ଓଡ଼ିଶା

ସରକାର ଦୋଷ ଲୁଚାଇବାକୁ ଫର୍ମାଲିନ୍ କଥା କହି ମତ୍ସ୍ୟଜୀବିଙ୍କ ଜୀବିକାରେ ପ୍ରହାର କରୁଛନ୍ତି: ପ୍ରଦେଶ ମତ୍ସ୍ୟଜୀବି କଂଗ୍ରେସ

ଭୁବନେଶ୍ୱର ତା ୧୬/୭/୧୮(ଓଡ଼ିଆ ପୁଅ)- ଓଡ଼ିଶାର ଜନସାଧାରଣ ମାଛ ଖାଇବାକୁ ଭଲ ପାଆନ୍ତି। ଏଥିପାଇଁ ଆମ ରାଜ୍ୟର ଉପଭୋକ୍ତାମାନଙ୍କ ପାଇଁ ବାର୍ଷିକ ମୁଣ୍ଡପିଛା ୧୩ କେଜି ୫୦୦ଗ୍ରାମ ମାଛ ଆବଶ୍ୟକ ହୁଏ। କିନ୍ତୁ ଓଡିଶାରେ ମଧୁରଜଳ, ଖାରିଜଳ, ସମୁଦ୍ର ତଥା ଚିଲିକା ଆଦିରୁ ବାର୍ଷିକ ୫୦, ୦୨୦୬ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଛି, ଯାହାକି ଚାହିଦା ମୁତାବକ ଯଥେଷ୍ଟ ନୁହେଁ। ଏଥିପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ ଆଦି ରାଜ୍ୟରୁ ଓଡ଼ିଶାର ମାଛ ବ୍ୟବସାୟୀମାନେ ବାର୍ଷିକ ପ୍ରାୟ ୪୦, ୦୦୦ ମେଟ୍ରିକ୍ ଟନ୍ ମାଛ ଆମଦାନୀ କରି ଥାଆନ୍ତି। ସେହିପରି ବାହାର ରାଜ୍ୟ ଓ ବିଦେଶକୁ ଆମ ରାଜ୍ୟରୁ ବାର୍ଷିକ ୪୧୮୨୮ ମେଟ୍ରିକ୍ ଟନ୍ ସାମୁଦ୍ରିକ ମାଛ ରତ୍ପାନୀ ହୋଇଥାଏ। ଓଡିଶାର ଉପଭୋକ୍ତାମାନେ ସାଧାରଣତଃ ମଧୁରଜଳ ମାଛକୁ ଅଧିକ ପସନ୍ଦ କରୁଥିବାବେଳେ ସାମୁଦ୍ରିକ ମାଛର ଚାହିଦା ବିଦେଶରେ ବେଶ୍ ଅଧିକ। ରାଜ୍ୟରେ ବାସକରୁଥିବା ପ୍ରାୟ ୨୦ଲକ୍ଷ ମତ୍ସ୍ୟଜୀବି ମାଛଚାଷ, ମାଛଧରା ଓ ମାଛ ବିକ୍ରିକୁ ନେଇ ଜୀବିକା ନିର୍ବାହ କରନ୍ତି। କିନ୍ତୁ ରାଜ୍ୟ ସରକାର ଏହି ସଂପ୍ରଦାୟର ଜୀବିକା ଓ ଜୀବନ ପାଇଁ ଆଦୌ ଚିନ୍ତିତ ନଥିବା ପରି ଜଣାପଡେ। ମତ୍ସ୍ୟଜୀବିଙ୍କ ଜୀବିକାର ବିକାଶ, ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣି ତାଙ୍କୁ ସ୍ୱାବଲମ୍ବୀ କରିବା ସହ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଗତ ୟୁପିଏ ସରକାର ସମୟରୁ ବହୁ ଯୋଜନା କରାଯାଇଥିଲେ ମଧ୍ୟ ସେସବୁକୁ ଓଡିଶାରେ କାର୍ଯ୍ୟକାରୀ କରାଗଲାନାହିଁ। ଫଳରେ ପାରମ୍ପାରିକ ମତ୍ସ୍ୟଜୀବିମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଦୂରର କଥା, ସେମାନେ ସର୍ବନିମ୍ନ ସୁବିଧାରୁ ମଧ୍ୟ ବଂଚିତ ହେଉଛନ୍ତି। ଅନ୍ୟ କ୍ଷେତ୍ରରେ ମାଛ ବ୍ୟବସାୟ ଏକ ଲାଭଦାୟକ ବ୍ୟବସାୟ ହୋଇଥିବାରୁ ଅନେକ ଅଣ ମତ୍ସ୍ୟଜୀବି ଏବେ ତାର ଫାଇଦା ହାସଲ କରି ସରକାରୀ ସୁବିଧା ହାତେଇବାରେ ସଫଳ ହେଉଛନ୍ତି।

