ସରିଗଲା ମଧ୍ୟାହ୍ନ ଭୋଜନ ଚାଉଳ : ଝୁଲୁଛି ଟେଣ୍ଡର, ଉପାସରେ ପିଲା

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ମଧ୍ୟାହ୍ନ ଭୋଜନ ପରିବହନ ପାଇଁ ହୋଇଥିବା ଟେଣ୍ଡର କୋର୍ଟରେ ଝୁଲୁଛି। ଏଣେ ସ୍କୁଲଗୁଡିକରେ ଚାଉଳ ନାହିଁ। ମଧ୍ୟାହ୍ନ ଭୋଜନ ରୋଷେଇ ହେଉନି କି ପିଲା ଖାଇବାକୁ ପାଉନାହାଁନ୍ତି। ଶିକ୍ଷାବର୍ଷ ଜୁନ୍ ୨୬ ରୁ ଆରମ୍ଭ ହେଲାଣି। ଆଉ କେଇଦିନ ପରେ ମାସେ ପୂରିବ। ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇନି। ଅଧିକାଂଶ ସ୍କୁଲରେ ଶିକ୍ଷାବର୍ଷ ଆରମ୍ଭରୁ ମଧ୍ୟାହ୍ନ ଭୋଜନ ଚାଉଳ ନଥିଲା। ଏହା ଜଣାପଡିବା ପରେ ଶିକ୍ଷା ବିଭାଗ ଜୁଲାଇ ୬ ରେ ଜିଲାର ବିଇଓମାନଙ୍କୁ ଏକକାଳୀନ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ମଧ୍ୟାହ୍ନ ଭୋଜନ ଚାଉଳ କେତେ ଆବଶ୍ୟକ, ତାହାର ତାଲିକା ମାଗିଥିଲା। ବିଇସମାନେ ତାଲିକା ଦେବାକୁ ୧୫ ଦିନ ବିତିଗଲା। ସୂଚନା ମୁତାବକ ତାଲିକା ଫାଇନାଲ ହୋଇଛି। ଜିଲାର ୭ ବ୍ଲକ୍ର ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ଓ ଅଗଷ୍ଟ ମାସ ବାବଦ ୯୫୦୦ କ୍ୱିଣ୍ଟାଲ ଚାଉଳ ଆବଶ୍ୟକ ବୋଲି ଜଣାପଡିଛି। ଏହି ଜିଲାର ତିହିଡି ବ୍ଲକ୍ରେ ଜୁଲାଇ ମାସ ପାଇଁ ୭୫୯ କ୍ୱିଣ୍ଟାଲ ଓ ଅଗଷ୍ଟ ମାସ ପାଇଁ ୮୩୦ କ୍ୱିଣ୍ଟାଲ ଚାଉଳ ବରାଦ ଦିଆ ହୋଇଛି। ସେମିତି ଧାମନଗର ପାଇଁ ଜୁଲାଇର ୪୫୬ କ୍ୱିଣ୍ଟାଲ ଓ ଅଗଷ୍ଟ ପାଇଁ ୬୩୧ କ୍ୱିଣ୍ଟାଲ, ଚାନ୍ଦବାଲିକୁ ଦୁଇମାସ ପାଇଁ ୧୯୯୭ କ୍ୱିଣ୍ଟାଲ, ବନ୍ତ ପାଇଁ ୧୦୩୮ କ୍ୱିଣ୍ଟାଲ, ଭଣ୍ଡାରିପୋଖରୀ ପାଇଁ ୬୮୫ କ୍ୱିଣ୍ଟାଲ, ଭଦ୍ରକ ବ୍ଲକ୍ ପାଇଁ ୧୦୧୮ କ୍ୱିଣ୍ଟାଲ, ଭଦ୍ରକ ପୌରାଞ୍ଚଳ ପାଇଁ ୩୬୬ କ୍ୱିଣ୍ଟାଲ, ବାସୁଦେବପୁର ବ୍ଲକ୍ ପାଇଁ ୧୫୨୮ କ୍ୱିଣ୍ଟାଲ, ବାସୁଦେବପୁର ପୌରାଞ୍ଚଳ ପାଇଁ ୧୩୨ କ୍ୱିଣ୍ଟାଲ ଚାଉଳର ଆବଶ୍ୟକତା ରହିଛି। ତାଲିକା ପ୍ରସ୍ତୁତ ହୋଇଥିଲେ ବି ଚାଉଳ କେମିତି ଆସିବ ସେ ଚିନ୍ତା ଏବେ ପ୍ରଶାସନକୁ ଘାରିଛି। କାରଣ ପରିବହନ ଟେଣ୍ଡର ଏଯାଏଁ କୋର୍ଟରେ ଫଇସଲା ହୋଇନି। ଏଣେ ଶିକ୍ଷା ବିଭାଗ ଚାଉଳର ଆବଶ୍ୟକତା ତାଲିକା ପ୍ରସ୍ତୁତ କରି ଜିଲାପାଳଙ୍କୁ ନେହୁରା ହୋଇଛି। ତୁରନ୍ତ ସମସ୍ୟାର ସମାଧାନ ନହେଲେ ସବୁ ସ୍କୁଲର ଛାତ୍ରଛାତ୍ରୀ ଉପାସ ରହିବେ ବୋଲି ଜଣାଇଛନ୍ତି। ସୂଚନା ମୁତାବକ ୨୦୧୭/୧୮ ବର୍ଷ ପାଇଁ ଚାଉଳ ପରିବହନ ଦାୟିତ୍ୱ ନେଇଥିବା ଠିକାଦାରଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ ରେ ସରିଯାଇଛି। ହେଲେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଶିକ୍ଷା ବିଭାଗ ଚତୁରତାର ସହ ଟେଣ୍ଡରଧାରୀଙ୍କ ହାତରେ ୭ ହଜାର କ୍ୱିଣ୍ଟାଲରୁ ଅଧିକ ଚାଉଳ ଉଠାଇ ଦେଇଥିଲେ। ହେଲେ ୨୦୧୭ ସେପ୍ଟେମ୍ବର ମାସର କୋଟା ୪.୫୦୦ କ୍ୱିଣ୍ଟାଲ ବାଜ୍ୟାପ୍ତି ହୋଇ ଯାଇଥିଲା। ପରେ ବହୁ ଚିଠି ଆଦାନ ପ୍ରଦାନ ପରେ ଏହି ଚାଉଳ ଫେରିଥିଲା। ସେ ଚାଉଳକୁ ମିଶାଇ ମାର୍ଚ୍ଚ, ଅପ୍ରେଲ ମାସର ଚାଉଳ ମୋଟ ୭.୧୦୦ କ୍ୱିଣ୍ଟାଲ ଚାଉଳ ଉଠାଗଲା ଓ ଶିକ୍ଷକମାନଙ୍କୁ ସ୍କୁଲ ଛୁଟି ପରେ ଅଫିସ୍ରେ ବସି ଚାଉଳ ରିସିଭ୍ କରିବାକୁ ନିର୍ଦ୍ଦେଶ ହେଲା। ଜୁନ୍ ୨୬ ରେ ସ୍କୁଲ ଖୋଲିଲା ପରେ ପୁରୁଣା ଚାଉଳକୁ ନେଇ ଚାଲିଲା ମଧ୍ୟାହ୍ନ ଭୋଜନ। ଏଣେ ନୂଆ ଶିକ୍ଷାବର୍ଷ ପାଇଁ ନୂଆ ଟେଣ୍ଡର ଫାଇନାଲ ହୋଇପାରିଲା ନାହିଁ। ଏବେ କେମିତି ଚାଉଳ ବଣ୍ଟନ ହେବ, ସେ ନେଇ ଅଧିକାରୀମାନେ ଚିନ୍ତାରେ ଅଛନ୍ତି।

Leave a Reply

Your email address will not be published. Required fields are marked *