ଓଡ଼ିଶା

ସହରାଂଚଳବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ଅପାରଗତା ପରିପ୍ରେକ୍ଷୀରେ ବିଜେପି ଅର୍ବାନ ଭଏସ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ

– ରାଜ୍ୟବାସୀଙ୍କୁ ମୈାଳିକ ପାନୀୟ ଜଳ, ବିଜୁଳି, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା, ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ଆଦି ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଆନ୍ଦୋଳ କରିବ ବିଜେପି
– ସହରାଂଚଳର ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ଏନଏସି, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମରେ “ଲଟକା” ଜାରି କରାଯିବ

ଭୁବନେଶ୍ୱର, ତା.୧୫/୦୪ (ଓଡ଼ିଆ ପୁଅ): ୧୮ ବର୍ଷର ନବୀନ ସରକାରଙ୍କର ଅପାରଗତା କାରଣରୁ ରାଜ୍ୟର ସହରାଂଚଳରେ ଉପଯୁକ୍ତ ନାଗରିକ ସୁବିଧା ପାଇବାରୁ ଜନ ସାଧାରଣ ବଂଚିତ ହୋଇଛନ୍ତି ବୋଲି ଭାରତୀୟ ଜନତା ପାର୍ଟୀର ଅର୍ବାନ ଭଏସର ଏହି ପ୍ରତିନିଧି ସମ୍ମିଳନୀ ମତ ପ୍ରକାଶ କରିଛି।

ରାଜ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନଗରାଂଚଳ ପ୍ରକୋଷ୍ଟର ସଂଯୋଜକ ଶ୍ରୀ ସମୀର ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ ସଭାପତି ତଥା ପ୍ରକୋଷ୍ଟର ରାଜ୍ୟ ସହ ସଂଯୋଜକ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସହ ସାଧାରଣ ସଂପାଦକ(ସଂଗଠନ) ଅମିତାଭ ଚକ୍ରବର୍ତ୍ତୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ତଥା ପ୍ରକୋଷ୍ଟର ଅନ୍ୟତମ ସହ ସଂଯୋଜକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ରାଜ୍ୟର ସହରାଂଚଳର ବିଭିନ୍ନ ମୈାଳିକ ସମସ୍ୟା ପ୍ରସଙ୍ଗରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଖରା ଦିନ ଆସୁ ଆସୁ ପାନୀୟ ଜଳ କଷ୍ଟ ଏକ ବଡ ସମସ୍ୟାର ରୂପ ନେଲାଣି। ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଘୋଷଣା ସତ୍ୱେ ସହରାଂଚଳରେ ବି ଶୁଦ୍ଧ ପାନୀୟ ଜଳ ମୁନ୍ଦେ ପହଂଚା ଯାଇ ପାରି ନାହିଁ। ଅନେକ ସହରରେ ପାନୀୟ ଜଳ ସମସ୍ୟା ଯୋଗୁ ଜଣ୍ଡିସ ଆତଙ୍କ ଦେଖା ଦେଇଛି। ସହରାଂଚଳରେ ପରିମଳ ସବୁଠାରୁ ବଡ ସମସ୍ୟା ରୂପରେ ମୁଣ୍ଡ ଟେକିଛି। କଠିନ ବର୍ଜ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ବାରମ୍ବାର ପ୍ରତିଶ୍ରୁତି ପାଣିରେ ଗାର ହୋଇଛି। ବିଭିନ୍ନ ସହରାଂଚଳର ରାସ୍ତା ଘାଟ, ବିଜୁଳି, ସ୍ୱାସ୍ଥ୍ୟ ସେବା, ପ୍ରାଥମିକ ଶିକ୍ଷା ପାଇଁ ସଂପୃକ୍ତ ନଗରାଂଚଳର ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନ ବିଫଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କର ନଗର ଉନ୍ନୟନ ବିଭାଗ ଓ ସରକାରଙ୍କ ସଂପୃକ୍ତ ଅନ୍ୟାନ୍ୟ ବିଭାଗ ଗୁଡିକର ଉଦାସୀନତା କାରଣରୁ ସହରର ଲୋକ ମାନେ ଦୈନନ୍ଦିନ ସମସ୍ୟା ସହ ସଂଘର୍ଷ କରୁଛନ୍ତି ବୋଲି ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିମାନେ ଅଭିଯୋଗ କରିଥିଲେ।

ସହରୀ ଗରୀବଙ୍କ ସମସ୍ୟା ସମାଧାନରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ଜାଗା ଯୋଗାଇବା ପାଇଁ ଅଧ୍ୟାଦେଶ -୨୦୧୭ ନବୀନ ପଟ୍ଟନାୟକଙ୍କ ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଥିଲା ବୋଲି ଏହି ସମ୍ମିଳନୀ ଅନୁଭବ କରୁଛି। ଏହା ସହ ଲୋକ ମାନଙ୍କ ନିକଟକୁ ଏହି ତଥ୍ୟକୁ ନେଇ ଯିବାକୁ ଏହି ସମ୍ମିଳନୀରେ ସ୍ଥିର ହୋଇଛି।

୨୦୧୩ ମସିହା ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର” ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨” ଆଣି ସହରାଂଚଳ ଭୋଟରମାନଙ୍କୁ ଘର ଯୋଗାଇବାର ସ୍ୱପ୍ନ ଦେଖାଇଥିଲେ। ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳ ଲୋକଙ୍କୁ ବାସଗୃହ ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ଭୁବନେଶ୍ୱର- କଟକରେ ମୋଟ ମାତ୍ର ୨ ଶହ ଘର ଯୋଗାଇ ଦିଆଯାଇ ପାରିିଛି ବୋଲି ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି। ବିଜେଡିର ୨୦୧୪ ଇସ୍ତାହାରକୁ କ୍ୟାବିନେଟ ମଂଜୁରୀ ମିଳିଥିବା ବେଳେ ଏହି ଇସ୍ତାହାରରେ ଗୋଟିଏ ବି ପରିବାର ବିନା ପକ୍କାଘରରେ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି। ଯାହାର ନିଜସ୍ୱ ଜାଗା ନାହିଁ ସେପରି ପରିବାରକୁ ସରକାର ଜାଗା ଅଧିଗ୍ରହଣ କରି ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ମାତ୍ର ଏହା କେବଳ ସରକାରଙ୍କର ଫାଇଲରେ ସୀମିତ ରହିଥିବା ଲୋକ ମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ବୋଲି ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଛି।

ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ବିରୋଧୀ ଦଳର ଦାୟିତ୍ୱ। ରାଜ୍ୟରେ ଦୀର୍ଘ ଦିନ ଧରି ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ଲୋକ ସମସ୍ୟା ବଦଳରେ ବିଜୁ ଜନତା ଦଳ ସହ ସାଲିସ କରି ଲୋକହିତକୁ ଅଣଦେଖା କରିଛି। ଏପରି ପରିସ୍ଥିତିରେ ରାଜ୍ୟରେ ବିଜେଡିର ଏକ ମାତ୍ର ବିକଳ୍ପ ଭାବେ ଜନ ସମସ୍ୟାକୁ ଆନ୍ଦୋଳନ ମାଧ୍ୟମରେ ତୀବ୍ର ରୂପ ଦେବା ପାଇଁ ଭାରତୀୟ ଜନତା ପାର୍ଟିର ଅର୍ବାନ ଭଏସର ଏହି ପ୍ରତିନିଧି ସମ୍ମିଳନୀ ଦୃଢ ସଂକଳ୍ପ ଗ୍ରହଣ କରିଛି ବୋଲି ସମ୍ମିଳନୀ ଶେଷ ହେବା ପରେ ପ୍ରକୋଷ୍ଟର ରାଜ୍ୟ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଚଳିତ ଏପ୍ରିଲ ୧୯ ତାରିଖରେ ଏକ ପ୍ରସ୍ତୁତ ବୈଠକ ଅଣୁଷ୍ଠିତ ହୋଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ। ସେହିପରି ସ୍ଥାନୀୟ ସମସ୍ୟା ପ୍ରସଙ୍ଗରେ ୨୧ ତାରିଖ ଦିନ ରାଜ୍ୟର ସମସ୍ତ ୧୧୩ଟି ଏନଏସି, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମରେ ଲଟକା ଜାରି କରାଯିବ। ସମସ୍ୟାର ସମାଧାନ ପ୍ରସଙ୍ଗରେ ୭ ଦିନ ଭିତରେ କୈାଣସି ପଦକ୍ଷେପ ଗ୍ରହଣ ନକରାଗଲେ ଏହି ଆନ୍ଦୋଳନକୁ ଆହୁରୀ ତିବ୍ରତର କରାଯିବ ବୋଲି ଶ୍ରୀ ଦେ ସୂଚନା ଦେଇ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top