ରାଜ୍ୟ ସରକାର ପାରମ୍ପାରିକ ମତ୍ସ୍ୟଜୀବିମାନଙ୍କ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରୁନଥିବା ବେଳେ ଏବେ ଆସାମର ଗୌହାଟିକୁ ମାଛ ଚାଲାଣବେଳେ ଫର୍ମାଲିନ୍ ନାମକ ବିଷାକ୍ତ ରାସାୟନିକ ଦ୍ରବ୍ୟର ବ୍ୟବହାର ଖବର ପାଇ କେତେକ ଚାଲଣ ମାଛକୁ ପରୀକ୍ଷା ନିରୀକ୍ଷା କରିଛନ୍ତି। ଏହି ପରୀକ୍ଷା ରିପୋର୍ଟରୁ କେବଳ ପାମ୍ପଲେଟ୍ ମାଛରେ ଫର୍ମାଲିନ ରାସାୟନିକ ଦ୍ରବ୍ୟ ମିଶିଥିବା ଜଣାପଡିବାପରେ ବ୍ୟବସାୟୀମାନେ ଏହାର ଆମଦାନୀକୁ ବନ୍ଦ କରିଛନ୍ତି। ଅଥଚ ସରକାରଙ୍କ ବିଭାଗୀୟ ପଦାଧିକାରୀମାନେ ଅନ୍ୟ ଖାଦ୍ୟ ସାମଗ୍ରୀ ପରି ଦୀର୍ଘଦିନ ଧରି ଆମଦାନୀ ହେଉଥିବା ମାଛର ନମୁନା ପରୀକ୍ଷା କରୁନଥିବା ଭଳି ଅପରାଧିକ ମନୋଭାବକୁ ଲୁଚାଇବା ପାଇଁ “ମାଛରେ ବିଷ” କଥାକୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରି ଜନସାଧାରଣ ଓ ମାଛ ବ୍ୟବସାୟୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ଫଳରେ ଓଡିଶାକୁ ବାହାର ରାଜ୍ୟରୁ ଆସୁଥିବା ମଧୁରଜଳ ଉତ୍ପାଦିତ ମାଛ ମଧ୍ୟ ବନ୍ଦ ହୋଇଯାଇଛି ଏବଂ ସ୍ଥାନୀୟ ମାଛ ବଜାରରେ ମାଛର ଅହେତୁକ ଦର ବୃଦ୍ଧି ଘଟିଛି। ସମସ୍ତ ପ୍ରକାର ମାଛରେ ଫର୍ମାଲିନ୍ ମିଶ୍ରଣର ସମ୍ଭାବନା ନଥିବା ବେଳେ ବରଫ ଦ୍ୱାରା ସତେଜ ରଖାଯାଉଥିବା ମାଛ ଖାଉଥିବା ଉପଭୋକ୍ତାମାନଙ୍କୁ ଅଯଥାରେ ବିଭ୍ରାନ୍ତ କରାଯିବା ଦ୍ୱାରା ମାଛଧରାଳୀ, ବ୍ୟବସାୟୀ ଓ ମାଛ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବିମାନେ ଜୀବିକା ହରାଇବା ପରିସ୍ଥିତି ସୃଷ୍ଟି ହୋଇଛି। ମତ୍ସ୍ୟଜୀବିମାନଙ୍କର ଏହି ସମସ୍ୟାକୁ ଆଗାମୀ ୧୮ତାରିଖ ଦିନ କର୍ନାଟକ ମାଙ୍ଗାଲୋର-ଉଡୁପି ଠାରେ ଅନୁଷ୍ଠିତ ଅଖିଳ ଭାରତ ମତ୍ସ୍ୟଜୀବି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଦେଶ ମତ୍ସ୍ୟଜୀବି କଂଗ୍ରେସ ତରଫରୁ ଉପସ୍ଥାପିତ କରାଯିବ।

ଏଣୁ ରାଜ୍ୟ ସରକାର ସଠିକ ତଥ୍ୟ ପରିବେଷଣ କରି ମତ୍ସ୍ୟ ଉପଭୋକ୍ତା ଓ ମତ୍ସ୍ୟଜୀବିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କୃତ୍ରିମ ପାଚେରୀକୁ ଭାଙ୍ଗିବା ସହ ରାଜ୍ୟର ମାଛ ବଜାରକୁ ସ୍ୱାଭାବିକ କରିବାପାଇଁ ପ୍ରଦେଶ ମତ୍ସ୍ୟଜୀବି କଂଗ୍ରେସ ସଭାପତି ଶ୍ରୀ ହଳଧର ସେଠୀ ଓ ଅଖିଳ ଭାରତ ମତ୍ସ୍ୟଜୀବି କଂଗ୍ରେସ ଉପାଧ୍ୟକ୍ଷ ଡ.ତ୍ରିନାଥ ବେହେରା ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top