ସର୍ଭେ ତାଲିକାରେ ତ୍ରୁଟି : ତିନି ପରିବାରକୁ ପକ୍କା ଘର ଯୋଜନା ମନା

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାମାଜିକ ଓ ଅର୍ଥନୈତିକ ସର୍ଭେ ତାଲିକାରେ ଥିବା ତ୍ରୁଟି ପାଇଁ ତିନି ପରିବାର ସରକାରୀ ଯୋଜନାରେ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଚାଳ ଛପର ଘରକୁ ଆଦରି ପଡିଥିବା ଏହି ଅଭାବି ପରିବାରକୁ ସରକାରଙ୍କ ପକ୍କା ଘର ଲାଗି ସର୍ଭେ ତାଲିକା ପ୍ରତିବନ୍ଧକ ସାଜିଛି। ଏପରି ସ୍ଥିତିକୁ ନେଇ ଏହି ପରିବାର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ହେଲେ ଫଳ କିଛି ମିଳୁ ନଥିବା କହିଛନ୍ତି। ଏହି ଜିଲାର ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଦାମୋଦରପୁର ଗାଁର ଜାନକୀ ବାରିକ, ଅଜୟ ବାରିକ ଓ ଦାସରଥୀ ବାରିକଙ୍କ ପରିବାର ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି। ବିଧବା ଜାନକୀ ବାରିକ(୭୦) ତିନି ଝିଅଙ୍କ ମଧ୍ୟରୁ ଗୋଟିଏ ଝିଅକୁ ବାହା ଦେଇଛନ୍ତି। ଅନ୍ୟ ଦୁଇ ଝିଅଙ୍କୁ ନେଇ ତାଙ୍କ ସଂସାର। ପରିବାର ଚଳାଇବା ତାଙ୍କ ପାଇଁ କାଠିକର ପାଠ ହୋଇଛି। ପ୍ରତିବର୍ଷ ଚାଳ ଛପରକୁ ସାଇତିବା ସମ୍ବଳ ନାହିଁ। ଛପରରୁ ପାଣି ଗଳୁଥିବାରୁ ସ୍ଥାନେ ସ୍ଥାନେ ପଲିଥିନି ପକାଇଛନ୍ତି। ଘର କାନ୍ଥର ଅବସ୍ଥା ଦୁର୍ବଳ ହେଲାଣି। ସରକାରଙ୍କ ମାସିକିଆ ଚାଉଳ ଓ ଭତ୍ତାରେ ପରିବାର ଚାଲିଛି। ହେଲେ ପକ୍କାଘର ଖଣ୍ଡ ପାଇଁ ବହୁବାର ଆବେଦନ କରିଥିବା ସେ କହିଛନ୍ତି। ସେହିପରି ଅଜୟ ଓ ଦାସରଥୀଙ୍କର ମଧ୍ୟ ଦୟନୀୟ ଅବସ୍ଥା। ସରକାରଙ୍କ ପକ୍ଷରୁ ମିଳିଛି ପଡିକାର୍ଡ। ଅଭାବି ସଂସାରକୁ ଚଳାଇବା ଲାଗି ଦୁଃଖକୁ ସାଥୀ କରିଛନ୍ତି। ଘର ଚାଳ ଛପର ଅବସ୍ଥା ସଙ୍ଗୀନ ଅବସ୍ଥାରେ ଅଛି। ସରକାରୀ ଯୋଜନାରେ ପକ୍କାଘର ଖଣ୍ଡେ କରିବାକୁ ଆଶା ରଖିଛନ୍ତି। ବାରମ୍ବାର ଆବେଦନ କରିବା ସହିତ ସରପଞ୍ଚଙ୍କୁ ସେମାନେ କହିଛନ୍ତି। ମାତ୍ର କୌଣସି ଯୋଜନାରେ ସେମାନଙ୍କ ସାମିଲ କରାଯାଇନାହିଁ। କେବଳ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡିବା ସାର ହୋଇଛି। ତିନି ପରିବାରର ଏହି ସମସ୍ୟାକୁ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା କହନ୍ତି, ସେର୍ଭ ତାଲିକାରେ ତ୍ରୁଟି ପାଇଁ ସେମାନଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇ ପାରୁନି। ଏଥିପାଇଁ ବିଡିଓଙ୍କୁ ଅବଗତ କରିଥିବା କହିଛନ୍ତି। ସାମାଜିକ ଓ ଅର୍ଥନୈତିକ ତାଲିକାରେ ତାଙ୍କର ଯେଉଁ ତ୍ରୁଟି ହୋଇଛି, ସେ ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିବା ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି। ତେବେ ତ୍ରୁଟିୂପଣ୍ଣ ର୍ ତାଲିକାର କେବେ ସୁଧାର ହେବ ଏବଂ ପକ୍କାଘର ଯୋଜନାରେ ଏହି ତିନି ପରିବାରକୁ ସାମିଲ କରାଯିବ, ତାହା ସମୟ କହିବ।

Leave a Reply

Your email address will not be published. Required fields are marked *