ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ିରହିଛି କୋଟିକୋଟି ଟଙ୍କା ; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି

ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ି ରହିଛି କୋଟି କୋଟି ଟଙ୍କା; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି

କଟକ,୨୯ା୫/(ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ମହାନଗର ନିଗମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଆନ୍ତରିକତାର ଅଭାବରୁ ତାହା ଦିଗହରା ହୋଇପଡ଼ିଛି। ଗୋଟିଏ ପଟେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଅନ୍ୟପଟେ କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ଯୋଗୁଁ କଟକ ସହରରେ ବହୁ ସରକାରୀ ଯୋଜନା ଆତ୍ମସାତ ହେବାରେ ଲାଗିଛି। ଇତି ମଧ୍ୟରେ କେନ୍ଦ୍ର ସରକାର କଟକ ସହରକୁ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ ରାଜନୈତିକ ବ୍ୟକ୍ତିବିଶେଷ, ଠିକାଦାର ଓ ଅସାଧୁ ଅଧିକାରୀଙ୍କ ଯୋଗୁଁ ବର୍ଷ ବର୍ଷ ଧରି ଏହି ଅର୍ଥ ପଡ଼ିରହିଥିଲେ ମଧ୍ୟ ସହରବାସୀଙ୍କ କାମରେ ଲାଗି ପାରୁନାହିଁ। କଟକ ସହରରେ ଜନସାଧାରଣଙ୍କ ମୌଳିକ ସମସ୍ୟା ରହିଥିବା ବିରୋଧି ଦଳ, ସ୍ୱେଚ୍ଛାସେବୀମାନେ ବାରମ୍ବାର ସ୍ୱର ଉତ୍ତୋଳନ କରିବା ସହ ଆନେ୍ଦାଳନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସୁଯୋଗ ନେଇ ବିଭାଗୀୟ ଅଧିକାରୀମାନେ ଶାସକ ଦଳର ନେତାଙ୍କୁ ହାତବାରିସି କରି ସରକାରୀ ଯୋଜନା ଗୁଡ଼ିକୁ ଦିଗହରା କରାଇବାରେ ଲାଗିଛନ୍ତି। ଯୋଜନା ଗୁଡ଼ିକୁ ଆୟୁଧ କରି ଶାସକ ଦଳର ନେତାମାନେ କେବଳ ଭୋଟ ରାଜନୀତି କରୁଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି କଟକ ସହରରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଇଥିବାବେଳେ ତାହା ବ୍ୟାଙ୍କରେ ପଡ଼ିରହିଥିବାବେଳେ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ନପାରି ହଟହଟା ହେଉଛନ୍ତି। ଗୋଟିଏ ପଟେ ସହରରେ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଅକାଳରେ ପ୍ରାଣ ହରାଉଥିବାବେଳେ ଅନ୍ୟପକ୍ଷରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନାହିଁ। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ଓ ସିଏମସି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଥିବା ଜଣାପଡ଼ୁଛି। ଏହା କଟକ ସହର ଲୋକପ୍ରତିନିଧି ତଥା ସରକାରୀ ଅଧିକାରୀଙ୍କ ଅପାରଗତା ବୋଲି ସାଧାରଣରେ ଆଲୋଚନା ହେଉଛି।

କଟକ ସହରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନୟୁଏଚଏମ)ଯୋଜନାରେ ପ୍ରଦାନ କରାଯାଇଥିବା ଅର୍ଥ ୨୦୧୪-୧୫ରୁ ପଡ଼ି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ କଟକ ସହରରେ ୫୯ଟି ୱାର୍ଡ଼ରେ ୧୩ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇପାରିଲା ନାହିଁ। ସହରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ନିର୍ମାଣ ପାଇଁ ଆରଏଣ୍ଡବି (ରାସ୍ତା ଓ କୋଠାବାଡ଼ି)କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ନିର୍ମାଣ କାର୍ଯ୍ୟଗୁଡ଼ିକର ଶେଷ ଅବଧି ୨୦୧୭ ମସିହା ମାର୍ଚ୍ଚମାସ ଥିବାବେଳେ ସମୟସୀମା ଗଡି ଚାଲିଥିଲେ ମଧ୍ୟ କାମ ଶେଷ ହୋଇପାରୁନି। ଗୋଟିଏପଟେ ଏହି ଯୋଜନାରେ ଆସିଥିବା ସରକାରୀ ଅର୍ଥକୁ ରାସ୍ତା ଓ କୋଠାବାଡ଼ି ବିଭାଗ ପିଏଲ ଆକାଉଣ୍ଟରେ ୩୦କୋଟି ଟଙ୍କା ଜମା ରଖିଛି। ଯେଉଁଥିରେ କି ଟଙ୍କାଟିଏ ବି ସୁଧ ମିଳିବ ନାହିଁ। ଅର୍ଥାତ୨୦୧୪-୧୫ବର୍ଷରୁ ଏହି ଅର୍ଥ ଜମା ରହିଥିଲେ ମଧ୍ୟ ଏଯାବତ କୌଣସି ସୁଧ ମିଳୁନଥିବାବେଳେ ନିର୍ମାଣ ପାଇଁ ସେସମୟରେ ଧାର୍ଯ୍ୟ କରାଯାଇଥିବା ଅଟକଳ ବର୍ତ୍ତମାନ ବୃଦ୍ଧି ପାଇବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ତେବେ ସହରରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ କିମ୍ବା ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ, ସାଂସଦମାନେ ଯୋଗଦେଇ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଏହି ଏନୟୁଏଚଏମ କାର୍ଯ୍ୟ କେମିତି ହେବ ଏବଂ ଏଥିପାଇଁ ଆସିଥିବା ସରକାରୀ ଅନୁଦାନ କିପରି ସଦ୍ଉପଯୋଗ ହୋଇପାରିବ ସେଥିପ୍ରତି କାହାରି ନିଘା ନାହିଁ।

କଟକ ମହାନଗର ନିଗମ ଅନ୍ତର୍ଗତ ୧୩ଟି ସ୍ଥାନରେ ନିର୍ମାଣରତ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ କେବଳ ବିଡ଼ାନାସୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଉଦ୍ଘାଟନ ହୋଇଥିବା ବେଳେ ଅନ୍ୟସ୍ଥାନରେ ନିର୍ମାଣଧିନ ସ୍ୱାସ୍ଥ୍ୟକେନ୍ଦ୍ର ଏଯାବତ ଶେଷ ହୋଇପାରିନାହିଁ। ଆଉକିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟନ ହୋଇପାରିନାହିଁ। ସିଏମସିର ୫ ନମ୍ବର ୱାର୍ଡ଼ର ୫କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣଧିନ ସିଡ଼ିଏ ୟୁସିଏଚସି ଏପର୍ଯ୍ୟନ୍ତ ୭୫ ପ୍ରତିଶତ ଶେଷ ହୋଇଛି। ସେହିପରି ୪୪ ନମ୍ବର ୱାର୍ଡ଼ର ଚାଉଳିଆଗଞ୍ଜ ୟୁସିଏଚସି କେନ୍ଦ୍ର ୪କୋଟି ୭୫ଲକ୍ଷ ୨୯ ହଜାର ଟଙ୍କା ବ୍ୟୟବରାଦ ହୋଇ ୭୫ ପ୍ରତିଶତ ନିର୍ମାଣ ସରିଥିବାବେଳେ ୩୯ ନମ୍ବର ୱାର୍ଡ଼ରେ ୭୫ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣଧିନ ବଜରମ୍ବା ପିଏଚସି ୯୦ପ୍ରତିଶତ ଶେଷ ହୋଇଛି। ୧୦ ନମ୍ବର ୱାର୍ଡ଼ ସିଦେ୍ଧଶ୍ୱର ସାହି ପିଏଚସି ପାଇଁ ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଶେଷ ହୋଇ ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ସେହିପରି ୮ନମ୍ବର ୱାର୍ଡ଼ ତୁଳସୀପୁରରେ ୬୯ଲକ୍ଷ୨ହଜାର ୫୦୦ଟଙ୍କା ବ୍ୟୟରେ ହେବାକୁ ଥିବା ପିଏଚସି, ୪୫ ନମ୍ବର ୱାର୍ଡ଼ରେ ମଞ୍ଜୁଲତା ପିଏଚସି ପାଇଁ ୭୫ ଲକ୍ଷ ୪ହଜାର ଟଙ୍କା ଓ ୩୩ ନମ୍ବର ୱାର୍ଡ଼ ଥୋରିଆ ସାହି ପିଏଚସି ପାଇଁ ୭୨ଲକ୍ଷ ୭୩ହଜାର ଟଙ୍କା, ୫୫ନମ୍ବର ୱାର୍ଡ଼ ବିଦ୍ୟାଧରପୁର ସିଆରଆରଆଇ ପିଏଚସି ପାଇଁ ୭୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥିବାବେଳେ ଏହି ସବୁ ସ୍ଥାନରେ ଆଦୌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୫୯ ନମ୍ବର ୱାର୍ଡ଼ ବମ୍ଫକୁଦ ଠାରେ ୬୭ଲକ୍ଷ ୬୦ହଜାର ଟଙ୍କାର ପିଏଚସି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ବିଭାଗକୁ ଏଯାବତ ହସ୍ତାନ୍ତର କରାଯାଇନାହିଁ। ପୁନଶ୍ଚ ୪୮ନମ୍ବର ୱାର୍ଡ଼ ଜଗତପୁର ପିଏଚସି ପାଇଁ ୬୫ଲକ୍ଷ ଟଙ୍କା ବ୍ୟୟ ବହରାଦ ହୋଇଥିବାବେଳେ ତାହା ଏପର୍ଯ୍ୟନ୍ତ ୯୦ପ୍ରତିଶତ ଓ ୩ ନମ୍ବର ୱାର୍ଡ଼ ବିଦ୍ୟାଧରପୁର-ବାରଙ୍ଗ ପିଏଚସି ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୭୫ ପ୍ରତିଶତ ଶେଷ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ୫୧ ନମ୍ବର ୱାର୍ଡରେ ନୂଆବଜାର ପିଏଚସି ପାଇଁ ୧୧ଲକ୍ଷ ୫୪ହଜାର ଟଙ୍କା ବ୍ୟୟରେ ଏହା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇନାହିଁ। ତେବେ ବର୍ଷ ବର୍ଷ ଧରି (ପୂର୍ତ୍ତ) ଆରଏନବି-୧ ଓ (ପୂର୍ତ୍ତ) ଆରଏନବି-୨ ପକ୍ଷରୁ ଏହାର ନିର୍ମାଣ ଦାୟିତ୍ୱ ନିଆଯାଇଥିବାବେଳେ ଅବଧି ପୂରଣ ସତ୍ତ୍ୱେ କାର୍ଯ୍ୟ ଶେଷ ନହେବା ଯୋଗୁଁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି।

Leave a Reply

Your email address will not be published. Required fields are marked *