ସାଉଥ ବଲଣ୍ଡାରେ ବିଷୁବ ମିଳନ ଉତ୍ସବ

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ତାଳଚେର ବ୍ଲକ “ସାଉଥବଲଣ୍ଡା ସାହିତ୍ୟ ଘର” ଓ ଅଗ୍ରଣୀ ନାଟ୍ୟ ସଂସ୍ଥା “ଆମେ ବଂଚିଛୁ” ପକ୍ଷରୁ ମହାବିଷୁବ ମିଳନ ଉତ୍ସବ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ଶନିବାର ଦିନ ପାଳିତ ହୋଇଯାଇଛି । ସାହିତ୍ୟଘର ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ନାଟ୍ୟକାର ମୁକୁନ୍ଦ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ‘ସାମାଜିକ ଜୀବନରେ ବିଷୁବ ସଂକ୍ରାନ୍ତିର ମହତ୍ୱ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରକୃତି ଓ ସଂସ୍କୃତି ସହ ଜଡିତ ଏହି ବିଷୁବ ମିଳନର ଗୁରୁତ୍ୱକୁ ସମସ୍ତ ଓଡ଼ିଆ ଜାତି ଅନୁଭବ କରି ଓଡ଼ିଆ ନୂଆ ବର୍ଷ ରୂପେ ପାଳନ କରିବାକୁ ବକ୍ତାମାନେ ମତପ୍ରକାଶ କରିଥିଲେ । ଏହାପରେ ସମସ୍ତ ସଦସ୍ୟମାନଙ୍କୁ ବେଲ,ତରଭୁଜ ପଣା ପରିବେଷଣ କରାଯାଇଥିଲା । ଏହି ଅବସରରେ ରଞ୍ଜିତ ସାହୁ,କଳାକାର ନାଏକ,ନରେନ୍ଦ୍ର କୁମାର ନାଏକ ସାହିତ୍ୟ ଘରର ନୂତନ ସଭ୍ୟ ଭାବରେ ଯୋଗଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଏକ କବିତା ପାଠୋତ୍ସବର ଆୟୋଜନ କରା ଯାଇଥିଲା । କବି ଅରୁଣ କୁମାର ଗଡ଼ନାୟକ,ବିଭୁତି ଭୂଷଣ ସ୍ୱାଇଁ,ରଶ୍ମିକାନ୍ତ ରଥ ଓ ତି୍ରନାଥ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାହିତ୍ୟଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ହେମନ୍ତ ଦାସ,ରଶ୍ମିକାନ୍ତ ରଥ,ଜିତେନ୍ଦ୍ର କୁମାର ମହାପାତ୍ର,ପ୍ରଦୀପ କୁମାର ମହାରଣା,ସବିତା ସିଂହ,ଅରୁଣ କୁମାର ଗଡ଼ନାୟକ,ମହେନ୍ଦ୍ର କୁମାର ପାଣିଗ୍ରାହୀ,ବିଦ୍ୟାଧର ପରିଡା,ବନ୍ଧୁଆ ସାହୁ,ଅଶୋକ ଜ୍ୟୋତିଷ ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *