଇଁ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ବାସ୍ତବିକ କାର୍ଯ୍ୟକ୍ଷମ କେତେଦୂର ହେଉଛି ପୂର୍ଣ୍ଣି ର ସ୍ତିତି ରୁ ସ୍ପଷ୍ଟ ?

Leave a Reply

Your email address will not be published. Required fields are marked *