ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆବଶ୍ୟକ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ନ ହେଲା ପର୍ଯ୍ୟନ୍ତ ସଦର ମହକୁମା ଡାକ୍ତରଖାନାର ପାରାମେଡିକାଲ ଷ୍ଟାଫମାନଙ୍କୁ ରିଲିଭ ନ କରିବାକୁ କୋରାପୁଟ ବିଧାୟକଙ୍କ ଦାବି

କୋରାପୁଟ ; ତା୨୭-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟସ୍ଥିତ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆବଶ୍ୟକ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ନ ହେଲା ପର୍ଯ୍ୟନ୍ତ ସଦର ମହକୁମା ଡାକ୍ତରଖାନାରେ କାର୍ଯ୍ୟରତ ପାରାମେଡିକାଲ ଷ୍ଟାଫମାନଙ୍କୁ ରିଲିଭ ନ କରିବାକୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଦାବି ଜଣାଇଛନ୍ତି।ଆଜି ଏ ସଂକ୍ରାନ୍ତରେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିଙ୍କ ଆଲୋଚନା କରିଥିଲେ।ଭୁବନେଶ୍ୱରରେ ଆସନ୍ତା ସୋମବାରଦିନ କୋରାପୁଟ ବିଧାୟକ ଶ୍ରୀ ସଗରିଆ ସ୍ୱାସ୍ଥ୍ୟସଚିବଙ୍କ ସହ ଆଲୋଚନା କରି ଦାବି ଜଣେଇବେ ବୋଲି ଜଣାପଡିଛି।ଯଦି ସ୍ୱାସ୍ଥ୍ୟସଚିବ ଦାବି ସମାଧାନ ନ କରନ୍ତି ତେବେ ଆସନ୍ତାଦିନରେ ସେ ଧାରଣା ଦେବେ ବୋଲି ସେ ପ୍ରକାଶ କରିଛନ୍ତି।ପୁର୍ବତନ ବିଧାୟକ ନିମାଁଇ ସରକାର, କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ, ପ୍ରମୋଦ ନାଗ, ଅଫିସ ଅଧିକ୍ଷକ ସୂର୍ଯ୍ୟନାରାୟଣ ପଣ୍ଡା ଓ କର୍ମଚାରୀ ବସନ୍ତ ପଣ୍ଡା ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ ଗତ ୨୫ ତାରିଖରେ କୋରାପୁଟ ସଦର ଡାକ୍ତରଖାନାରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ରିଲିଭ ହୋଇ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଜଏନ କରିଥିଲେ।ଜୟପୁରକୁ ସଦର ମହକୁମା ଡାକ୍ତରଖାନା ମାନ୍ୟତା ଦେବା ପରେ ସେଠାରେ ଡାକ୍ତରଖାନା ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅଗଷ୍ଟ ମାସ ୧୫ ତାରିଖରେ ସଦର ମହକୁମା ଡାକ୍ତରଖାନା ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *