ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୦୪୧ ପ୍ରକଳ୍ପ ଲାଗି ବ୍ୟୟ ହେବ ୩୧.୬୨ କୋଟି

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ନିର୍ବାଚନୀ ବର୍ଷରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ରାଜଧାନୀରୁ ବିଭିନ୍ନ ବ୍ଳକ ଲାଗି ପ୍ରକଳ୍ପକୁ ସିଧାସଳଖ ଅନୁମୋଦନ କରୁଥିବା ବେଳେ ଏବେ ଅନୁଦାନର ତୁରନ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଗଲାଣି। ଗତ ୩୦ ତାରିଖରେ ପଞ୍ଚାୟତିରାଜ ବିଭାଗ ନିର୍ଦେଶକ ଜିଲାପାଳମାନଙ୍କୁ ଚିଠି ଲେଖି ଅନୁମୋଦନର ୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଏବଂ ପ୍ରତିମାସରେ ପ୍ରକଳ୍ପ କାର୍ଯ୍ୟ କେତେ ଆଗେଇଲା ସେ ବାବଦରେ ବ୍ଲକୱାରି ସବିଶେଷ ତଥ୍ୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ବିଭାଗୀୟ ସୂଚନାନୁଯାୟୀ, ଇତିମଧ୍ୟରେ ସାରା ରାଜ୍ୟର ୧୫ ହଜାର ୪୨୮ ପ୍ରକଳ୍ପକୁ ସରକାର ଇତିମଧ୍ୟରେ ମଞ୍ଜୁରୀ ପ୍ରଦାନ କରିବା ସହ ୪୦୭ କୋଟି ଟଙ୍କାର ଅନୁଦାନ ବି ଦେଇ ସାରିଲେଣି। ଏହି କ୍ରମରେ ଭଦ୍ରକ ଜିଲାର ୧୦୪୧ଟି ପ୍ରକଳ୍ପକୁ ଅନୁମୋଦନ ମିଳି ସାରିଛି। ଏତକ ପ୍ରକଳ୍ପ ଲାଗି ୩୧ କୋଟି ୬୨ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ସରକାର ୨୦ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିସାରିଛନ୍ତି। ବାସୁଦେବପୁର ବ୍ଳକର ସର୍ବାଧିକ ୨୮୨ଟି ପ୍ରକଳ୍ପ, ଭଣ୍ଡାରିପୋଖରୀ ବ୍ଲକର ୨୨୯ଟି, ଚାନ୍ଦବାଲି ବ୍ଲକର ୨୮୧ଟି ପ୍ରକଳ୍ପ ଓ ତିହିଡି ବ୍ଲକର ୨୪୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି। ଏମିତି ୪ଟି ବ୍ଲକର ମୋଟ ୧୦୪୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଭଦ୍ରକ, ଧାମନଗର ଓ ବନ୍ତ ବ୍ଳକର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ସମାବେଶ ଅନୁଷ୍ଠିତ ହେବା ବାକି ରହିଛି। ଏହି ୩ଟି ବ୍ଲକର ପ୍ରକଳ୍ପ ଅନୁମୋଦନ ହେବା ପରେ ଭଦ୍ରକ ଜିଲାକୁ ବ୍ୟୟବରାଦ ପରିମାଣ ୫୦ କୋଟି ଟଙ୍କାକୁ ଟପିବ ବୋଲି କୁହାଯାଉଛି। ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ପଞ୍ଚଚାୟତିରାଜ ବିଧି ବ୍ୟବସ୍ଥା ଅନୁଯାୟୀ ପଲ୍ଲୀସଭାରୁ କାର୍ଯ୍ୟାଦେଶ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଚୂଡାନ୍ତ ହେବାର ନାହିଁ। ସରକାରୀ କର୍ମଚାରୀ ଯଥା ବ୍ଲକ ସ୍ତରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଥବା ଭିଏଲଡବ୍ଲୁଙ୍କ ନାମରେ କାର୍ଯ୍ୟାଦେଶ ଇସ୍ୟୁ କରାଯିବ। ଏପରି ବ୍ୟବସ୍ଥାକୁ ଜିଲାସ୍ତରରେ ବିଜେପି ପକ୍ଷରୁ ଇତିମଧ୍ୟରେ ବିରୋଧ ସରିଛି। ପଲ୍ଲୀସଭାର ଅନୁମୋଦନ ବଦଳରେ ବିଧାୟକଙ୍କ ସୁପାରିଶରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଉଛି ଓ ସରକାରୀ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଇସୁ୍ୟ କରି ଶାସକ ଦଳର କର୍ମୀଙ୍କ ପକେଟ ଗରମ ଲାଗି ବ୍ୟବସ୍ଥା କରାଯାଇଛି ବୋଲି ବିରୋଧୀ ଆରୋପ କରିଛନ୍ତି। ମାତ୍ର ସରକାର ଅଥବା ଶାସକ ଦଳ ଉପରେ କିଛି ପ୍ରଭାବ ପକାଇ ନାହିଁ। ସରକାର ଉକ୍ତ ନିଷ୍ପତିରେ କାଏମ ଅଛନ୍ତି ଓ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଇସୁ୍ୟ କରି ଟଙ୍କା କେମିତି ବିନିଯୋଗ ହେବ ସେଥିପାଇଁ ବ୍ୟସ୍ତତା ବି ଦେଖା ଗଲାଣି। ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଅନୁମୋଦନର ୬ ମାସ ମଧ୍ୟରେ କାର୍ଯ୍ୟ ସରିବ। କିନ୍ତୁ ଏବେ ବର୍ଷା ଦିନ ଆରମ୍ଭ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ସହଜରେ ସଂପନ୍ନ ୍ନ ହେବା କାଠିକର ପାଠ। ଏପରି ସ୍ଥିତିରେ ପଞ୍ଚାୟତ ସ୍ତରରେ ପ୍ରକଳ୍ପ କାର୍ଯ୍ୟ କେତେ ଆଗଉଛି ଓ ସରକାରୀ କଳ କେତେ ଅର୍ଥ ବିନିଯୋଗ କରିପାରୁଛି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *