ସରକାରୀ ପଂଜିକରଣ କରି ଚାଷୀ ବେପାରୀଙ୍କୁ ଧାନ ବିକୁଛନ୍ତି

ଭଦ୍ରକ, ୧୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରକାରଙ୍କ ପାଖରେ ଆଗୁଆ ପଂଜିକରଣ କରି ମଧ୍ୟ ଚାଷୀ ବେପାରୀଙ୍କୁ ଧାନ ବିକୁଛନ୍ତି । ଫଳରେ ଚଳିତବର୍ଷ ଜିଲାରେ ସରକାରୀ ଧାନ ସଂଗ୍ରହ ହ୍ରାସ ପାଇଛି । ଚଳିତବର୍ଷ ଭଦ୍ରକ ଜିଲାରେ ସରକାରଙ୍କୁ ଧାନ ବିକିବା ସକାଶେ ୫୯ ହଜାର ୪୧ ଜଣ ଚାଷୀ ଅନ୍ଲାଇନ୍ ପଂଜିକରଣ କରିଥିଲେ । ସେଥିରୁ ମାତ୍ର ୨୨ ହଜାର ୮୩୯ ଜଣ ଚାଷୀ ସରକାରଙ୍କୁ ଧାନ ବିକିଥିବାବେଳେ ଅବଶିଷ୍ଟ ୩୬ ହଜାର ୨୦୨ ଜଣ ଚାଷୀଙ୍କ ପତ୍ତା ଠିକଣା ମିଳୁନାହିଁ । ଅର୍ଥାତ୍ ସରକାରୀ କାଇଦା କଟକଣା ମଧ୍ୟରେ ପଂଜିକୃତ ଚାଷୀଙ୍କ ମଧ୍ୟରୁ ମାତ୍ର ୩୮ ପ୍ରତିଶତ ଚାଷୀ ସରକାରଙ୍କୁ ଧାନ ବିକିଥିବାବେଳେ ଅବଶିଷ୍ଟ ୬୨ ପ୍ରତିଶତ ଚାଷୀ ବେପାରୀଙ୍କ ଜରିଆରେ ଧାନ ବିକି୍ର କରିଛନ୍ତି । ଯାହାକୁ ନେଇ ଚଳିତ ଜିଲା ପରିଷଦ ବୈଠକରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ବୈଠକରେ ଯୋଗ ଦେଇଥିବା ସଦସ୍ୟମାନେ ଏନେଇ ଘୋର ଉଦ୍ବେଗ ପ୍ରକାଶ କରିବା ସହ ଏହାର କାରଣ ଖୋଜିବାକୁ ଜିଲା ଯୋଗାଣ ନିଗମକୁ ନିଦେ୍ର୍ଦଶ ଦେଇଛନ୍ତି । ଚଳିତବର୍ଷ ଭଦ୍ରକ ଜିଲାରେ ବିପୁଳ ଧାନ ଉତ୍ପାଦନକୁ ଦୃଷ୍ଟିରେ ରଖି ଯୋଗାଣ ନିଗମ ପକ୍ଷରୁ ଭଦ୍ରକ ଜିଲାର ୨୫ ଟି ଏବଂ ବରଗଡ ଜିଲାରୁ ୧୦ ଟି ଏପରି ମୋଟ ୩୫ ଟି ମିଲରଙ୍କ ଜରିଆରେ ଧାନ ସଂଗ୍ରହ କରିବାକୁ ଚୁକ୍ତିପତ୍ର ସ୍ୱାକ୍ଷର କରି ମିଲର ନିଯୁକ୍ତି ଦେଇଥିଲେ । ପ୍ରଥମ ଦଫାରେ ଜିଲାରୁ ୧୩ ଲକ୍ଷ ୨୩ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ ଧାର୍ଯ୍ୟ କରିଥିଲେ । ତେବେ ଧାନ ସଂଗ୍ରହ ଆରମ୍ଭ ହେବାର ଇତିମଧ୍ୟରେ ୪ ମାସ ଅତିକ୍ରାନ୍ତ ହୋଇଥିବା ବେଳେ ଅନ୍ଲାଇନ୍ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୯ ଲକ୍ଷ ୫୫ ହଜାର କ୍ୱିଣ୍ଟାଲ ଦାନ ସଂଗ୍ରହ ସମ୍ଭବ ହୋଇଥିବାବେଳେ ଧାର୍ଯ୍ୟଲକ୍ଷ୍ୟର ଆହୁରି ୪ ଲକ୍ଷ ୬୮ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ବାକି ପଡିଛି । ସବୁଠାରୁ ବଡକଥା ହେଲା ସରକାରଙ୍କ ପକ୍ଷରୁ ଧାନ କିଣୁଥିବା ସୋସାଇଟିକୁ ଚାଷୀଙ୍କ ଧାନ ଆସୁନଥିବାରୁ ଅଧିକାଂଶ ସୋସାଇଟି ଧାନକିଣା ବନ୍ଦ କରିଦେଇଥିବା କୁହାଯାଉଛି । ସେହିଭଳି ଚଳିତବର୍ଷ ସରକାରଙ୍କ ପାଖରେ ଅନ୍ଲାଇନ୍ ପଂଜିକରଣ କରିଥିବା ଚାଷୀଙ୍କର ବଳକା ଧାନର ପରିମାଣ ୨୮ ଲକ୍ଷ କ୍ୱିଣ୍ଟାଲ ହୋଇଥିବାବେଳେ ସେଥିରୁ ସରକାର ମାତ୍ର ୯ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିବା ବେଳେ ଅବଶିଷ୍ଟ ପ୍ରାୟ ୧୯ ଲକ୍ଷ କ୍ୱିଣ୍ଟାଲ ଧାନ ଦଲାଲଙ୍କ ଜରିଆରେ ବାହାର ରାଜ୍ୟକୁ ଚାଲାଣ ହୋଇଥିବା କୁହାଯାଉଛି । ସେହିଭଳି ଚଳିତବର୍ଷ ସରକାର ସାଧାରଣ ଧାନର ସହାୟକ ଦର ୧୫୫୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ତାଠୁ ଭଲ ଦର ଦେଇ ବେପାରୀ ଚାଷୀଙ୍କ ଠାରୁ ଧାନ କିଣିନେଉଛନ୍ତି । ଫଳରେ ଚାଷୀ ସରକାରଙ୍କୁ ଧାନ ବିକିବା ପରିବର୍ତ୍ତେ ବେପାରୀଙ୍କୁ ଧାନ ବିକି୍ର କରିଦେଉଛନ୍ତି । ଧାନ କିଣାବିକା ଟିକସ ମୁକ୍ତ ହେବା ଏବଂ ଜିଏସ୍ଟି ଲାଗୁ ହେବାପରେ ପଡୋଶୀ ରାଜ୍ୟର ଧାନ ବେପାରୀଙ୍କୁ ଏଠାରୁ ଧାନ କିଣାବିକା ସହଜ ହୋଇଛି । ଫଳରେ ଜିଲାରେ ବିକି୍ରଯୋଗ୍ୟ ଧାନ ସରକାରୀ ଖାତାକୁ ଆସିବା ପରିବର୍ତ୍ତେ ପଡୋଶୀ ରାଜ୍ୟକୁ ଚାଲିଯାଉଛି । କେବଳ ଯେ ପଡୋଶୀ ରାଜ୍ୟ ଧାନ ବେପାରୀମାନେ ଯେ ଜିଲାରୁ ଧାନ କିଣି ନେଉଛନ୍ତି ତା ନୁହେଁ ଜିଲାର ମିଲରମାନେ ସରକାରୀ ଧାନ ସଂଗ୍ରହ କରିବା ବଦଳରେ ନିଜସ୍ୱ ପୁଂଜିରେ ସିଧାସଳଖ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣି ନିଜ ମିଲରେ ମହଜୁଦ ରଖି ଏବେ ଚଢା ଦରରେ ପଡୋଶୀ ରାଜ୍ୟ ଧାନ ବେପାରୀଙ୍କୁ ବିକି୍ର କରିବାରେ ଲାଗିଛନ୍ତି । ଫଳରେ ଚଳିତବର୍ଷ ଜିଲାରେ ସରକାରୀ ଧାନ ସଂଗ୍ରହ କେବଳ ଏକ ପ୍ରହସନରେ ପରିଣତ ହୋଇଥିବା କୁହାଯାଉଛି । ତଦନ୍ତ  କଲେ ସତ୍ୟତା ଲୋକଲୋଚନକୁ ଆସିବ ବୋଲି ଦାବି ହୋଇଛି ।

Leave a Reply

Your email address will not be published. Required fields are marked *