ସରକାରଙ୍କ ଟାର୍ଗେଟରେ ନାଇଟ କୋଚ୍ ବସ୍! ଚାଳକ, କଣ୍ଡକ୍ଟର ମଦ ପିଇଥିଲେ ଆଦାୟ ହେବ ଜରିମାନା

ରାଉରକେଲା/୧୪/୧୧/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ରାଉରକେଲାରୁ ରାଜଧାନୀ ଭୁବନେଶ୍ୱରକୁ ଶହଶହ ଦ୍ରୁତଗାମୀ ନାଇଟ କୋଚ୍ ବସ୍ ପ୍ରତିଦିନ ଚଳାଚଳ କରୁଛି । ହେଲେ ଏହି ବସ୍ ଚଳାଉଥିବା ମାଲିକ ମାନେ ନିତୀନିୟକକୁ ମାନୁନଥିବା ପ୍ରତ୍ୟହ ଯାତ୍ରୀ ମହଲରୁ ଅଭିଯୋଗ ହେଉଛି । ବସ ପରମିଟ ପାଇଛନ୍ତି କଟକରୁ ରାଉରକେଲା । କିନ୍ତୁ ବସ୍ ଚାଲୁଛି ଭୁବନେଶ୍ୱରୁ ରାଉରକେଲା । ରୁଟ ବଦଳାଇ ଗତି କରୁଛି ନାଇଟ କୋଚ ବସ । କେତେକସ୍ଥଳେ ନାଇଟକୋଚ ବସ ଗୁଡିକ ବିନା ପରମିଟରେ ରାଜରାସ୍ତାରେ ଗଡୁଛି । ଏହିଭଳି ଯେଉଁ ବସ ପରମିଟ ଉଲଂଘଂନ କରୁଛନ୍ତି ସେଗୁଡିକ ଉପରେ ଚଢଉ କରିବାକୁ ଯୋଜନା କରିଛି ପରିବହନ ବିଭାଗ । ଯେଉଁ ବସଗୁଡିକ ବିନା ପରମିଟରେ ଯାତ୍ରୀ ପରିବହନ କରୁଛନ୍ତି କିମ୍ବା ଏମଭି ଆକ୍ଟକୁ ଉଲ୍ଲଂଘନ କରୁଛନ୍ତି ସେହି ବସଗୁଡିକ ଉପରେ ଚଢଉ କରି ଜରିମାନା ଆଦାୟ କରିବା ସହ ବସ ସିଜ କରିବାକୁ ପରିବହନ ବିଭାଗ ପକ୍ଷରୁ ଆରଟିଓଙ୍କୁ କୁହାଯାଇଛି । କୌଣସି ପରିସ୍ଥିତିରେ ବି ବିନା ପରମିଟରେ ଏବଂ ବିଶୃଖଂଳ ଗାଡି ଚଳାଚଳକୁ ଅନୁମତି ନଦେବାକୁ କୁହାଯାଇଛି । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଉରକେଲାରୁ ରାଜଧାନୀକୁ ପ୍ରତିଦିନ ୧୦୦ ପାଖାପାଖି ନାଇଟ ବସ୍ ଚଳାଚଳ କରୁଛି । ମାତ୍ର କେତେକ ମସ୍ ଯେଉଁ ରୁଟରେ ପରମିଟ ପାଇଛନ୍ତି, ସେହି ରୁଟରେ ଯାତାୟତ କରୁ ନାହାନ୍ତି । ବିଭାଗ ପାଖରେ ହୋଇଥିବା ଅଭିଯୋଗ ଅନୁଯାୟୀ, କେତେକ ବସ ପରମିଟ ଅନୁଯାୟୀ ଗନ୍ତ୍ୟବସ୍ଥଳକୁ ଯାଉ ନଥିବା ବେଳେ କେତେକ ବସ ଗନ୍ତ୍ୟବସ୍ଥଳକୁ ଯାଉଛନ୍ତି କିନ୍ତୁ ଅନ୍ୟ ରୁଟରେ । ଯାହା ଦ୍ୱାରା ଯାତ୍ରୀ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ନାଇଟକୋଚ ବସର ଚାଳକ ମାନେ ମଦପିଇ ଗାଡି ଚାଳନା କରୁଥିବା ଅଭିଯୋଗ ହେଉଛି । ଯାତ୍ରୀଙ୍କ ଜୀବନକୁ ବାଜି ଲଗାଇ ମଦ୍ୟପ ଚାଳକ ମାନେ ଗାଡି ଚଳାଉଛନ୍ତି । ନିକଟରେ ହୋଇଥିବା କେତେକ ବସ ଦୁର୍ଘଟଣାରୁ ଜଣାପଡିଛି ଯେ, କେତେକ ବସର ଚାଳକ ଓ କଣ୍ଡକ୍ଟର ମାନେ ଗାଡିରେ ମଦ୍ୟପାନ କରି ଯାଉଛନ୍ତି । ଏହା ବାଦ ଗାଡିର ସ୍ଲିପର ସିଟରେ ଜଣେ ଲୋକ ଯାତ୍ରା କରିବାର ଅନୁମତି ଥିବା ବେଳେ, ଏକାଧିକ ଯାତ୍ରୀଙ୍କୁ ନେଉଥିବା ଦେଖାଯାଉଛି । ଏହା ସହ ଗାଡି କ୍ୟାବିନରେ ଯାତ୍ରୀଙ୍କୁ ବସାଇ ନିଆଯାଉଛି । ସମୟ ସମୟରେ ଯାତ୍ରୀ ମାନଙ୍କ ଠାରୁ ଧାର୍ଯ୍ୟଭଡ଼ା ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହେଉଛି । ସେହିପରି ବସରେ ଆଶୁ ଚିକିସôା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ରଖିବାକୁ ନିୟମ ଥିବା ବେଳେ, ବସ ମାଲିକ ମାନେ ଏହାକୁ ମାନୁ ନାହାନ୍ତି । ତେଣୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଗୁଡିକୁ କଡାକଡି ଯାଂଚ କରିବା ପାଇଁ ନିଷ୍ପତି ନିଆଯାଇଛି । ସରକାରଙ୍କ ପକ୍ଷରୁ ଆଗାମୀ ଭବିଷ୍ୟତରେ ନାଇଟ କୋଚ ବସରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ଦୂର କରିବା ପାଇଁ ନିଷ୍ପତି କରାଯାଇଛି ।

Leave a Reply

Your email address will not be published. Required fields are marked *