ସରକାରୀ ଯୋଜନା ମଙ୍ଗଳଙ୍କ ପାଇଁ ସାଜିଛି ଦିଗହରା

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନାମାନ କରୁଥିଲେ ମଧ୍ୟ ତାହାର ବ୍ୟତିକ୍ରମ ଦେଖା ଦେଉଛି ଲାଠିକଟା ବ୍ଳକ ଅଞ୍ଚଳରେ। ଲାଠିକଟା ବ୍ଳକ ଅଧୀନସ୍ଥ ଝାଡ଼ତରଙ୍ଗ ଗ୍ରମା ପଞ୍ଚାୟତ ଅନ୍ତର୍ଗତ ତନ୍ତୀଟୋଲାରେ ଅନେକ ବର୍ଷରୁ ବୃଦ୍ଧ ଦମ୍ପତ୍ତି ରହୁଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରାଯାଇ ନ ଥିବା ଅଭିଯୋଗ ହେଉଛି।

ତନ୍ତୀଟୋଲାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ମଙ୍ଗଳ ମହାନନ୍ଦିଆ ( ୭୨) ଓ ପତ୍ନୀ ଅହଲ୍ୟା ମହାନନ୍ଦିଆ (୬୭) ରହି ଆସୁଛନ୍ତି। ସେମାନେ ଏକ ବ୍ୟକ୍ତିଙ୍କର ଖାଲି ପଡ଼ିଥିବା ଏକ କୁଡ଼ିଆରେ ରହି ଆସୁଛନ୍ତି। ହେଲେ ସେ କୁଡ଼ିଆଟି ବର୍ତ୍ତମାନ ଭାଙ୍ଗିରୁଜି ଗଲାଣି। ବର୍ଷା ହେଲେ ଖପର ଘର ଉପରୁ ପାଣି ଗଳି ଘରେ ଜମି ରହୁଛି। ହେଲେ ଘରେ ସେଭଳି କୌଣସି ଜିନିଷ ନାହିଁ ଯାହା ତାଙ୍କର ନଷ୍ଟ ହୋଇଯିବ। ଘର କହିଲେ ଖଣ୍ଡେ ପ୍ଲାଷ୍ଟିକ ଫିତାର ଖଟିଆଟିଏ ଓ ଖଣ୍ଡେ ଦି ଖଣ୍ଡ ଲୁଗାପଟା। ଏହା ବ୍ୟତୀତ ଏକ ଛୋଟ ଟିଣ ବାକ୍ସ, ସେଥିରେ ସାଇତି ରଖିଛନ୍ତି ତାଙ୍କ ଆଧାରକାର୍ଡ, ଭୋଟର କାର୍ଡ ଇତ୍ୟାଦି। ଅନେକ ଧାଁ ଧପଡ଼ା କରିବାରୁ ଅହଲ୍ୟାଙ୍କୁ ବୃଦ୍ଧା ଭତ୍ତା ଓ ରାସନ କାର୍ଡ ଖଣ୍ଟେ ମିଳିଛି। ହେଲେ ସେଥିରେ ଦମ୍ପତ୍ତିଙ୍କ ଦୈନନ୍ଦିନ ଜୀବନଜୀବିକା ନିର୍ବାହ ହେବା କାଠିକର ପାଠ। ବୃଦ୍ଧି ଦମ୍ପତ୍ତିଙ୍କୁ କାନରେ ଭଲଭାବେ ଶୁଭୁ ନ ଥିବାବେଳେ ଆଖିକୁ ମଧ୍ୟ ଭଲଭାବେ କିଛି ଦିଶେ ନାହିଁ। ଅହଲ୍ୟାଙ୍କ ରାସନ କାର୍ଡରେ ଟଙ୍କାଟିଆ ଚାଉଳ ମିଳି ଯାଉଥିବାରୁ ସେଥିରୁ ତାଙ୍କ ଗୁଜୁରାଣ ଚାଲେ। ଏହା ବ୍ୟତୀତ ମାସକୁ ବୃଦ୍ଧା ଭତ୍ତା ବାବଦକୁ ୩୦୦ଶହ ଟଙ୍କା ଅହଲ୍ୟାଙ୍କୁ ମିଳିଥାଏ। ଏହି ୩୦୦ଟଙ୍କାରେ ସେମାନେ ପୁରା ମାସକ ଚଳିଥାନ୍ତି। ସହାୟତା କରିବାକୁ କେହି ନାହାନ୍ତି। ମଙ୍ଗଳ ଠାରୁ ଏଇ କିଛି ପୂର୍ବେ କୁଆଡ଼େ ଜଣେ ଶକ୍ଷକ ଆସି ତାଙ୍କର ବୃଦ୍ଧା ଭତ୍ତା କରାଇଦେବେ ବୋଲି କହିଥିଲେ। ହେଲେ ତାହା ହୋଇପାରିଲା ନାହିଁ।

ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କ ଖଣ୍ଡିଆ ଖପର ଘରେ ରହୁଛନ୍ତି ସେ କାଳେ ତାଙ୍କୁ ଘର ଛାଡ଼ିବାକୁ କହୁଥିବା ମଙ୍ଗଳ କହିଛନ୍ତି। ହେଲେ କାକୁତି ମିନତି ହେବାରୁ ବ୍ୟକ୍ତ ଜଣଙ୍କ ଚୁପ୍ହୋଇ ରହିଯାଆନ୍ତି। ହେଲେ କେତେ ଦିନ ବୃଦ୍ଧ ଦମ୍ପତ୍ତି ତାଙ୍କ କୁଡ଼ିଆରେ ରହିବେ। ସରକାର କହୁଛନ୍ତି ଗରିବ ଲୋକଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି।

ହେଲେ ବୃଦ୍ଧ ଦମ୍ପତ୍ତିଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ତାଙ୍କ ପାଖରେ ନାହିଁ। କାହାକୁ ଦୁଃଖ କାହାଣୀ ଶୁଣାଇବେ କେହି ତାଙ୍କ ଦୁଃଖ ଶୁଣିବାକୁ ନାହାନ୍ତି। ରୋଜଗାର ବୋଲି ଦମ୍ପତ୍ତି ନିକଟରେ କିଛି ନାହିଁ। ବୃଦ୍ଧ ହୋଇଯାଇଥିବାରୁ ନଇଁ ନଇଁ ବାଟ ଚାଲନ୍ତି। ଏଭଳି ପରିସ୍ଥିତିରେ ସେ ୨୦ କିମି ଅତିକ୍ରମ କରି ଲାଠିକଟା ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା କଷ୍ଟକର ବାଟ। କ’ଣ କରିବେ କାହା ନିକଟରେ ନିଜ ଦୁଃଖ କାହାଣୀ କହିବେ ଯେ ସେ ତାଙ୍କୁ ସାହା ହେବେ। କାହା ପାଖରେ ହାତ ପତାଇବେ, କାମ କରିବାକୁ ଶକ୍ତି ନାହିଁ। ଅହଲ୍ୟା ରୋଗଗ୍ରସ୍ତ ହୋଇ ଖଟରେ ପଡ଼ିଥାନ୍ତି। ଭାତ ରାନ୍ଧିବା ପାଇଁ ମଧ୍ୟ ତାଙ୍କ ନିକଟରେ ଜାଳେଣି ନାହିଁ। ପ୍ରତିଦିନ ଆଖପାଖରୁ କୌଣସି ମତେ ଜାଳେଣି ଗୋଟାଇ ଆଣି ଭାତ ରାନ୍ଧିଥାନ୍ତି। ଗୋଟିଏ ବେଳା ଭାତ ପୁରା ଦିନମାନ ଚଳିଥାଏ। ଲୁଣଟିକିଏ ଆଉ ଲଙ୍କା ଲଗାଇ ଖାଇଥାନ୍ତି ଦମ୍ପତ୍ତି। ଗୋଟିଏ ବୋଲି ଝିଅ ବାହା ହେବା ପରେ ସେ କାଂସବାହାଲରେ ସ୍ୱାମୀଙ୍କ ସହ ରହୁଥିବା ବେଳେ କେତେବେଳେ କେମିତି ଆସିଲେ କିଛି ସାହାଯ୍ୟ କରିଥାନ୍ତି। ଏ ଦିଗରେ ଲାଠିକଟା ବ୍ଲକ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *