ଜିଲ୍ଲା ପରିକ୍ରମା

‘ସାନ୍ତାଳୀ ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅନନ୍ୟ’

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାନ୍ତାଳୀ ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅନନ୍ୟ। ସାନ୍ତାଳୀ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ଲାଗି ଭାଇଚାରାର ଆବଶ୍ୟକତା ରହିଛି। ନାଚଗୀତ ମାଧ୍ୟମରେ ଏକତାର ଭାବ ସୃଷ୍ଟି କରାଯାଇ ପାରିବ ବୋଲି ଗୁରୁ ଗୋମକେ ସାନ୍ତାଳୀ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୁଗୁବୁରୁ ଘାଟାଂବାଳିର ସମ୍ପାଦକ ଲବିନ ମୁର୍ମୁ ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଜେନ୍ଦ୍ର କିସ୍କୁ ନାୟକ, ଶିବ ଚରଣ ଟୁଡୁ, ରାଉରକେଲା ପ୍ରଗଣାର ସାଇବା ମାଝୀ, ରାଉରକେଲା ଆସେବା ସମ୍ପାଦକ ଅର୍ଜୁନ ମାର୍ଣ୍ଡି, ହଜାରିବାଗର ସଂଜୟ ଟୁଡ଼ୁ ପ୍ରମୁଖ ଯୋଗ ଦେଇ ସାନ୍ତାଳି ପରମ୍ପରା ଉପରେ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ। ଏହି ଆଲୋଚନାଚକ୍ରରେ ସାନ୍ତାଳି ଶିକ୍ଷା ଓ ବିକାଶ ଉପରେ ଆଲୋପାତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୁରୁ ଗୋମକେ ସାନ୍ତାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ହାସଁଦାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶିକ୍ଷୟତ୍ରୀ ଝାନ୍ ମୁର୍ମୁୁ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ସନଖା ଚରଣ ବାସ୍କେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡ଼ି ପରିବେଷଣ କରାଯାଇଥିଲା। କଲିକତାର ସାନ୍ତାଳୀ ଗାୟିକା ଇତି ମୁର୍ମୁ, ବୋକାରୋର ଗାୟକ ସକିଲା କିସ୍କୁ, ଯଦୁଗଡ଼ାର ଦୁଶାଃସନ ମାହତୋ, ଡୁମୁନି ମୁର୍ମୁ, ବିଜୟ ସିଂ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧିତ ଓ ମାନପତ୍ର ଦିଆଯାଇଥିଲା। ଦାୱନାଟୋଲା ଓ ବାଲିଯୋଡ଼ି ସାରନାଗାଳ ଗ୍ରାମବାସୀ ନୃତ୍ୟ ପରିବେଷଣ କରିଥିଲେ। ପିଲଚୁ ମେଲୋଡି ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ବହୁ ସାନ୍ତାଳୀ ଭାଇ ଭଉଣୀ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top