ସରକାରୀ କର୍ମଚାରୀ ଓ ଜନପ୍ରତିନଧିଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢେଇବା ପାଇଁ ପଦଯାତ୍ରା ନେଇ ପ୍ରସ୍ତୁତି

ବୌଦ୍ଧ, ୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଶିକ୍ଷା ଅଧିକାର ଆନ୍ଦୋଳନ ମହାସଂଘ ଓଡିଶା ପକ୍ଷରୁ ଶିକ୍ଷା ଅଧିକାର ଆଇନକୁ କଡାକଡି ପାଳନ କରିବା ନେଇ ଓ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ୬ ବର୍ଷରୁ ୧୪ ବର୍ଷର ପିଲାଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ନେଇ ଗତ ଅକ୍ଟୋବର ୨ ତାରିଖରୁ ସିନାପାଲି ଠାରୁ ହେବାକୁ ଥିବା ପଦଯାତ୍ରା ନେଇ ବୌଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୁର୍ତ୍ତ ବିଭାଗ ବଙ୍ଗଳା ଠାରେ ଶିକ୍ଷା ଅଧିକାର ଆନ୍ଦୋଳନ ମହାସଂଘର ଆବାହକ ସୁରଥ ବେହେରା ଏହି ବୈଠକରେ ସୂଚନା ଦେଇଥିଲେ ଯେ ଶିକ୍ଷା ଅଧିକାର ଆଇନ ୧.୪.୨୦୧୦ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଉକ୍ତ ଆଇନ ଅନୁସାରେ ରାଜ୍ୟରେ ଥିବା ୬ ବର୍ଷରୁ ୧୪ ବର୍ଷ ପିଲାଙ୍କ ପାଇଁ ମାଗଣାରେ ଶିକ୍ଷା ଦେବା ବ୍ୟବସ୍ଥା ରହିଛି। କିନ୍ତୁ ଅଧିକାଂଶ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ତାଙ୍କର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ପଇସା ଦେଇ ପାଢ ପଢାଉଛନ୍ତି। ଫଳରେ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ରହୁନାହିଁ କି ଏହି ଆଇନ ଫଳପ୍ରଦ ହୋଇପାରୁନାହିଁ। ଯଦି ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ସେମାନଙ୍କ ପିଲାକୁ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ପାଠ ପଢାନ୍ତେ ତେବେ ରାଜ୍ୟରେ ଶିକ୍ଷାର ସମାନତା ରହିବା ସହ ଶିକ୍ଷାର ଉନ୍ନତି ଘଟିବ। ଆହୁରି ମଧ୍ୟ ସରକାରୀ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବାବେଳେ ସମସ୍ତ ବଡ ବଡ ଅଧିକାରୀ ମାନଙ୍କ ଭଳିଆ ଛୋଟ ଛୋଟ କର୍ମଚାରୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଏ, ତେବେ ସେମାନେ ସେଠାରେ ରହି କାର୍ଯ୍ୟ ଠିକ ଭାବେ ସଂପାଦନ କରିପାରିବେ। ଏନେଇ ମହାସଂଘ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ନୁଆପଡା ଜିଲା ସିନାପାଲି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯିବ ଓ ଏହି ପଦଯାତ୍ରା ଅକ୍ଟୋବର ୩୧ ରେ ଭୁବନେଶ୍ୱରରେ ଶେଷ ହେବ ବୋଲି ଆବାହକ ଶ୍ରୀ ବେହେରା ସୂଚନା ଦେଇଥିଲେ। ଏହି ପଦଯାତ୍ରା ସମୟରେ ରାସ୍ତାର ବିଭିନ୍ନ ଛକ ମାନଙ୍କରେ ସଚେତନତା ସଭା କରାଯିବ ଏବଂ ଏହି ପଦଯାତ୍ରା ବୌଦ୍ଧ ଠାରେ ଅକ୍ଟୋବର ୧୪ ରେ ପହଂଚିବ। ଜିଲାର ସମସ୍ତ ଜନସାଧାରଣ ଏହି ସଚେତନତା ପଦଯାତ୍ରାରେ ସହଯୋଗ କରିବାକୁ ଆବାହକ ଶ୍ରୀବେହେରା ଆହ୍ୱାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଦସ୍ୟ ତ୍ରତୟା ଆଡଜୁଆର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *