ଓଡ଼ିଶା

ଆଧାର ଟେନ୍ସନ୍ : ତ୍ରୁଟି ଯେତିକି, ବରିଷ୍ଠଙ୍କ ଚିନ୍ତା ସେତିକି

ଭଦ୍ରକ, ୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଧାର କାର୍ଡ ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟରେ ନାମଲେଖା ଠାରୁ ଆରମ୍ଭ କରି ବ୍ୟାଙ୍କ ପାସ୍ବୁକ୍ ଖୋଲାଯିବା ଯାଏ, ଗ୍ୟାସ୍ ସଂଯୋଗଠୁ ଆରମ୍ଭ କରି ଭୋଟର ତାଲିକା ଯାଏ ବିଭିନ୍ନ କ୍ଷେତ୍ରରେ ଏହାକୁ କ୍ରମେ ବାଧ୍ୟତାମୂଳକ କରାଯାଉଛି। ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାର ବାଧ୍ୟତାମୂଳକ ହେବା ଏକ ପ୍ରକାର ନିଶ୍ଚିତ। ହେଲେ ଆଧାରକାର୍ଡରେ ଦେଖାଯାଉଥିବା ବ୍ୟାପକ ତ୍ରୁଟି ଓ ବୟସାଧିକ କାରଣରୁ ଆଙ୍ଗୁଳି ଛାପ ସ୍ପଷ୍ଟ ହୋଇପାରୁନଥିବାରୁ କାର୍ଡଧାରୀଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି। ଏବେ ୮୦ ପ୍ରତିଶତ କାର୍ଡରେ କିଛିନା କିଛି ତ୍ରୁଟି ଦେଖିବାକୁ ମିଳୁଛି। ବ୍ୟକ୍ତିଗତ ନାମ ଠାରୁ ଆରମ୍ଭ କରି ପରିବାର ବର୍ଗଙ୍କ ନାମ, ବୟସ ସବୁଠି ବନାନଗତ ତ୍ରୁଟି ରହିଛି। ଏହା କିପରି ସଂଶୋଧନ ହେବ, ସେଥିନେଇ ବ୍ୟବସ୍ଥା ରହିଛି। ସହରାଞ୍ଚଳରେ ଏହି ସୁବିଧା ଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏଥି ନିମନ୍ତେ ସହରରେ ଯେତିକି ଅଛି, ତାହା ପର୍ଯ୍ୟାପ୍ତ ନୁହଁ। ଏହାକୁ ନେଇ କାର୍ଡଧାରୀଙ୍କ ମଧ୍ୟରେ ବହୁ ଆଶଙ୍କା ସୃଷ୍ଟି ହୋଇଛି। କାର୍ଡକୁ ସଂଶୋଧନ କରିବାକୁ ଯାଇ ଲୋକେ ଏଣେତେଣେ ଘୁରି ବୁଲୁଛନ୍ତି। ପୂର୍ବରୁ ଆଧାର ପ୍ରସ୍ତୁତ ପାଇଁ କେତେକ ଠିକା କଂପାନୀକୁ ଦାୟିତ୍ୱ ଦିଆଯାଇଥିଲା। କଂପାନୀ କର୍ତ୍ତୃପକ୍ଷ ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ପାଇଁ ବିଭିନ୍ନ ସ୍ଥାନରେ ପୂର୍ବ ସୂଚନା ମୁତାବକ କ୍ୟାମ୍ପ ଖୋଲିଥିଲେ। ହେଲେ ଏହି ପ୍ରକ୍ରିୟା ନିର୍ଭୁଲ୍ ହୋଇପାରିଲାନି। ଅନଭିଜ୍ଞ ଡାଟା ଏଣ୍ଟି୍ର ଅପରେଟରଙ୍କ ପାଇଁ ପରବର୍ତ୍ତୀ ସମୟରେ ଅଧିକାଂଶ କାର୍ଡରେ ତ୍ରୁଟି ପରିଲକ୍ଷିତ ହେଲା। ଭବିଷ୍ୟତରେ ଏହାର ବ୍ୟବହାର ବାଧ୍ୟତାମୂଳକ ହେବାକୁ ଯାଉଥିବାରୁ କିପରି ନିର୍ଭୁଲ ଆଧାର କାର୍ଡ ମିଳିପାରିବ ଓ ତ୍ରୁଟିଯୁକ୍ତ କାର୍ଡ ସଂଶୋଧନ ହୋଇପାରିବ, ସେ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଆଧାରକୁ ନେଇ ସବୁଠାରୁ ଅଧିକ ଚିନ୍ତିତ ହୋଇପଡିଛନ୍ତି ବରିଷ୍ଠ ନାଗରିକ। ବୟସାଧିକ କାରଣରୁ ଆଧାର କେନ୍ଦ୍ରରେ ଥିବା ବାୟୋମେଟି୍ରକ୍ ମେସିନ୍ ବରିଷ୍ଠ ନାଗରିକମାନଙ୍କ ଆଙ୍ଗୁଳି ଟିପଚିହ୍ନକୁ ଚିହ୍ନଟ କରିପାରୁନାହିଁ। ଏହି ବରିଷ୍ଠ ବର୍ଗର ନାଗରିକଙ୍କ ଆଧାର କାର୍ଡ ପ୍ରସ୍ତୁତ ହୋଇପାରୁନାହିଁ। ଫଳରେ ରେସନ୍ ଠାରୁ ଆରମ୍ଭ କରି ପେନସନ, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ଏହି ବର୍ଗର ଲୋକେ ବଂଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏବେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପେନସନଧାରୀ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ସମସ୍ତ ଜମାଖାତାକୁ ଆଧାର ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ରହିଛି। ବହୁ କ୍ଷେତ୍ରରେ ଆଧାର ସଂଯୋଗ ସମୟରେ କାର୍ଡଧାରୀଙ୍କ ଟିପଚିହ୍ନ ସ୍ପଷ୍ଟ ହୋଇନାହିଁ। କାର୍ଡଧାରୀଙ୍କ ପାଇଁ ପୂର୍ବ ପ୍ରସ୍ତୁତ କାର୍ଡ ମୂଲ୍ୟହୀନ ହୋଇପଡିଥିବାବେଳେ ଏହା ବରିଷ୍ଠ ନାଗରିକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିବାରେ ଲାଗିଛି। ତେଣୁ ଆଧାର ତୃଟି ସଂଶୋଧନ ସହିତ ବରିଷ୍ଠ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକ ସରଳ ବ୍ୟବସ୍ଥା ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top