ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ

ରାଉରକେଲା ୨୪-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀ କଇଁଥାବସା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର୨୩ତମ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ବିଦ୍ୟାଳୟ ନିକଟ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ସଭାପତି ନବକିଶୋର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଫକୀର ଚରଣ ହୋତା ଯୋଗ ଦେଇ ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସେ ସ୍କୁଲର ଶୈକ୍ଷିକ ବାତାବରଣର ପ୍ରଶଂସା କରିବା ସହ କହିଥିଲେ ଯେ, କେବଳ ବିଦ୍ୟାଳୟ ନୁହେଁ, ଘରେ ମଧ୍ୟ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କୁ ସୁବ୍ୟବସ୍ଥା ମାଧ୍ୟମରେ ଯତ୍ନ ନେଲେ, ସେମାନେ ଏକ ସୁନାଗରିକ ଭାବେ ଆଗାମୀ ଦିନରେ ନିଜକୁ ଗଢିତୋଳି ପାରିବେ। ବିଦ୍ୟାଳୟରେ ଗୁରୁ ଓ ଗୁରୁମା ମାନଙ୍କୁ ଛାତ୍ରଛାତ୍ରୀ ମାନେ ସମ୍ମାନ ପ୍ରଦର୍ଶନ କଲେ, ଏହା ତାଙ୍କ ପାଇଁ ଶୁଭଙ୍କର ସାବସ୍ତ୍ୟ ହୋଇଥାଏ ବୋଲି ଶ୍ରୀ ହୋତା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମୁଦାଲି ଯୋଗଦେଇ ଶିକ୍ଷା ସହିତ ଉତମ ଚରିତ୍ର ଗଠନ କରି ସମାଜରେ ଏକ ଭଲ ମଣିଷ ହେବା ପାଇଁ ଶିକ୍ଷକ ମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ବିଦ୍ୟାଳୟ ହିଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଜ୍ଞାନ ଅର୍ଜନ କରିବାର ପ୍ରଥମ ପ୍ରବେଶ ଦ୍ୱାର ବୋଲି କହିବା ସହ ଲକ୍ଷ୍ୟ ସହ ନିଜର ତ୍ରୁଟିକୁ ସଂଶୋଧନ ଏବଂ କଠିନ ପରିଶ୍ରମ ଜଣେ ଛାତ୍ରକୁ ଉତମ ନାଗରିକ ହେବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଦୀପ୍ତିପ୍ରଭା ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ସୁବାଷ ଚନ୍ଦ୍ର ପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଉପଦେଷ୍ଟା ରଂଜିତ ସାମନ୍ତରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଚାର୍ଯ୍ୟା ସସ୍ମିତା ସେନାପତିଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଂଚାଶୀନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟା ଲିପିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପକ୍ଷରୁ ଝାନ୍ ବେଶ୍ରା, ରିନୁ ଜେନା, ସେହ୍ନଲତା କିଶାନ, ପ୍ରଣତି ଜେନା, ସୁପ୍ରଭା ପ୍ରିୟଦର୍ଶିନୀ ନାୟକ, ସ୍ୱପ୍ନା ରାଉତରାୟ, ନଳିନୀ ପରିଡ଼ା, ଦେଓଗି ମାଝୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *