ସରକାର ନବୁଝିଲେ ଆତ୍ମହତ୍ୟା କରିବେ ଚାଷୀ: କେନ୍ଦୁଝରରେ ଅଦିନିଆ ଝଡ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡରେ ଉଜୁଡିଲା ଫସଲ – ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ

କେନ୍ଦୁଝର ତା ୭.୪.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କାଳବୈଶାଖି ପ୍ରଭାବରେ କେନ୍ଦୁଝରରେ ଗତ ୩ଦିନ ଧରି ଝଡବର୍ଷା ଲାଗିରହିଥିବାବେଳେ ଶୁକ୍ରବାର ସଂଧ୍ୟାରେ ବର୍ଷା ସଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଛି। ଏହି କୁଆପଥର ମାଡରେ ଚାଷୀଙ୍କ ମେରୁଦଣ୍ଡ ପ୍ରାୟତଃ ଭାଙ୍ଗି ପଡିଛି। ବର୍ଷା ଏବଂ କୁଆପଥର ଚାଷୀଙ୍କ ଫସଲ ନଷ୍ଟ କରି ଦେଇଥିବା ବେଳେ ଏବେ ଚାଷୀକୁଳ କିପରି ଋଣ ଶୁଝିବେ ଓ ପରିବାର ମୁହଁରେ ମୁଠେ ଆହାର ଦେବେ ସେହି ଚିନ୍ତା ରେ ମୁଣ୍ଡରେ ହାତଦେଇ ବସିଛି।

ସମଗ୍ର କେନ୍ଦୁଝର ଜିଲ୍ଲାରେ ଚାଷୀମାନେ ହଜାହଜାର ଏକର ଜମିରେ କରିଛନ୍ତି ରବି ଫସଲ। ବିଶେଷକରି ଖରାଦିନେ ୨ପଇସା ଭଲ ମିଳିବା ଆଶାରେ ଚାଷୀମାନେ ପରିବା ଚାଷକୁ ଆଦରି ନେଇଛନ୍ତି। କିନ୍ତୁ ଗତ ୩ଦିନ ଧରି ଲାଗିରହିଥିବା ବର୍ଷା ସାଙ୍ଗକୁ ଗତକାଲିର ପ୍ରବଳ କୁଆପଥର ମାଡ ସେମାନଙ୍କ ଆଶାକୁ ଧୁଳିସାତ କରିଦେଇଛି। ସ୍ଥିତି ପରିଖିବାକୁ ଆମ ଟିମ କେନ୍ଦୁଝର ସଦରବ୍ଲକ ଜର୍ନାର୍ଦ୍ଦନପୁର ପଂଚାତରର ଭୁୟାଁ ସାହିରେ ପହଂଚିଥିଲା। ଏହି ଗୋଟିଏ ଗ୍ରାମର ଚିତ୍ର ଦେଖିଲେ ଜିଲ୍ଲାର ଅବସ୍ଥା ବେଶ ବାରି ହୋଇପଡୁଥିଲା। ଏହି ଗ୍ରାମରେ ବହୁ ଚାଷୀ ବିଲାତି, ବାଇଗଣ, ବିନଚୁଇଁ, କଲରା, ଭେଣ୍ଡି ଆଦି ଫସଲ କରିଥିଲେ। କିନ୍ତୁ କୁଆପଥର ମାଡରେ ସେ ସବୁ ନଷ୍ଟ ହୋଇଯାଇଛି। ଗଛର ପତ୍ର ସବୁ ଝଡି ଯାଇଥିବା ବେଳେ ଯାହାକିଛି ରହିଛି ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କଂଚା ବିଲାତି ଓ ବାଇଗଣ ସବୁ କୁଆ ପଥର ମାଡରେ ଫାଟି ଆଁ କରି ରହିଛି, ବାକି ଗଛ ଗୁଡିକ ଭୁଇଁରେ ଲୋଟି ପଡିଛି। ଚାଷଜମିର ଏପରି ଅବସ୍ଥା ଦେଖି ଚାଷୀ ଆଖିରେ ଲୁହ ଆସିଯାଇଛି। ଏପରିକି ୨ଦିନ ହେବ ଚିନ୍ତାରେ ଛାଷୀ ଘରେ ଚୁଲି ମଧ୍ୟ ଜଲୁନାହିଁ। ସରକାର ଓ ବେସରକାର ସଂସ୍ଥା ସହ ସାହୁକାର ଠାରୁ ଲୋନ ଓ ହାତ ଉଧାରି କରି ଚାଷ କରିଥିଲେ, ଧାରକରଜ ଏବେ କିପରି ସୁଜିବେ ସେନେଇ ଚିନ୍ତାରେ ପଡିଛନ୍ତି। ତେଣୁ ସରକାର କୌଣସି ପଦକ୍ଷେପ ନେବାକୁ ସେମାନେ ନେହୁରା ହେଉଛନ୍ତି। ଆଉ ସରକାର ନଶୁଣିଲେ ସେମାନେ ବାଧ୍ୟ ହୋଇ ଚାଷୀମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ଦିଲ୍ଲୀପ ବାସ୍ତା, ଘାଷିରାମ ଟୁଡୁ ଓ କାହ୍ନୁ ଚରଣ ପାତ୍ର ଆଦି।

ଜିଲ୍ଲା କୃଷି ଉପନିର୍ଦେଶକ ଚିତ ରଞ୍ଜନ ସାହୁ ବର୍ଷା ଏବଂ କୁଆପଥର ମାଡରେ ବ୍ୟାପକ ଚାଷ ନଷ୍ଟ ହୋଇଥିବା ସ୍ୱୀକାର କରିଥିବାବେଳେ ତାହାର ଆକଳନ କରାଯାଇ ସରକାରଙ୍କ ନିୟମ ଅନୁଯାୟୀ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *