ସରକାରଙ୍କ ଦୃଷ୍ଟି ଆଢୁଆଳରେ ୪ ନମ୍ବର ୱାର୍ଡ ବର୍ଷାର ଦୁଇଦିନ ପରେ ମଧ୍ୟ ଘରଗୁଡ଼ିକ ଜଳବନ୍ଦୀ, ଅସହାୟ ସ୍ଥିତିରେ ଅଞ୍ଚଳବାସୀ

ଭୁବନେଶ୍ୱର, ତା ୮ା୮ (ଓଡ଼ିଆ ପୁଅ): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ନମ୍ବର ୱାର୍ଡର ନଖରା, ନୂଆପାଟଣା, ବଙ୍ଗୁଆରୀ, ସାହାବାଦ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ହଂସପାଳ, ରୁଦ୍ରପୁର, ଜୟପୁର, ପାହାଳ, ଜୋହଳ, ଓ କୁଣ୍ଡିତରାପାଟଣା ଗ୍ରାମଗୁଡ଼ିକ କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍, ଜାତୀୟ ରାଜପଥ-୧୬, ପୁରୁଣା ଜଗନ୍ନାଥ ସଡ଼କ, ନିଆଳୀ-ମାଧବ ରାସ୍ତା ଓ ପ୍ରାଚୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲାବେଳେ ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯିବା କାରଣରୁ ସାମାନ୍ୟ ବର୍ଷାରେ ଏହି ଅଞ୍ଚଳର ଜଳବନ୍ଦୀ ହେବା ସହ ରାସ୍ତାଘାଟ ବୁଡ଼ିଯିବା ସହ ଘର ଭିତରେ ଆଣ୍ଠୁଏ ଉଚ୍ଚାର ବର୍ଷାପାଣି ଲହଡ଼ି ଭାଙ୍ଗି ଜନଜୀବନ ବିପର୍ଯ୍ୟସ୍ତ ହେଉଅଛି। ଜାତୀୟ ରାଜପଥ-୧୬ ସମ୍ପ୍ରସାରଣ ସମୟରେ ଦୁଇ ପାଶ୍ୱର୍ରେ ଥିବା ପ୍ରଶସ୍ତ ନୟନଜୋରିକୁ ପୋତି ରାସ୍ତା ନିର୍ମାଣ କରାଯିବା ଯୋଗୁଁ ଜଳ ନିଷ୍କାସନରେ ବାଧକ ସୃଷ୍ଟି ହେଉଛି। ଏହାବ୍ୟତୀତ ପୁରୀ ମୁଖ୍ୟ କେନାଲରେ ଥିବା ନୂଆପାଟଣା, ହରିଦାସପୁର, ନହରକଣ୍ଟା ଓ ଅଣ୍ଡିଲୋ ଜଳନିଷ୍କାସନ ସାଇଫନ୍ ପୋତିହେବା ସଙ୍ଗେସଙ୍ଗେ ଏହା ମୁହଁରେ ଅତ୍ୟୁଚ୍ଚ ଗୃହ ନିର୍ମାଣ ପ୍ରକଳ୍ପ ଓ ଗୋଦାମଘର ନିର୍ମାଣ ଯୋଗୁଁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଜାତୀୟ ରାଜପଥର ରୁଦ୍ରପୁର ଯାଉଁଳି ଶଙ୍ଖ, ଜୟପୁର ତଲଉ ଶଙ୍ଖ, ପାହାଳ ପୋତାପୋଖରୀ ଶଙ୍ଖ ଓ କୁଣ୍ଡିତରାପାଟଣା ପୁରୁଣା ଶଙ୍ଖ ମୁହଁ ଜଳ ନିଷ୍କାସନ ପଥରେ ଅତ୍ୟୁଚ ନିର୍ମାଣ ଯୋଗୁଁ ଜଳନିଷ୍କାସନ ହୋଇନପାରି ଅଞ୍ଚଳଟି ଜଳମଗ୍ନ ହେଉଅଛି। ସେହିପରି ପ୍ରାଚୀ ମୁହାଁଣ ଅବରୋଧ ଯୋଗୁଁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଜାତୀୟ ରାଜପଥରୁ ବିଭିନ୍ନ ଗୋଦାମ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ନିର୍ମିତ ରାସ୍ତା ଓ ଗଡ଼ାଣିରେ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଜଳବନ୍ଦୀର ଏହା ପ୍ରମୁଖ କାରଣ ହୋଇଅଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ତରଫରୁ ଗୃହ ନିର୍ମାଣ ପ୍ରକଳ୍ପ ଅନୁମୋଦନ ସମୟରେ ଜଳ ନିଷ୍କାସନ ପାଇଁ ଦୃଷ୍ଟି ଦିଆଯାଇନଥିବାରୁ ସାଧାରଣ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ବିଗତ ଦୁଇବର୍ଷ ଧରି ଲୋକେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା, ଅର୍ଥମନ୍ତ୍ରୀ, ଜଳସମ୍ପଦ, ନଗର ଉନ୍ନୟନ, ପୂର୍ତ୍ତମନ୍ତ୍ରୀ, ବିଭିନ୍ନ ବିଭାଗର ସଚିବ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାନ୍ୟବର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏ ସଂକ୍ରାନ୍ତରେ ଅପ୍ରେଲ ୧୬, ଜୁଲାଇ ୯, ଜୁଲାଇ ୨୪ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ପ୍ରତି କାହାରି ଆନ୍ତରିକତା ଥିବାଭଳି ଦୃଷ୍ଟିଗୋଚର ହେଉନାହିଁ। ଏ ଅଞ୍ଚଳକୁ ସରକାର ହୀନ ଦୃଷ୍ଟିରେ ଦେଖୁଥିବା ଏହା ସ୍ପଷ୍ଟଭାବେ ପ୍ରତୀୟମାନ ହେଉଛି। ଜୁନ୍ ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳଟି ଦୀର୍ଘ କିଛିବର୍ଷ ହେବ ଜଳବନ୍ଦୀ ହେଉଥିଲେ ମଧ୍ୟ ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି କାହାରି ଆନ୍ତରିକତା ଥିଲାଭଳି ମନେ ହେଉନାହିଁ, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଗଭୀର କ୍ଷୋଭ ଓ ଅସନ୍ତୋଷ ସୃଷ୍ଟି ହୋଇଛି। ଯାହାକି ସ୍ୱଳ୍ପ ସମୟ ମଧ୍ୟରେ ଆନ୍ଦୋଳନର ରୂପ ନେଇ ଲୋକେ ଗଣଧାରଣା, ଗଣ ଅନଶନ, ଜଳ ସତ୍ୟାଗ୍ରହ ଆଦି ଚରମପନ୍ଥା ଗ୍ରହଣ କରିବାକୁ ମାନସିକ ଭାବରେ ପ୍ରସ୍ତୁତ ହେଲେଣି। ପୁନଶ୍ଚ ଜନସାଧାରଣ ଏହି ଅଞ୍ଚଳରୁ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରି ଅଞ୍ଚଳକୁ ଶୂନ୍ୟ ଜଳପ୍ଲାବନ କରି ଜନସାଧାରଣଙ୍କୁ ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ଦେବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *