ଜିଲ୍ଲା ପରିକ୍ରମା

ସମ୍ଭାବ୍ୟ ମେଣ୍ଟକୁ ନେଇ ଭଦ୍ରକ ରାଜନୀତି ସରଗରମ୍, ଦୁଇଟି ଆସନ ଉପରେ ବିଜେପିର ନଜର

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ୨୦୧୯ ରେ ବିଜେପି ଓ ବିଜେଡି ଅଲଗା ଅଲଗା ନିର୍ବାଚନ ଲଢିବେ ବୋଲି ଉଭୟ ଦଳ ଯେତେ ସ୍ପଷ୍ଟ କଲେ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ଏଇ ଚର୍ଚ୍ଚା ମଧ୍ୟ ଭଦ୍ରକ ରାଜନୀତିରୁ ବାଦ୍ ପଡିନାହିଁ । ଆଗାମୀ ୨୦୧୯ ରେ ରାଜ୍ୟରେ ଯଦି ବିଜେପି ଓ ବିଜେଡି ମେଣ୍ଟ ହେଲା, ତେବେ ବିଜେପି ଜିଲାର ଦୁଇଟି ବିଧାନସଭା ଆସନ ହାତେଇବ ବୋଲି ଚର୍ଚ୍ଚା ହେଉଛି । ପୁରୁଣା ମେଣ୍ଟ ଫର୍ମୁଲା ବଳବତ୍ତର ରହିଲେ ତେବେ ଧାମନଗର ନିର୍ବାଚନ ମଣ୍ଡଳୀ ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବିଜେପି ଭାଗରେ ପଡିବ ଏବଂ ଭଦ୍ରକ, ଭଣ୍ଡାରିପୋଖରୀ ଓ ବାସୁଦେବପୁର ବିଜେଡି ଭାଗରେ ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଲୋଚନା କରୁଛନ୍ତି । ଏବର ଭୋଟ ରାଜନୀତି ଓ ଲୋକସଭା ଆସନର ସମୀକ୍ଷା ଓ ସମୀକରଣ କହୁଛି ଭଦ୍ରକ ଲୋକସଭା ଆସନରେ ଏବେ ମଧ୍ୟ ବିଜେଡି ତାର ଦବ୍ଦବା ରଖିଛି । ତେଣୁ ଲୋକସଭା ଆସନକୁ ନେଇ ଭାଗବଣ୍ଟା କଥା ଉଠିଲେ ବିଜେଡି କେବେବି ଏହାକୁ ହାତଛଡା କରିବାକୁ ଚାହିଁବ ନାହିଁ । ତେବେ ଲୋକସଭା ପ୍ରସଙ୍ଗ ଯେତିକି ଆଲୋଚନା ନହେଉଛି, ଗତ ଦୁଇ ଦିନ ହେଲା ବିଧାନସଭା ଆସନକୁ ନେଇ ଜୋରଦାର ଆଲୋଚନା ଚାଲିଛି । ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ରାଜନୀତିରେ ଧାମନଗରରୁ ମନମୋହନ ସାମଲ ଓ ଚାନ୍ଦବାଲିରୁ ବିଷ୍ଣୁ ସେଠୀ ବିଜେପି ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ଦୁଇଟି ନିର୍ବାଚନରେ ଚାନ୍ଦବାଲି ସାଧାରଣ ବର୍ଗଙ୍କ ପାଇଁ ସରଂକ୍ଷିତ ହେବା ପରେ ମନମୋହନ ଭଣ୍ଡାରିପୋଖରୀ ଓ ପରେ ପୁଣିଥରେ ଚାନ୍ଦବାଲିରୁ ନିର୍ବାଚନ ଲଢି ଦୁଇଟି ଯାକ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ସେହିପରି ବିଜେପି ନେତା ବିଷ୍ଣୁ ମେଣ୍ଟ ରାଜନୀତିରେ ଚାନ୍ଦବାଲିରୁ ଜିତିଥିଲେ ମଧ୍ୟ ମେଣ୍ଟ ଭାଂଗିବା ପରେ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଧାମନଗର ବିଧାନସଭା ଆସନରୁ ଦୁଇ ଦୁଇ ଥର୍ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଯଦି ବିଜେଡି ଓ ବିଜେପି ଓଡ଼ିଶାରେ ଆଗାମୀ ନିର୍ବାଚନ ପାଇଁ ମେଣ୍ଟ କରିବାକୁ ଯୋଜନା କରନ୍ତି, ତେବେ ଭଦ୍ରକର ଏଇ ଦୁଇ ବିଜେପି ନେତାଙ୍କର ଫାଇଦା ହେବ । ମେଣ୍ଟ ରାଜନୀତିରେ ବିଜେପିର ଅନ୍ୟ କାହାକୁ ଟିକଟ ମିଳୁ କି ନମିଳୁ ବରିଷ୍ଠ ନେତା ମନମୋହନ ସାମଲ ଓ ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କୁ ଟିକଟ ମିଳିବା ପ୍ରାୟ ପକ୍କା ବୋଲି ବିଜେପିର ବିଭିନ୍ନ ଶିବିରରେ ଆଲୋଚନା ଚାଲିଛି । ଧାମନଗର ବିଜେପି ସଂଗଠନରେ ବିଷ୍ଣୁଙ୍କର ସ୍ୱତନ୍ତ୍ର ଦବ୍ଦବ୍ା ରହିଛି । ଗତ ପଂଚାୟତ ନିର୍ବାଚନରେ ଏଠାରୁ ୪ ଟି ଯାକ ଜିଲା ପରିଷଦ ଆସନ ବିଜେପି ହାତେଇ ନେଇଥିଲା । ତେଣୁ ମେଣ୍ଟ ହେଲେ ବିଷ୍ଣୁଙ୍କ ପାଇଁ ଜିତିବା ଅଧିକ ସହଜ ହୋଇଯିବ ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି । ସତକୁ ସତ ମେଣ୍ଟ ହେଲେ ଏଇ ଦୁଇଟି ଆସନକୁ ଛାଡି ବାକି ସବୁ ଆସନ ବିଜେଡି ନିଜ ହାତରେ ରଖିବାକୁ ଦାବି କରିବ । କାରଣ ବିଜେପି ଠାରୁ ଆଜିର ଦିନରେ ଭୋଟ ବ୍ୟବଧାନରେ ଢେର ଆଗରେ ରହିଛି ବିଜେଡି । ଏବେ ମଧ୍ୟ ଭଦ୍ରକ ଜିଲାର ସବୁ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ରହିଛି ଭୋଟ୍ ବ୍ୟାଙ୍କ । ନବୀନ ଯାହାକୁ ବି ପ୍ରାର୍ଥୀ କରିବେ, ସେହି ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ବିଜେଡିର କର୍ମୀ ମହଲରେ ଚାଲିଛି ଚର୍ଚ୍ଚା । ମେଣ୍ଟ ହେଲେ ଭଦ୍ରକ ରାଜନୀତି ଆହୁରି କମିଯିବ ବୋଲି ଉଭୟ ବିଜେଡି ଓ ବିଜେପି ଶିବିରରେ ଚାଲିଛି ଆଲୋଚନା । ତେବେ ଆଗାମୀ ଦିନରେ ବିଜେଡି ଓ ବିଜେପି ମେଣ୍ଟ କେବଳ ଚର୍ଚ୍ଚାରେ ରହିଯିବ ନା ବାସ୍ତବତାରେ ପରିଣତ ହେବ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top