ସାଉଥବଲଣ୍ଡା ସାହିତ୍ୟ ଘରର ଅଧିବେଶନ ଓ କବିତା ପାଠୋତ୍ସବ

ତାଳଚେର, ୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ସମ୍ବାଦ ସାହିତ୍ୟ ଘର ସାଉଥବଲଣ୍ଡା ଶାଖାର ଚତୁର୍ଥ ବର୍ଷର ଷଷ୍ଠ ଅଧିବେଶନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ସାହିତ୍ୟ ଘରର ସଭାପତି ବିଭୂତି ଭୂଷଣ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାହିତ୍ୟ ଘର ଅଧିବେଶନରେ ସଦସ୍ୟମାନଙ୍କ ଉପସ୍ଥିତି କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ସଭାପତି ଶ୍ରୀ ସାହୁ ଚିନ୍ତାବ୍ୟକ୍ତ କରିଥିଲେ। ଏଥିସହିତ ବିଦ୍ୟାଳୟସ୍ତରରେ ପିଲାମାନଙ୍କ ମଧ୍ୟରେ ଓଡିଆ ଭାଷାରେ ଗଳ୍ପ, କବିତା ଲିଖନ ପାଇଁ କର୍ମଶାଳାମାନ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ସେହିପରି ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ପତ୍ରିକା ପ୍ରକାଶନ କରିବା ପାଇଁ ସ୍ଥିର କରାଯାଇଥିଲା। ଏହି ଅବସରରେ ସାହିତ୍ୟଘରର ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ସମ୍ମାନ ଓ ବରିଷ୍ଠ ସଦସ୍ୟା ଅନୀତା ପାଣି ଢେଙ୍କାନାଳସ୍ଥିତ ନନ୍ଦିନୀ ଦେବୀ ସ୍ମୃତି କମିଟି ପକ୍ଷରୁ ସାରସ୍ୱତ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଥିବାରୁ ସାହିତ୍ୟଘର ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ। ପବିତ୍ର ରଜ ଉତ୍ସବ ଉପଲକ୍ଷେ ଏକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା। ଏଥିରେ କବି ରଶ୍ମିକାନ୍ତ ରଥ, ପୂର୍ଣ୍ଣଚନ୍ଦ୍ର ଦଳେଇ, ସୁଶିଲ୍ କୁମାର ପ୍ରଧାନ, ଅରୁଣ ଗଡନାୟକ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ। ଏହି ଅଧିବେଶନରେ ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ, ମହେନ୍ଦ୍ର କୁମାର ପାଣିଗ୍ରାହୀ, ଅରୁଣ କୁମାର ଶତପଥୀ, ପୂର୍ଣ୍ଣଚନ୍ଦ୍ର ଦଳେଇ, ବିଭୂତି ଭୂଷଣ ପାଣି, ଦୟାନିଧି ସାହୁ, ପ୍ରଭାତ କୁମାର ରଥ, ବିଦ୍ୟାଧର ପରିଡା, ରଶ୍ମିକାନ୍ତ ରଥ, ରତ୍ନାକର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *