ସର୍ବ ଭାରତୀୟ ୧୯ତମ ହୃଦାନନ୍ଦ ମଲ୍ଲିକ ସ୍ମାରକୀ କ୍ରିକେଟ

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସୂର୍ଯ୍ୟଶିଖା କ୍ଳବ ଆନୁକୁଲ୍ୟରେ ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ଚାଲିଥିବା ୧୯ତମ ହୃଦାନନ୍ଦ ମଲ୍ଲିକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲୋକାଲ ଗୃପ୍ର ଆଜିର ମ୍ୟାଚରେ ଆୟୋଜକ ସୂର୍ଯ୍ୟଶିଖା କ୍ଲବ ୨ ରନରେ ଏକ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଆଜି ସୂର୍ଯ୍ୟଶିଖା କ୍ଳବ ଓ ୟୁନିକ ଇଲେଭେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟଶିଖା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୧୮ ଓଭରରେ ଦଳ ୫ ଉଇକେଟ ହରାଇ ୧୮୬ରନ କରିଥିଲା। ଦଳ ପକ୍ଷରୁ ଅଂଶୁମାନ ନାୟକ ୫ଟି ଛକା ସହାୟତାରେ ୬୯ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବି. ପ୍ରସନ୍ନ ଦାସ ୨୩, ରାଜିବ ଲୋଚନ ବେହେରା ୨୦, ଅମିତ ରାଉତ ୨୩ ଓ ଶୁଭମ ନାୟକ ୨୨ ରନ କରିଥିଲେ। ୟୁନିକ ଇଲେଭେନ ପକ୍ଷରୁ ଇଶ୍ୱର ରାଓ ଓ ସୁଦାମ ମଲ୍ଲିକ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ୧୮୭ ରନର ପିଛା କରି ୟୁନିକ ଇଲେଭେନ ୧୮ ଓଭରରେ ୩ ଉଇକେଟ ହରାଇ ୧୮୪ରନ କରି ୨ ରନରେ ମ୍ୟାଚ ହାରିଥିଲା। ଦଳ ପକ୍ଷରୁ ସାର୍ଥକ ବିଶ୍ୱାଳ ୩୭, ମାନସ ଭୋଳ ୪୫, ଇଶ୍ୱର ରାଓ ୩୯, ରାକେଶ ମହାପାତ୍ର ୧୬, ସୁଦାମ ମଲ୍ଲିକ ୨୮ ରନ କରିଥିଲେ। ଅନ୍ୟ ପକ୍ଷରେ ସୂର୍ଯ୍ୟଶିଖା ପକ୍ଷରୁ ଅଂଶୁମାନ ନାୟକ, ଅମିତ୍ ରାଉତ ଓ ସରୋଜ ବେହେରା ପ୍ରତ୍ୟେକେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୂର୍ଯ୍ୟଶିଖା ଦଳର ଅଂଶୁମାନ ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚକୁ ଶରତ ଜେନା ଓ ଲଲାଟ କେଶରୀ ନନ୍ଦ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *