ସହୀଦ୍ ଦିବସରେ ଅଖିଳ ଭାରତ ଯୁବସଂଘର ବିକ୍ଷୋଭ

ଭୁବନେଶ୍ୱର, ୩୦ା୧ (ଓଡ଼ିଆ ପୁଅ) : ବର୍ଷକୁ ୨ କୋଟି କର୍ମନିଯୁକ୍ତି ଦେବା, ବିଦେଶରେ ଗଚ୍ଛିତ ଥିବା ଭାରତର କଳାଧନ ଉଦ୍ଧାର କରିଆଣି ପ୍ରତ୍ୟେକ ଭାରତୀୟଙ୍କ ଜମାଖାତାକୁ ୧୫/୨୦ ଲକ୍ଷ ଟଙ୍କା ଦେବା, ବିଦେଶୀ ପୁଞ୍ଜିର ଅନୁପ୍ରବେଶ ରୋକିବା, ଆଧାର ବ୍ୟବହାର ନାମରେ ବ୍ୟକ୍ତିଗତ ଗୋପନୀୟତା ବିପନ୍ନ କରିବା ବିରୁଦ୍ଧରେ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦିଙ୍କ ସରକାର ସମସ୍ତ ପ୍ରତିଶ୍ରୁତି ଖିଲାପ କରି ଯୁବ ସମାଜକୁ ନିରାଶ କରିଥିବାରୁ ଏହା ବିରୁଦ୍ଧରେ ଅଖିଳ ଭାରତ ଯୁବସଂଘ ପକ୍ଷରୁ ସହୀଦ ଦିବସରେ ଦେଶବ୍ୟାପୀ ଯୁବଛାତ୍ର ଅଭିଯାନ ଅବସରରେ ଏ.ଆଇ.ୱାଇ.ଏଫ୍ . ପକ୍ଷରୁ ଭୁବନେଶ୍ୱରଠାରେ ଯୁବସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଏହି ଯୁବସମାଜ ପୂର୍ବରୁ ଏକ ବର୍ଣ୍ଣାଢ୍ୟ ଯୁବ ଶୋଭଯାତ୍ରାରେ ରେଳଷ୍ଟେସନ୍ ଠାରୁ ବାହାରି ଲୋୟର ପି.ଏମ୍ .ଜି.ଠାରେ ପହଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ ଯୁବକ, ଯୁବତୀ ଯୋଗଦେଇ ଭଗତସିଂ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ପ୍ରଣୟନ କରିବା, ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବା, ସ୍ୱତନ୍ତ୍ର ଯୁବନୀତି ମାଧ୍ୟମରେ ବେକାର ଯୁବକ ଓ ଯୁବତୀମାନଙ୍କୁ ତୁରନ୍ତ ନିଯୁକ୍ତି ନତୁବା ବେକାରୀ ଭତ୍ତା ପ୍ରଦାନ କରିବା, ଦଳିତ ଆଦିବାସୀ ସଂଖ୍ୟାଲଘୁ ଓ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା, ଘରୋଇ ଶିଳ୍ପ କଳକାରଖାନାମାନଙ୍କରେ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା, କୁନ୍ଦୁଲିର ନବମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ଯେଉଁ ସଶସ୍ତ୍ର ବାହିନୀ ଗଣବଳକ୍ରାର କଲେ, ସେହି ଦୋଷିଙ୍କୁ ତୁରନ୍ତ ଗିରଫ କରିବା ଓ ସେଠାରେ ଥିବା ସମସ୍ତ ସଶସ୍ତ୍ର ବାହିନୀକୁ ପ୍ରତ୍ୟାହାର କରିବା, ସରକାରୀ ଶିକ୍ଷକ ନିଯୁକ୍ତିରେ ସର୍ବନିମ୍ନ ବୟସ ୩୨ ପରିବର୍ତ୍ତେ ପୂର୍ବଭଳି ୪୨ବର୍ଷ ଲାଗୁ କରିବା ଦାବିରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଯୁବ ସମାଜ ଜ୍ୱଳନ୍ତ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଆଗାମୀ ଦିନରେ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିଲା।

ରାଜ୍ୟ ସଭାପତି ସଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସମ୍ପାଦକ ପ୍ରଦୀପ ସେଠୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସହ-ସମ୍ପାଦକ ଆଶିଷ କାନୁନ୍ ଗୋ, ପ୍ରାକ୍ତନ ରାଜ୍ୟସଭାପତି ପ୍ରଶାନ୍ତ ମିଶ୍ର, ରମଣୀରଞ୍ଜନ ରାଉତରାୟ, ରାଜ୍ୟ ଉପସଭାପତି ସୁବାଶିନୀ ଭଦ୍ର, ରାଜ୍ୟ ସହସମ୍ପାଦକ ପରମେଶ୍ୱର ବାରିକ, ତପନ୍ କୁମାର ସିଟ୍,  ବିଶ୍ୱଜିତ୍ ନାୟକ, ଅବିନାଶ ନାୟକ, ସଂଘମିତ୍ରା ଜେନା, ଅରୁଣା ବାରିକ, ନାରାୟଣ ଡାଳୁଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶୋଭଯାତ୍ରାରେ ପୁଷ୍ପା ଶାହା, କୃଷ୍ଣ ରାଉଳ, କୁମର ଜାନୀ, କମଳ ଭୋଇ, ସଦାନନ୍ଦ ନାୟକ, ଯୋଗେଶ ବିଶ୍ୱାଳ, ଅରୁଣ ଭୋଇ, ଭାସ୍କର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *