ସରୀସୃପ ଓ ବନ୍ୟଜନ୍ତୁଙ୍କ ଭୟରେ ନଳପଙ୍ଗା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ୪୦ ଛାତ୍ରଛାତ୍ରୀଙ୍କ ଶାହା ଭରସା ଜହ୍ନ ଆଲୁଅ

ହରିଚନ୍ଦନପୁର, ତା ୨୭ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିନସ୍ଥ ନଳପଙ୍ଗା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୧୩୫ଜଣ ଛାତ୍ରଛାତ୍ରୀ ଭୟବିତ ଅବସ୍ଥାରେ ରହୁଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟର ପାଚେରୀ କାମ ଅଧପାନ୍ତରା ଅବସ୍ଥାରେ ପଡି ରହିଥିବାକୁ ନେଇ ବିଦ୍ୟାଳୟ ପରିସର ମଧ୍ୟକୁ ଅନେକ ବିଷଧର ସରୀସୃପ ପଶି ଆସୁଛନ୍ତି। ତାହା ସହ ଅନେକ ସମୟରେ ହାତୀର ଭୟ ରହିଥିବା ବେଳେ ବନ୍ୟଜନ୍ତୁଙ୍କ ଭୟ ସବୁ ସମୟରେ ଲାଗିରହିଛି। ବିଦ୍ୟାଳୟଟିର ସ୍ଥାପିତ ୨୩.୪.୧୯୬୭ ମସିହାରେ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ବିଦ୍ୟାଳୟ ଚତୃପାର୍ଶ୍ୱ ପାଚେରୀ କରାଯାଇନଥିବା ସହ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ସରକାରୀବାବୁମାନଙ୍କ ଖାମଖିଆଲି ମନୋଭାବକୁ ନେଇ ଆଜକୁ ୫୧ବର୍ଷରୁ ଉର୍ଦ୍ଧ୍ୱ ଦିନ ବିତିଯାଇଥିବା ବେଳେ ଆଜି ପ୍ରର୍ଯ୍ୟନ୍ତ ଏହି ସ୍କୁଲର ପରିସର ଆବଦ୍ଧ କରାଯାଇନାହିଁ। ଖାଲି ଏହି ସ୍କୁଲ ଏହିଭଳି ଅବସ୍ଥାରେ ଗତି କରୁନାହିଁ ବ୍ଲକର ଅନେକ ଗ୍ରାମମାନଙ୍କରେ ଥିବା ସ୍କୁଲଗୁଡିକର ଚତୃପାର୍ଶ୍ୱ ଖୋଲା ଅବସ୍ଥା ଭାବରେ ପଡିରହିଥିବାର ନଜିର ରହଛି। ସରକାର ଆଦିବାସୀ ଅଞ୍ଚଳଗୁଡିକର ଛାତ୍ର ଛାତ୍ରୀମାନେ ଶିକ୍ଷା ଅଧୟନରୁ ବଞ୍ଚିତ ନହେବାକୁ ଆଖି ଆଗରେ ରଖି ବାର୍ଷିକ କୋଟି କୋଟି ଟଙ୍କା ଅନୁଦାନ କରି ଅନେକ ସଂସ୍ଥା ମାଧ୍ୟମରେ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି। ଅଭିଭାବକମାନଙ୍କ ଇଚ୍ଛା ପ୍ରକଟ କରିବା ସହ ଛାତ୍ର ଛାତ୍ରୀମାନଙ୍କ ଆଗ୍ରହ ବଢାଇବା ପାଇଁ ସମସ୍ତ ଗ୍ରାମଗୁଡିକରେ ବିଦ୍ୟାଳୟ ସ୍ଥାପିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ପାଠ ପଢା ନିମନ୍ତେ ଉଚିତ୍ ପରିମାଣର ବହି, ଖାତ, ବ୍ୟାଗ୍, ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥି ସହ ଛାତ୍ର ଛାତ୍ରୀମାନଙ୍କ ଉତ୍ସାହ ବଢିବା ପାଇଁ ସୁନ୍ଦର ସ୍କୁଲ କରିବାକୁ ଉଦ୍ଦେଶ୍ୟରେ ସ୍କୁଲର ଚତୃପାର୍ଶ୍ୱରେ ପାଚେରୀ ପରିସର ମଧ୍ୟରେ ନାନା ପ୍ରକାର ରଙ୍ଗ ବେରଙ୍ଗର ସୁନ୍ଦର ଫୁଲ ଗଛ ଲଗାଇବା ସହ ପରିସର ମଧ୍ୟ ପରିସ୍କାର ପରିଚ୍ଛନ କରିବାର କଡା ନିଦ୍ଦେଶ ରହିଛି। ସାଧାରଣତଃ ଏହି ସ୍କୁଲଟିରେ ରହିଥିବା ଛାତ୍ରବାସରେ ୪୦ଜଣ ଛାତ୍ର ରହି ପାଠାୟନ କରୁଛନ୍ତି। ବିଦ୍ୟାଳୟର ଛାତ୍ରବାସକୁ ବିଦ୍ୟୁତ ସଂଯୋଗ ହେଇନଥିବାକୁ ନେଇ ପାଠ ପଢାରେ ଛାତ୍ରମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଉଥିବାର ଦୃଶ୍ୟମାନ ହୋଇଛି। ବିଦ୍ୟାଳୟର ଶିକ୍ଷକଙ୍କ କହିବା ଅନୁଶାରେ ପାଚେରୀ ନଥିବାକୁ ନେଇ ବିଦ୍ୟାଳୟର ପୁରୁଣା ଗୃହରୁ ବାହାରିଥିବା ପୁରୁଣା ଆଜବେଷ୍ଟ ଗୁଡିକୁ ପାଚେରୀ ଭାବରେ ଠିଆ କରାଯାଇଛି। ସେହି ଆଜବେଷ୍ଟ ଫାଙ୍କରେ ବିଷଧର ସାପ ପରିସର ମଧ୍ୟକୁ ପ୍ରବେଶ କରୁଛନ୍ତି ଏବଂ ଆଜକୁ ଏକମାସ ମଧ୍ୟରେ ପରିସର ମଧ୍ୟରୁ ୪ଟିରୁ ଅଧିକ ବିଷଧର ସାପ ଉଦ୍ଧାର କରାଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଭୟବିତର ଲହରି ଖେଳିଯାଇଛି। ଅନ୍ୟପଟେ ସାପ ସହ ହାତୀର ଭୟକୁ ନେଇ ରାତି ସମୟରେ ଭୟବିତ ଅବସ୍ଥାରେ ରହିବା ସହିତ ସନ୍ଧ୍ୟା ହେବା ମାତ୍ରକେ ଛାତ୍ରବାସରୁ ବାହାରକୁ ବାହାରିବା ପାଇଁ କୁଣ୍ଠାବୋଧ କରିଥାନ୍ତି। ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ନିଜ ନିଜର ପିଲାମାନଙ୍କୁ ସାପ ଓ ହାତୀ ଭୟକୁ ନେଇ ବିଦ୍ୟାଳୟକୁ ପଠାଇବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ବେଳେ କେବଳ ଶିକ୍ଷାରୁ ବଞ୍ଚିନ୍ତ ନରହିବାକୁ ନେଇ ବାଧ୍ୟ ହୋଇ ବିଦ୍ୟାଳୟକୁ ପଠାଉଥିବାର ଜଣାଇଛନ୍ତି। ଅନ୍ୟପଟେ ବିଦ୍ୟାଳୟର ପରିଚାଳନା କମିଟର ସଦସ୍ୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲ ପରିସରକୁ ଆବଦ୍ଧ କରିବା ସହ ବିଦ୍ୟୁତ ସଂଯୋଗକୁ ନେଇ ବାରମ୍ବାର ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କ ନଜରକୁ ଆଣିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନିଆଯାଇ ନଥିବାକୁ ନେଇ ଅଭିଭାବକ ତଥା ପରିଚାଳନା କମିଟର ସଦସ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ନେଇ ଯଥାଶିଘ୍ର ଚତୃପାର୍ଶ୍ୱ ଆବଦ୍ଧ କରାଇବା ସହ ବିଦ୍ୟୁତ ସଂଯୋଗ କରାଇବା ପାଇଁ ଏ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *