ଭୁବନେଶ୍ୱର, ୨୯ ଜୁନ (ଓଡ଼ିଆ ପୁଅ) -ସମାଜରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ସ୍ୱାଭିମାନର ସହ ବଂଚିବାର ରାସ୍ତା ତିଆରି କରିବା ସମାଜର ପ୍ରଥମ କାମ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ସଶକ୍ତ ଅଭିଯାନ କାଯ୍ୟକ୍ରମର ସମାପନ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତା ଜୁଲାଇ ମାସ ମଧ୍ୟରେ ରାଜ୍ୟର୧୦୦୦ ଦିବ୍ୟାଙ୍କ ମାନଙ୍କୁ ତାଙ୍କର ରୁଚି ଅନୁସାରେ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କର ଦକ୍ଷତା ବିକାଶ କରିବା ସହ ସମ୍ମାନର ସହ ବଂଟିବାର ରାସ୍ତା ତିଆରି କରିବାକୁ ପଡିବ। ରାଜ୍ୟରେ ୭୦ ଲକ୍ଷ ଦିବ୍ୟାଙ୍ଗ ରହିଛନ୍ତି। ସେମାନଙ୍କ ବିକାଶ ପାଇଁ ଚିନ୍ତା କରିବାକୁ ପଡିବ। ଏଥିପାଇଁ କାମ କରିବାକୁ ପଡିବ। ସମସ୍ତେ ଏନେଇ ସଂକଳ୍ପ ନେଇ ଘରେ ଘରେ ପହଁଚିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମହାପୁରୁଷ ମାନେ କହିଛନ୍ତି ନର ସେବା ହିଁ ନାରାୟଣ ସେବା। ଏଥିପାଇଁ ଆମେ ସମସ୍ତେ ଦିବ୍ୟାଙ୍କ ମାନଙ୍କର ବିକାଶ ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି। ଓଡିଶାକୁ ଏକବିଂଶ ଶତାବ୍ଦୀରେ ୧ ନମ୍ବର କରିବାର ରହିଛି। ଓଡିଶା ଏକନମ୍ବର ହେଲେ ଭାରତ ଏକ ନମ୍ବର ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯୯୫ ମସିହାରେ ଥିବା ନିୟମକୁ ସଂଶୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବ୍ୟାଙ୍ଗ ନାମ ଦେଲେ। ତେଣୁ ସେମାନଙ୍କର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଦିଲୀରେ ନିୟମ ହୋଇଛି। ଏହାକୁ କୋଣ ଅନୁକୋଣରେ ପହଁଚାଇବାର କାମ ସମସ୍ତଙ୍କର ରହିଛି। ଏହା ଏକ ସାମାଜିକ ଦାୟିତ୍ୱ ଓ ସାମାଜିକ ଆନ୍ଦୋଳନ ଭାବେ ଗ୍ରହଣ କରିବାର ଆବଶ୍ୟକ ରହିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।
